ଖଡ଼ି ଛୁଆଁ ହେଲାନି, ପିଲାଙ୍କ ନାମଲେଖାକୁ ନେଇ ଦ୍ବନ୍ଦ୍ବରେ ଅଭିଭାବକ

ପ୍ରଥମରୁ ୮ମ ‌ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍‌!
ସ୍କୁଲରେ ପିଲା ପାଳିଲେନି ଗଣେଶ ଓ ସରସ୍ବତୀ ପୂଜା

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁଁ ସ୍କୁଲରେ ଗଣେଶ ପୂଜା ହୋଇପାରି ନ ଥିଲା। ସରସ୍ବତୀ ପୂଜାରେ ବି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିଲେ, ହେଲେ ଛାତ୍ରଛାତ୍ରୀ ଆସିଲେ ନାହିଁ କି ମା’ଙ୍କ ଆରାଧନା କଲେନି। ସମ୍ଭବତଃ ପ୍ରଥମ ଥର ଲାଗି ଗୋଟିଏ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉଭୟ ଗଣେଶ ଓ ସରସ୍ବତୀ ପୂଜା କରିପାରି ନାହାନ୍ତି, ଯାହାକି ବିରଳ। ତେବେ ଏହାଦ୍ବାରା ବିଦ୍ୟାଳୟରେ ଗୁରୁଙ୍କଠାରୁ ନୂଆ କରି ଖଡ଼ି ଧରିବାକୁ ଥିବା ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷ ସରିବାକୁ ବସିଥିବା ବେଳେ ସେମାନେ ସ୍କୁଲ ମାଟି ମାଡ଼ିପାରି ନାହାନ୍ତି। ଅର୍ଥାତ୍‌ ପିଲାଙ୍କର ଗୋଟିଏ ବର୍ଷ ନଷ୍ଟ ହୋଇଛି। ଯେଉଁମାନେ କରୋନା କଟକଣା ଭିତରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ ସେମାନେ ଗୋଟିଏ ବର୍ଷ ହେଲା ଗୁରୁଙ୍କ ସ୍ପର୍ଶ ପାଇବାରୁ ବଞ୍ଚିତ ହୋଇଛନ୍ତି। କେବଳ ଯାହା କାଗଜକଲମରେ ସେମାନଙ୍କ ନାଁ ଲେଖା ହୋଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ନୂଆ କରି ସ୍କୁଲ ଯିବାକୁ ଥିବା ପିଲାଙ୍କ ଅଭିଭାବକ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି, ପିଲାଙ୍କୁ କେଉଁ ଶ୍ରେଣୀରେ ପଢ଼ାଇବେ? ଏବର୍ଷ ପିଲାଙ୍କୁ ଏଲ୍‌କେଜିରେ ନାମ‌ ଲେଖାଇବେ ନା ୟୁକେଜିରେ? କାରଣ ବର୍ଷେ ହେଲା ପିଲାମାନେ କିଛି ଶିଖିପାରି ନାହାନ୍ତି। ୨୦୨୦ରେ ଏଲ୍‌କେଜିରେ ନାମ ଲେଖାଇବାକୁ ଥିବା ପିଲା ଯଦି ୨୦୨୧ରେ ଏଲ୍‌କେଜି ପଢ଼ିବେ ତେବେ ଗୋଟିଏ ବର୍ଷ ଡେରି ହେବ। ଆଉ ଯଦି ୨୦୨୧ରେ ସିଧାସଳଖ ୟୁକେଜିରେ ପିଲାଙ୍କୁ ପଢ଼ାଇବେ ତେବେ ଏଲ୍‌କେଜିରେ ପଢ଼ାଯିବାକୁ ଥିବା ପାଠ ସମ୍ପୂର୍ଣ୍ଣରେ ପିଲା ଜାଣିପାରିବେ ନାହିଁ। ୟୁଜେକି ଓ କ୍ଲାସ-୧ ମଧ୍ୟରେ ବି ସେଭଳି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଦ୍ବିତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ କିଛି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିଛନ୍ତି। ତେବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପିଲା ଗୋଟିଏ ବି କ୍ଲାସ କରିପାରି ନାହାନ୍ତି। ଆଉ କରିପାରିବେ କି ନାହିଁ ତାହାକୁ ନେଇ ଆଶଙ୍କା ରହିଛି। କାରଣ ଏପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର କୌଣସି ଠୋସ୍‌ ନିଷ୍ପତ୍ତି ନେଇନାହାନ୍ତି। ସରସ୍ବତୀ ପୂଜା ପରେ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଘୋଷଣା ହୋଇ ନାହିଁ। ଫେବ୍ରୁଆରି ୨୨/୨୩ରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ‌ଖୋଲିବା ଲାଗି ଏସ୍‌ଓପି ପ୍ରସ୍ତୁତ ହେଉଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରି ନାହିଁ। ଏସ୍‌ଓପିକୁ ଶେଷ ରୂପ ଦେଇ ବିଦ୍ୟାଳୟ ଖୋଲିବା ଗଣଶିକ୍ଷା ବିଭାଗ ପାଇଁ ଏବେ ଆହ୍ବାନ ସୃଷ୍ଟି କରିଛି। ଏସ୍‌ଓପି ନେଇ ରାଜ୍ୟ ସରକାର ଯଦି ଚଳିତ ସପ୍ତାହରେ କୌଣସି ଘୋଷଣା କରନ୍ତି ତେବେ ବି ଫେବ୍ରୁଆରିରେ ସ୍କୁଲ ଖୋଲିବା ସମ୍ଭାବନା କ୍ଷୀଣ।

ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହରେ ଛାତ୍ରଛାତ୍ରୀଙ୍କ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ। ସେହି ଅନୁଯାୟୀ ଦେଖିଲେ ୨୦୨୧-୨୨ ଶିକ୍ଷାବର୍ଷ ଆସନ୍ତା ଏପ୍ରିଲରୁ ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି। କାରଣ ସିଆଇଏସ୍‌ସିଇ, ସିବିଏସ୍‌ଇ ସମେତ ଅନ୍ୟ କେତେକ ରାଜ୍ୟ ବୋର୍ଡ ମଧ୍ୟ ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଘୋଷଣା କରି ସାରିଲେଣି। ତେଣୁ ଓଡ଼ିଶା ସରକାର ମଧ୍ୟ ସମାନ ପଦ୍ଧତ୍ତି ଆପଣାଇବେ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ଯଦି ବିଳମ୍ବିତ ହେବ ତେବେ ଓଡ଼ିଶାର ପିଲାମ‌ାନେ ପଛରେ ପଡ଼ିବେ। କାରଣ ଏପ୍ରିଲ ମାସ ଶେଷ ଆଡ଼କୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଉଥିବାରୁ ସମ୍ପୂର୍ଣ୍ଣ ମେ’ ମାସ ଓ ଜୁନ୍‌ ୧୫ ତାରିଖ ଯାଏ ସ୍କୁଲକୁ ଛୁଟି କରିବାକୁ ପଡ଼େ। ଏଥର ବି ଗ୍ରୀଷ୍ମ ପ୍ରବାହ ଲାଗି ସମାନ ପନ୍ଥା ଆପଣାଇବାକୁ ସ୍ଥିର ହୋଇଛି। ତାହାକୁ ନଜରରେ ରଖି ପ୍ରସ୍ତୁତି ଚାଲିଛି।

ଅନ୍ୟପକ୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍‌ କରାଇବାକୁ ଗଣଶିକ୍ଷା ବିଭାଗ ଯୋଜନା କରିଛି। ଅନ୍‌ଲାଇନ୍‌ରେ ଯେତିକି ଶିକ୍ଷା ଦିଆଯାଇଥାଉ ନା କାହିଁକି ସମସ୍ତ ଛାତ୍ରଛାତ୍ରୀ ପରବର୍ତୀ ‌ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ୨୦୨୦ରେ ଯେଉଁ ଢାଞ୍ଚାରେ ପିଲାଙ୍କୁ ପରବର୍ତୀ ଶ୍ରେଣୀକୁ ଉର୍ତ୍ତୀଣ୍ଣ କରାଗଲା ଏଥର ମଧ୍ୟ ତାହାକୁ ଆପଣାଯାଇପାରେ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗର ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର