ଶିକ୍ଷକଙ୍କ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ଗୁରୁତର, କଟକ ସ୍ଥାନାନ୍ତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ଜଗନ୍ନାଥପୁର ଶାସନ ନୋଡାଲ୍‌ ଶିକ୍ଷାନିକେତନର ୭ମ ଶ୍ରେଣୀ ଛାତ୍ର ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରଙ୍କ ବାପା ରାଜନଗର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ଜଗନ୍ନାଥପୁର ଶାସନ ଗାଁର ନିରଂଜନ ତ୍ରିପାଠୀଙ୍କ ଏକମାତ୍ର ପୁଅ ନିହାର ରଂଜନ ତ୍ରିପାଠୀ ଜଗନ୍ନାଥପୁର ଶାସନ ନୋଡାଲ ଶିକ୍ଷା ନିକେତନରେ ୭ମ ଶ୍ରେଣୀରେ ପଢନ୍ତି। ଆଜି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ପଡିଆରେ ଖେଳୁଥିଲେ। ପାଠପଢା ଆରମ୍ଭ ହେବା ପାଇଁ ବେଲ୍‌ ବାଜିବା ଯୋଗୁଁ ପିଲାମାନେ ଶ୍ରେଣୀଗୃହକୁ ଦୌଡି ଦୌଡି ଆସୁଥିଲେ। ଏହି ସମୟରେ ନିହାରଙ୍କୁ ବିଦ୍ୟାଳୟର ଶିକ୍ଷକ ଅରବିନ୍ଦ ମହାନ୍ତି ମାଡ଼ ମାରିବାରୁ ସେ ତଳେ ପଡିଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଜେଠୀ ପରିବାର ଲୋକଙ୍କୁ ଖବର ଦେବା ସହ ନିହାରଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମାଡ଼ ଯୋଗୁଁ ତାଙ୍କର ଦୁଇ ଗୋଡ଼, ଦୁଇ ହାତ ଓ ବେକ ଅଚଳ ହୋଇପଡ଼ିଥିବା ଜଣାପଡିଛି। ନିହାରଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର