ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପଦ‌କ୍ଷେପ

ଛଅ ମାସ ପରେ ଆପେଆପେ ଅକାମି ହୋଇଯିବ ରହିତାଦେଶ

କଟକ: ଏଣିକି କୌଣସି ମାମଲାର ଶୁଣାଣି ଉପରେ ଜାରି କରାଯାଇଥିବା ରହିତାଦେଶ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଳବତ୍ତର ରହି ପାରିବ ନାହିଁ। ରହିତାଦେଶ ନିର୍ଦ୍ଦେଶ ୬ ମାସ ପରେ ଆପେ ଆପେ ଉଠିଯିବ। ଯଦି ବିଚାରାଧୀନ ମାମଲାର ଶୁଣାଣି ଉପରେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ଆଦେଶ ଅବଧି ବୃଦ୍ଧି ପାଇଁ ସାନି ନିର୍ଦ୍ଦେଶ ଅଦାଲତ ପ୍ରଦାନ ନ କରି ଥାନ୍ତି ତେବେ ଅନ୍ତରୀଣ ନିର୍ଦ୍ଦେଶ ୬ ମାସ ପରେ ଆପେ ଆପେ ଅକାମି ହୋଇଯିବ ବୋଲି ୨୦୧୮, ମାର୍ଚ୍ଚ ୨୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ବା ଅନ୍ୟ ଅଦାଲତରେ ଦୁର୍ନୀତି ନିବାରଣ ଆଇନ କିମ୍ବା ଅନ୍ୟ ଦେୱାନୀ ଓ ଅପରାଧିକ ବିଚାରାଧୀନ ମାମଲାରେ ଯଦି ଶୁଣାଣି ଉପରେ କୌଣସି ରହିତାଦେଶ ଥାଏ ଓ ଏବଂ ତାହା ବୃଦ୍ଧି କରାଯାଇ ନ ଥାଏ ତେବେ ତାହା ଆପେ ଆପେ ୬ ମାସ ପରେ ଉଠିଯିବ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଅଧୀନରେ ଥିବା ସମସ୍ତ ଅଦାଲତରେ ଏପରି ପ୍ରଣାଳୀ ବା କାର୍ଯ୍ୟଧାରା ଲାଗୁ ପାଇଁ ପଦକ୍ଷେପ ନିଆଯାଇଛି। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ସଂପର୍କରେ ରାଜ୍ୟର ସମସ୍ତ ଅଦାଲତ ଗୁଡିକୁ ଅବଗତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଏହି ଅବଧି ଶେଷ ହେବା ପରେ ସମସ୍ତ ଅଦାଲତ ଅନ୍ୟ କୌଣସି ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା ନ କରି ପୂର୍ବରୁ ରହିତାଦେଶ ଥିବା ମାମଲା ଗୁଡିକର ଶୁଣାଣି କ୍ଷେତ୍ରରେ ଆଗେଇବା ପାଇଁ ହାଇକୋର୍ଟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଯଦି ପୂର୍ବରୁ ଜାରି କରାଯାଇଥିବା ରହିତାଦେଶ ଅବଧି ବୃଦ୍ଧି ସଂପର୍କରେ କୌଣସି ନିର୍ଦ୍ଦେଶନାମା ଅଦାଲତରେ ଉପସ୍ଥାପନ କରା ନ ଯାଏ ତେବେ ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ଅବଧି ଶେଷ ପରେ ଜାରି ରଖିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଏପରି ନିର୍ଦ୍ଦେଶନାମା ପରେ ଅଯଥାରେ ମାମଲାର ଶୁଣାଣିରେ ହେଉଥିବା ବିଳମ୍ବ ଉପରେ ଅଙ୍କୁଶ ଜାରି ହୋଇ ପାରିବ।

ସମ୍ବନ୍ଧିତ ଖବର