ବାଗଡିହି ଷ୍ଟେସନରେ ‌ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ବର : ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ଡିଭିଜନ୍‌ ଅନ୍ତର୍ଗତ ବାଗଡିହି ରେଳ ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି।

ଚିଠିରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବାଗଡିହି ରେଳ ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ନେଇ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ବିଜେପି କିରମିରା ମଣ୍ଡଳ ସଭାପତି ବିଜୟ କୁମାର ଦୃଷ୍ଟି ତାଙ୍କର ଆକର୍ଷଣ କରିଛନ୍ତି।ବାଗଡିହି ରେଳ ଷ୍ଟେସନ କିରମିରା, ଲଇକେରା, କୋଲାବିରା ସମେତ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତ ଗ୍ରାମକୁ ସଂଯୋଗ କରୁଛି। ଏହି ଅଞ୍ଚଳର ଲୋକ ସଂଖ୍ୟା ୨ ଲକ୍ଷରୁ ଅଧିକ। ଲକ୍‌ଡାଉନ୍‌ ପୂର୍ବରୁ ଏହି ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ୍‌(୦୨୫୧୭/୧୮), ତପସ୍ବିନୀ ଏକ୍ସପ୍ରେସ୍‌(୦୮୪୫୧/୫୨) ଓ ରାଜାରାଣୀ ଏକ୍ସପ୍ରେସ୍‌(୦୮୧୨୭/୨୮) ଅଟକୁଥିଲା। ତେବେ କରୋନା ପରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକର ରହଣି ପ୍ରତ୍ୟାହାର କରି ନିଆଯାଇଛି। ଏହି ଅଞ୍ଚଳବାସୀ ପରିବହନ ଓ ଯୋଗାଯୋଗ ପାଇଁ ମୁଖ୍ୟତଃ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି। ଟ୍ରେନ୍‌ ରହଣି କରୁ ନ ଥିବାରୁ ଅଞ୍ଚଳର ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ‌ତେଣୁ ଏହି ଅଞ୍ଚଳ ଲୋକଙ୍କ କଲ୍ୟାଣ ପାଇଁ ଉପରୋକ୍ତ ବିଷୟ ଉପରେ ବିଚାର କରିବାକୁ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର