ରାଜ୍ୟରେ ଦିନକରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବସାଇଟରେ ସୂଚନା ଦିଆଯାଇଛି। ଆଜି ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ତାଲିକାରେ ସ୍ଥାନ ପାଇଛି। ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାରୁ ଆଗରୁ କେହି କ‌ରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାକୁ ସଂକ୍ରମଣ ଡେଇଁପାରେ ବୋଲି କୁହାଯାଉଥିଲା। ସେହିଭଳି ସୁରତ ଫେରନ୍ତାଙ୍କ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆକଳନ କରାଯାଉଥିଲା । ଗତକାଲି ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଡେଇଁପାରେ ବୋଲି କୁହାଯାଉଥିଲା। ଏହାକୁ ନଜରରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

ଗତକାଲି ଗଞ୍ଜାମକୁ ରାଜଧାନୀର ଏକ ସ୍ବତନ୍ତ୍ର ଟିମ୍ ତଦାରଖ ପାଇଁ ପଠାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରଶାସନିକ ତନାଘନା ରାତିରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର