ଗୃହ ମଝିରେ ଝଡ଼

ଗରିମା କ୍ଷୁଣ୍ଣ କଲେ ସୁବାସ, କ୍ଷମା ମାଗନ୍ତୁ: ବିଜେଡି

ହଟ୍ଟଗୋଳ ‌କଲେ ଶାସକ ବିଧାୟକ
ଧାନ ପ୍ରସଙ୍ଗରେ ବିରୋଧୀ ଗର୍ଜିଲେ

ଭୁବନେଶ୍ବର : ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଗୃହକୁ ଗତକାଲି ବିରୋଧୀ ଅଚଳ କରିଥିଲେ। ଚାଷୀ କାହିଁକି ଆତ୍ମହତ୍ୟା କରିବ, ମୁଁ ଆତ୍ମହତ୍ୟା କରୁଛି ବୋଲି ଜଣାଇ ସାନିଟାଇଜର ପିଇ ଦେଇଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ପଦକ୍ଷେପ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ସରକାରୀ ଦଳ ଆଜି ବିଧାନସଭାରେ ଏହି ପ୍ରସଙ୍ଗକୁ ଏଭଳି ସ୍ତରକୁ ଟାଣି ନେଇଛନ୍ତି ଯେ ଗୃହରେ କମ୍ପନ ସୃଷ୍ଟି ହୋଇଥିଲା। ଗୋଟିଏ ସମୟରେ ଶାସକ-ବିରୋଧୀ ଉଭୟ ଗୃହର ମଧ୍ୟଭାଗରେ ପରସ୍ପର ବିରୋଧରେ ଗର୍ଜନ ତର୍ଜନ କରିଥିଲେ। ଚାଷୀଙ୍କ ଧାନ କିଣିବାକୁ ଗୃହରେ ମନ୍ତ୍ରୀ ପ୍ରତିଶ୍ରୁତି ରଖନ୍ତୁ, ତାହେଲେ ଯାଇ ଗୃହ ଚାଲିବ ବୋଲି ନାରାବାଜି କରିଥିଲେ ବିରୋଧୀ। ଆଉ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସିଧା ସିଧା କହିଥିଲେ ଯେ ଗୃହରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ଯେପରି ସାନିଟାଇଜର ପିଇ ପ୍ରତିବାଦ କଲେ ସେଥିରେ ଏ ଗୃହର ଗରିମା କ୍ଷୁଣ୍ଣ ହୋଇଛି। ଏପରି ଘଟଣା କେବେ ବି ହୋଇନଥିଲା। ଏଥିପାଇଁ ଶ୍ରୀ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ। ଏଥିସହିତ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ।

ପରିଣାମ ହେଲା, ପୂର୍ବାହ୍ନ ସାଢେ ୧୦ଟାରୁ ଗୃହ ଆଦୌ ଚାଲିପାରିନଥିଲା। ଆଉ ଅପରାହ୍ନରେ ଅଚଳାବସ୍ଥା ଭିତରେ ୮ଟି ବିଲ୍ ଆଗତ ହୋଇଥିଲେ ହେଁ, ବାଚସ୍ପତି ଶେଷରେ ଅପରାହ୍ନ ୪ଟା ୪୨ରୁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଆଜି ମୋଟ ୫ଥର ଗୃହ ମୁଲତବୀ ହୋଇଥିଲା।

ତେବେ ବିଧାନସଭା ଭିତର ତାତି ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଚାଷୀଙ୍କ ଧାନ ଉଠିଲାନି। ସରକାର ପ୍ରତିଶ୍ରୁତି ଦେଇ ଫେଲ୍‌ ମାରିଲେ। ଜନପ୍ରତିନିଧିମାନେ ନିଜ ଅଞ୍ଚଳକୁ ଯିବାକୁ ଡରିଲେଣି। ଚାଷୀମାନେ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି। ଏକଥା ଗୃହରେ ଉଠାଇ ସରକାରଙ୍କୁ ଜବାବ ମାଗିବା କ’ଣ ଭୁଲ? ଚାଷୀଙ୍କ ବେଦନାକୁ ସହି ନ ପାରି ଗତକାଲି ବିଧାୟକ ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇ ପ୍ରତିବାଦ ଜଣାଇଥିଲେ। ଏହା ଯଦି ଅମର୍ଯ୍ୟାଦା ତାହେଲେ ସରକାର ତାଙ୍କ ଦାୟିତ୍ବ କାହିଁକି ତୁଲାଉନାହାନ୍ତି? ଧାନ କିଣିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଅନ୍ତୁ ତା’ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଦୁଃଖ ପ୍ରକାଶ କରିବେ। ଶ୍ରୀ ନାଏକ ଆହୁରି କହିଥିଲେ ଯେ ବନାଗ୍ନିର କରାଳ ଆଁରେ ଶିମିଳପାଳ ଜଳୁଥିବା ବେଳେ ଶାସକଦଳର ପ୍ରଭାବଶାଳୀ ବିଧାୟକମାନେ ହେଲିକପ୍ଟରରେ ଜଙ୍ଗଲ ଭିତରେ କିପରି ଅବତରଣ କଲେ?

ଯଦି ଚିଲିକା ଇକୋ ଜୋନ୍‌ରେ ହେଲିକପ୍ଟର ଉଡ଼ାଇଥିବାରୁ ଏବର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଏବେ ଶିମିଳିପାଳ ଜଳୁଥିବାବେଳେ ହେଲିକପ୍ଟର ନେଇ ଯାଇଥିବା ଶାସକଦଳର ସମ୍ପୃକ୍ତ ପ୍ରଭାବଶାଳୀ ଗୋଷ୍ଠୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ? ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାରେ ସମୁଦ୍ରର ପରିବେଶ ଦୂଷିତ ହେଲା। ଏ ନେଇ ସମ୍ପୃକ୍ତ ସଂସ୍ଥା ସେଭେନ୍‌ ହିଲ୍‌ କମ୍ପାନି ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ୨୦ ବର୍ଷ ଧରି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନସଭା ପ୍ରତି ଅସମ୍ମାନ କରିଆସୁଛନ୍ତି। ସେ ଗୃହକୁ ଆସନ୍ତି ନାହିଁ। ନିଜ ବିଭାଗର ଉତ୍ତର ଅନ୍ୟକୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତି। ଆବଶ୍ୟକ ପଡ଼ିଲେ ନିଜ ବିଭାଗ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇଯାନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ରୁହନ୍ତି। କୋଭିଡ ପାଇଁ ହୁଏତ ୯ ମାସ ହେଲା ସେ ଘରୁ ବାହାରି ନାହାନ୍ତି। ଏଭଳି କରିବାରେ ହୁଏତ ସମଗ୍ର ବିଶ୍ବରେ ନିର୍ବାଚିତ ଶାସନ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ସେ ଏକମାତ୍ର। ଅଥଚ ବିଧାନସଭା ଅଧିବେଶନ ଶେଷହେବାର ଦିନକ ପରେ ସେ ଲିଙ୍ଗରାଜ ମନ୍ଦିର ନିକଟକୁ ପାରିଧିରେ ଯାଇଥିଲେ। ଏହା ବିଧାନସଭା ଗୃହର ଅମର୍ଯ୍ୟାଦା ନୁହେଁ କି? ଓଡ଼ିଶାର କୌଣସି ଜନସମସ୍ୟାକୁ ନେଇ ଗତ ୨୦ ବର୍ଷ ଭିତରେ ସେ ଥରୁଟିଏ ସର୍ବଦଳୀୟ ବୈଠକଟିଏ ଡାକିନାହାନ୍ତି। ଗଞ୍ଜାମର ପାତ୍ରପୁରରେ ଯଦି ଆନ୍ଧ୍ରପ୍ରଦେଶ ସରକାର କଳ, ବଳ ଓ କୌଶଳ ଖଟାଇ ପଞ୍ଚାୟତ ନିର୍ବାଚନ କରାଇନେଲେ ତେବେ ସେହି ଜିଲ୍ଲାରୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଉଚ୍ଚ ସ୍ବରରେ ନିନ୍ଦା କରାଯିବ ନାହିଁ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ, ବିଜେପି ଓ ବାଚସ୍ପତିଙ୍କୁ ଟାର୍ଗେଟ୍‌ କରି ଗୃହ ବାହାରେ କହିଥିଲେ ଯେ ସରକାରୀ ଦଳ ପ୍ରମାଣିତ କରିଛି ସେମାନେ ଚାଷୀ ବିରୋଧୀ। ଚାଷୀଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ। ସେଥିପାଇଁ ଆଜି ଗୃହକୁ ଅଚଳ କଲେ। ମନ୍ତ୍ରୀମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କଲେ। ବୋଧହୁଏ ଶାସକ ଦଳ ଆଗାମୀ ଦିନରେ ବିରୋଧୀ ଦଳ ଭୂମିକାରେ ବସିବ ବୋଲି ଏବେଠାରୁ ଅଭ୍ୟାସ କରିବା ଆରମ୍ଭ କରିଛନ୍ତି। ସେହିପରି ବାଚସ୍ପତିଙ୍କର ମଧ୍ୟ କ୍ଷମତା ଅଛି ସରକାରଙ୍କୁ ଜବାବ ମାଗିପାରିବେ। କିନ୍ତୁ ଦୁର୍ଭାଗ୍ୟ ଏସବୁ ଏଠି ଦେଖିବାକୁ ମିଳୁନାହିଁ। ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଧାନ କିଣା ସମସ୍ୟାର ସମାଧାନର ବାଟ ବାହାର କରିପାରିଥାନ୍ତେ। ତା ନକରି ଗୃହକୁ ମୁଲତବୀ କରିଛନ୍ତି।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଲୋକସଭାରେ ବିଜେଡି ସାଂସଦ ଧାନ କିଣା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। କେନ୍ଦ୍ର ମନ୍ତ୍ରୀ ଉତ୍ତର ଦେଇ କହିଥିଲେ, ଓଡ଼ିଶା ଯେତେ ଧାନ ବିକିବ ସେସବୁ କେନ୍ଦ୍ର ସରକାର କିଣିବେ। ବିଜେପି ବନ୍ଧୁମାନଙ୍କୁ ଅନୁରୋଧ ସେମାନେ କେନ୍ଦ୍ର ସରକାର ଓ ଏଫ୍‌ସିଆଇକୁ ଅନୁରୋଧ କରନ୍ତୁ ତୁରନ୍ତ ଚାଷୀଙ୍କଠାରୁ ସିଧା ସଳଖ ଧାନ କିଣିବାକୁ। ଯଦି କେନ୍ଦ୍ର ସରକାର ଏ କଥା କରିବେ ନାହିଁ ତାହେଲେ ରାଜ୍ୟ ସରକାରଙ୍କ ଧାନ କିଣା ବାବଦରେ ବକେୟା ଥିବା ଅର୍ଥ ପଇଠ କରି ଧାନ କିଣିବା ପାଇଁ ବ୍ୟବସ୍ଥା କରନ୍ତୁ। ବିଜେପି ବିଧାୟକ ଆତ୍ମହତ୍ୟା କରିବା ନେଇ ଧମକ ଦେଇଥିଲେ। କିନ୍ତୁ ସେ ଗୃହ ଭିତରେ ଯାହା କରିଛନ୍ତି ସେ ନେଇ ଆଇନଗତ ତର୍ଜମା କରାଯିବା ଦରକାର। ଆଜି ଯେଭଳି ଭାବେ ବିଧାନସଭା ଅଚଳ ହେଲା ଏଥିରୁ ସ୍ପଷ୍ଟ ହେଉଛି, ଚାଷୀଙ୍କ ସମସ୍ୟାକୁ ପାଣିଚିଆ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଜେଡି ବିଧାନସଭାର ପରମ୍ପରାକୁ ଧ୍ବଂସ କରିଛି। ମନ୍ତ୍ରୀ ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ର ଓ ନବ ଦାସ ଗୃହ ମଧ୍ୟଭାଗକୁ ଆସି ବିରୋଧୀଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଥିଲେ। ଯେ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ନ ଉଠିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଗୃହ ଚଲାଇ ଦେବନାହିଁ।

ବିରୋଧୀଙ୍କୁ ଜବାବ ଦେଇ ଗୃହ ବାହାରେ ଶାସକ ଦଳ ସଦସ୍ୟ ପ୍ରତାପ ଦେବ କହିଥିଲେ ଯେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ବିଧାନସଭାରେ ଯାହା କରିଛନ୍ତି ତାହା ନିନ୍ଦନୀୟ। ବିଧାନସଭା ଇତିହାସରେ କେବେ ବି ଏଭଳି ଘଟଣା ହୋଇନଥିଲା। ସାନିଟାଇଜର ପିଇ ପ୍ରତିବାଦ କରିବା ଓଡ଼ିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଏପରି କାର୍ଯ୍ୟ ସେ ବିଜେପି ଦଳର ପ୍ରରୋଚନାରେ କରିଛନ୍ତି ନା ନିଜ ନିଷ୍ପତ୍ତିରେ କରିଛନ୍ତି। ସେ ଯେ ପର୍ଯ୍ୟନ୍ତ ଗୃହରେ କ୍ଷମା ମାଗିନାହାନ୍ତି ଦଳ ଜିଦରୁ ଓହରିବ ନାହିଁ। ପ୍ରତିବାଦ କରିବାର ଅନେକ ମାଧ୍ୟମ ରହିଛି। ଶ୍ରୀ ପାଣିଗ୍ରାହୀଙ୍କ ଆଚରଣ ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରିଛି। ସାନିଟାଇଜର ପିଇ ବିଧାୟକ କ’ଣ ଦର୍ଶାଇବାକୁ ଚାହୁଁଛନ୍ତି? ସେ କଣ ଜାଣିନାହାନ୍ତି ଆତ୍ମହତ୍ୟା କରିବା ଗୁରୁତର ପ୍ରସଙ୍ଗ। ମନ୍ତ୍ରୀମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ନେଇ ବିରୋଧୀ କରିଥିବା ଆପତ୍ତି ଉପରେ ଶ୍ରୀ ଦେବ ଆହୁରି କହିଥିଲେ ଯେ ଗୃହର ମର୍ଯ୍ୟାଦା ଉପରେ ଯେତେ ଆଞ୍ଚ ଆସେ, ସେବେ ବିଧାୟକ ବା ମନ୍ତ୍ରୀ କେହି ଏଥିରେ ନିରବ ରହିପାରିବେ ନାହିଁ। ଏମିତିରେ ବି ମନ୍ତ୍ରୀମାନେ ପ୍ରଥମେ ଗୃହର ସଦସ୍ୟ। ଏଣୁ ପ୍ରତିବାଦ କରିବାରେ କୌଣସି ଅସୁବିଧା ନାହିଁ।

ସମ୍ବନ୍ଧିତ ଖବର