ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ପାଇଁ ବଦଳି ନୀତି କର

ଭୁବନେଶ୍ବର : ଯେଉଁସବୁ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ କରିସାରିଲେଣି, ସେଠାରେ ଯୁକ୍ତ ଦୁଇ ଖୋଲାଯାଉ ଓ ବିଜ୍ଞାନ ଶ୍ରେଣୀ ନିଶ୍ଚିତ ରହିବା ଦରକାର। କେବଳ ସେତିକି ନୁହେଁ, ଅନୁଦାନ ପ୍ରାପ୍ତ କଲେଜ ଓ ବ୍ଲକ ଗ୍ରାଣ୍ଟ ସ୍କୁଲର ଶିକ୍ଷକଙ୍କ ବଦଳି ପାଇଁ ସରକାର ତୁରନ୍ତ ବଦଳି ନୀତି ଲାଗୁ କରନ୍ତୁ।

ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ସ୍ଥାୟୀ କମିଟି ( ବିଦ୍ୟାଳୟ ଓ ଗଣଶିକ୍ଷା) ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛନ୍ତି। ଆଜି ବିଧାନସଭାରେ କମିଟି ତାଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି, ଯୁକ୍ତ ଦୁଇ କଲେଜକୁ ଉଚ୍ଚଶିକ୍ଷା ବିଭାଗରୁ ଅଲଗା କରାଯିବା ପରେ ଏେବ ପ୍ରଶାସନିକ ଓ ଶିକ୍ଷାଗତ ସମସ୍ତ ସମସ୍ୟା ଦୂର ପାଇଁ ଆଉ ତିନିଟି ଆଞ୍ଚଳିକ ନିର୍ଦେଶକ ପଦବି ସୃଷ୍ଟି କରାଯିବା ଦରକାର। ବ୍ରହ୍ମପୁର, ସମ୍ବଲପୁର ଓ ଭୁବନେଶ୍ବରରେ ଏଭଳି ନିର୍ଦେଶକ ପଦବି ସୃଷ୍ଟି କରାଗଲେ, କାର୍ଯ୍ୟ କରିବା ସହଜ ସାଧ୍ୟ ହେବ। ଯେଉଁ ସବୁ ବିଦ୍ୟାଳୟରେ ଯୁକ୍ତ ଦୁଇ କଲେଜ ଖୋଲାଯାଇଛି, ସେସବୁକୁ ଅଧିକ ଆର୍ଥିକ ବରାଦ କରାଯିବା ସହିତ ଭିତ୍ତିଭୂମିର ବିକାଶ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଦିଆଯିବାର ଆବଶ୍ୟକତା ରହିଛି। ଉଚ୍ଚ ବିଦ୍ୟାଳୟମାନଙ୍କରେ କୋଠା ମରାମତି, ପିଇବା ପାଣି ବ୍ୟବସ୍ଥା, ପରିମଳ ବ୍ୟବସ୍ଥାର ତଦାରଖ ପଞ୍ଚାୟତ ଦ୍ବାରା କରାଯାଇପାରିବ। କମ୍ପ୍ୟୁଟର ଶିକ୍ଷା ଦେଉଥିବା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଛାତ୍ରାବାସରେ ପାଚେରି ନିର୍ମାଣ, ହାଇସ୍କୁଲରେ ବିଜ୍ଞାନ ପରୀକ୍ଷାଗାର ଉପକରଣ ପାଇଁ ଅର୍ଥ ବରାଦ, ବାଦ୍ ପଡିଥିବା ୩୧ ମଧ୍ୟଇଂରାଜୀ ବିଦ୍ୟାଳୟ ଓ ୧୭୭ ଉଚ୍ଚ ବିଦ୍ୟାଳୟ ପାଇଁ ତୁରନ୍ତ ଅନୁଦାନ ପ୍ରଦାନ ଉପରେ କମିଟି ଗୁରୁତ୍ବ ଦେଇଛନ୍ତି। ସୁପାରିସରେ ଆହୁରି କୁହାଯାଇଛି, ବିଆରସିଏସ୍ ଓ ସିଆରସିଏସ୍‌ଙ୍କୁ ବିଦ୍ୟାଳୟରେ ପାଠପଢାରେ ନିୟୋଜିତ କରିବା ଲାଗି ବି କମିଟି ଯୁକ୍ତି ରଖିଛି।

ଏହି କମିଟିରେ ବିଧାୟକ ବିଜୟ ରଂଜନ ସିଂହ ବରିହା, ନିତ୍ୟାନନ୍ଦ ସାହୁ, ଦେବେଶ ଆଚାର୍ଯ୍ୟ, ସୀମାରାଣୀ ନାୟକ, ସୁଶାନ୍ତ କୁମାର ବେହେରା, ବିଷ୍ଣୁବ୍ରତ ରାଉତରାୟ, ସୁନନ୍ଦା ଦାସ, ପ୍ରକାଶ ଚନ୍ଦ୍ର ମାଝୀ, ଶଙ୍କର ଓରାମ, ଆଦିତ୍ୟ ମାଢି, ମୁକେଶ କୁମାର ପାଳ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର