ସାକ୍ଷୀଗୋପାଳ ମନ୍ଦିରରୁ ପଥର ଖସିଲା

ପୁରୀ : ସାକ୍ଷୀଗୋପାଳରେ ଥିବା ସର୍ବପୁରାତନ ଶ୍ରୀଶ୍ରୀ ଗୋପାଳଜୀଉ ମନ୍ଦିର ଅସୁରକ୍ଷିତ ହୋଇପଡ଼ିଛି। ଗତ ରାତିରେ ମନ୍ଦିରରୁ ପାଖାପାଖି ଏକ କୁଇଣ୍ଟାଲ ଓଜନର ପଥର ଖସି ପଡ଼ିଛି। ସିଂହଦ୍ଵାର ଉପରେ ଥିବା ଏହି ପଥର ଖସି ପଡ଼ିବା ଫଳରେ ସେଠାରେ ଏକ ବଡ଼ ଗର୍ତ୍ତ ହୋଇଛି। ପାୟ ୫୦ ଫୁଟ ଉଚ୍ଚତାରୁ ଏହି ପଥର ଖସିଛି। ରାତିରେ ଖସିଥିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି। କାର୍ତ୍ତିିକ ମାସ ହୋଇଥିବାରୁ ଦୂରଦୂରାନ୍ତରୁ ଭକ୍ତମାନେ ଆସୁଛନ୍ତି। ଦିନରେ ପଡ଼ିଥିଲେ ନିଶ୍ଚିତ ଭାବେ ଅଘଟଣ ଘଟିଥାନ୍ତା ବୋଲି କୁହାଯାଉଛି।

ଗୋଟିଏ ପଥର ଖସିଥିବାରୁ ଆହୁରି ଦୁର୍ବଳ ପଥର ରହିଥିବା ଅନୁମାନ କରାଯାଉଛି। ଏଣୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀମାନେ ଆସି ଯାଞ୍ଚ କରିଛନ୍ତି। ୨୦୧୫ ମସିହାରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଇନଟାକ୍‌ ଏହାକୁ ମରାମତି କରିଥିଲା। ମରାମତି ବେଳେ ପଥରରେ ଶିଉଳି ଲାଗିବା ସହ ବିଭିନ୍ନ ପ୍ରକାରର ଗଛ ଉଠିଥିବାରୁ ପଥର ଦୁର୍ବଳ ହୋଇଥିବା ଜଣାପଡ଼ିଥିଲା। ମନ୍ଦିରରେ ଗଛ ନଉଠିବା ପାଇଁ ରାସାୟନିକ ପ୍ରଲେପ ଦିଆଯାଇଥିଲା। ହେଲେ ଏହା ପରେ ସଂସ୍ଥା ମନ୍ଦିରକୁ ଭୁଲି ଯାଇଥିଲା। ମାତ୍ର ଦୁଇ ବର୍ଷ ପରେ ମନ୍ଦିର ଅବସ୍ଥା ପୁଣି ଥରେ ପୂର୍ବାବସ୍ଥାକୁ ଫେରି ଆସିଛି। ମୁଖଶାଳା ଫାଟି ଆଁ କରିଥିବା ବେଳେ ପଥର ଖସୁଛି। ପଥର ଖସିବା ଆରମ୍ଭ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅଁଳା ନବମୀରେ ଏଠାରେ ପ୍ରବଳ ଭିଡ଼ ହୁଏ। ଏହା ପୂର୍ବରୁ ଏହାର ମରାମତି ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର