ସର୍ବବୃହତ୍‌ ହକି ଷ୍ଟାଡିୟମର ଶିଳାନ୍ୟାସ

ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହେଲା ହକି ଷ୍ଟାଡିୟମ

୪,୯୧୫ କୋଟି ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ
ରାଉରକେଲା ଆଶାର ସହର: ମୁଖ୍ୟମନ୍ତ୍ରୀ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ସହ ସାରା ଓଡ଼ିଶା ବିକାଶରେ ରାଉରକେଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୨୦୦୦ ମସିହା ପରେ ରାଉର‌କେଲାର ଦ୍ରୁତ ବିକାଶ ଘଟୁଛି ଓ ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି। ଜୀବିକା ପାଇଁ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରୁ ଲୋକମା‌ନେ ରାଉରକେଲାକୁ ଆସିଥାନ୍ତି। ରାଉରକେଲା ହେଉଛି ଆଶାର ସହର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ଦେଶର ସର୍ବବୃହତ୍‌ ଅତ୍ୟାଧୁନିକ ହକି ‌ଷ୍ଟାଡିୟମ, ଜିଲ୍ଲାର ୧୭ ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ ନିର୍ମାଣର ଶିଳାନ୍ୟାସ ସହ ୪, ୯୧୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରାଉରକେଲା ଆସିଲେ ବିଜୁବାବୁଙ୍କ କଥା ସବୁବେଳେ ମନକୁ ଆସିଥାଏ। ରାଉରକେଲାରୁ ଓଡ଼ିଶା ଶିଳ୍ପ ବିକାଶର ମୂଳଦୂଆ ପଡ଼ିଥିଲା। ବିଜୁବାବୁ ଥିଲେ ଓଡ଼ିଶା ଶିଳ୍ପ ବିକାଶର ଜନକ। ସୁନ୍ଦରଗଡ ଜିଲ୍ଲାର ହକି ଖେଳାଳିମାନେ କେବଳ ଓଡ଼ିଶା ନୁହେଁ, ସାରାଦେଶର ଗୌରବ ବୃଦ୍ଧି କରିଛନ୍ତି। ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ଼ ମାଟି, ପାଣି ଓ ପବନ ସବୁଠି ହକିର ବାସ୍ନା ରହିଛି।

ଆଜି ସୁନ୍ଦରଗଡ଼ ହକି ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ପାଇଛି। ତେଣୁ ହକି ହେଉଛି ସୁନ୍ଦରଗଡ଼ର ସବୁଠୁ ବଡ଼ ପରିଚୟ। ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ।

ସେ ଆହୁରି ମଧ୍ୟ କହିଥିଲେ, ବେଲ୍‌ଜିୟମ୍‌, ଅଷ୍ଟ୍ରେଲିଆ, ମାଲେସିଆ ଭଳି ଦେଶକୁ ପଛରେ ପକାଇ ଆମ ଦେଶ ଭାରତ ୨୦୨୩ ବିଶ୍ବ ହକି ଆୟୋଜନ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଯେତେବେଳେ ଓଡ଼ିଶାରେ ପୁଣିଥରେ ବିଶ୍ବ ହକି ଖେଳିବାର ପ୍ରସ୍ତାବ ଆସିଲା, ସେତେବେଳେ ମନକୁ ପ୍ରଥମେ ରାଉରକେଲାର ନାଁ ଆସିଥିଲା। ତେଣୁ ସୁନ୍ଦରଗଡ଼ ହକି ପ୍ରେମୀଙ୍କ ପାଇଁ ଏହା ହେଉଛି ସବୁଠୁ ବଡ ଉପହାର। ୨୦୨୩ ହକି ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ହକି ଷ୍ଟାଡିୟମ କାମ ନିର୍ମାଣ ଶେଷ ହେବ। ଏଠାରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଷ୍ଟାଡିୟମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା। ଯୁବପିଢ଼ିଙ୍କ ପାଇଁ ଏହି ଷ୍ଟାଡିୟମ ସର୍ବଦା ପ୍ରେରଣା ହୋଇ ରହିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ ବଡ଼ବଡ଼ ସ୍ବପ୍ନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ସର୍ବଦା ବଡ଼ ବଡ଼ ସ୍ବପ୍ନ ଦେଖିବା ଓ ବଡ଼ବଡ଼ କାମ କରିବାର ପ୍ରୟାସ ଜାରି ରଖିଲେ, ଓଡ଼ିଆମାନେ ସବୁବେଳେ ଆଗରେ ରହିବେ। ମିସନ ଶକ୍ତିର ମା’ମାନେ ହେଉଛନ୍ତି ବିକାଶର ସାରଥୀ। ସୁନ୍ଦରଗଡ଼ ମିସନ ଶକ୍ତିର ଜଣେ ମା’ ହେଉଛନ୍ତି ଜୟନ୍ତୀ ଏକ୍କା। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ସେ ମହିଳାଙ୍କ ପାଇଁ ପ୍ରେରଣା ଉତ୍ସ ପାଲଟିଛନ୍ତି। ଶିକ୍ଷାକୁ ଆମ ସରକାର ସର୍ବଦା ଗୁରୁତ୍ବ ଦେଉଛନ୍ତି। ରାଜ୍ୟର ୬ ଲକ୍ଷ ଜନଜାତି ପିଲାଙ୍କ ଶିକ୍ଷାକୁ ପ୍ରାଥମିକତା ସରକାର ପ୍ରାଥମିକତା ଦେଉଛନ୍ତି। ଓଡ଼ିଶାରେ ୬୨ ପ୍ରକାର ଜନଜାତି ବାସ କରନ୍ତି। ସେମାନଙ୍କ ଭାଷା ଓ ସଂସ୍କୃତି ସ୍ବତନ୍ତ୍ର। ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଡେଭଲପ୍‌ମେଣ୍ଟ କାଉନସିଲ୍‌ ଗଠନ କରା ଯାଉଛି। ‘ହୋ ଓ ‘ମୁଣ୍ଡାରୀ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯାଇଛି। ୨୦୦୦ରେ ରାଜ୍ୟର ଯୋଜନା ବଜେଟ୍‌ ମାତ୍ର ୨୮୦୦ ‌କୋଟି ଥିଲା। ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଯାହାର ବିକାଶର ଧାରାକୁ ସୂଚାଉଛି।

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ବିଶ୍ବ ଦରବାରରେ ସୁନ୍ଦରଗଡ଼ ସ୍ବତନ୍ତ୍ର ସ୍ଥାନ ପାଇବାକୁ ଯାଉଛି। ଏହି ମାଟିରେ ୧୯୩୯ରେ ଆମ୍‌କୋ- ସିମ୍‌କୋରେ ୪୨ ଜଣ ସହିଦ ହୋଇଥିଲେ। ପଶ୍ଚିମ ଓଡ଼ିଶାର ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରାଥମିକତା ଦେଇଛନ୍ତି। ଅନୁଦାନ ପାଣ୍ଠି ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ବୋଲି କହିଥିଲେ। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ସୁନ୍ଦରଗଡ଼କୁ ବିଶ୍ବ ମାନଚିତ୍ରରେ ପ୍ରତିପାଦିତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଓଡ଼ିଶାର ବିକାଶ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳପଥ, କୋଇଡା, ଟେନସା ଆଦି ଖଣି ଅଞ୍ଚଳର ବିକାଶ ଯେମିତି ହେବା କଥା ସେମିତି ହୋଇପାରୁନାହିଁ ବୋଲି କହିଥିଲେ।

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସ୍ବାଗତ ଭାଷଣରେ ମୁଖ୍ୟମନ୍ତ୍ରୀ ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଉଛନ୍ତି ବୋଲି କହିଥିଲେ। କହିଥିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ପାଣ୍ଠି ୧ କୋଟିରୁ ଆଜି ୨୦୦ କୋଟିରେ ପହଞ୍ଚଛି। ମୁଖ୍ୟମନ୍ତ୍ରୀଙ୍କ ସଫଳ ଉଦ୍ୟମ ଯୋଗୁଁ ୨୦୨୩ରେ ରାଉରକେଲାର ନୂଆ ହକି ଷ୍ଟାଡିୟମରେ ହକି ବିଶ୍ବକପ୍‌ ଖେଳ ହେବାକୁ ଯାଉଛି। ଏହା ସୁନ୍ଦରଗଡ଼ବାସୀଙ୍କ ପାଇଁ ଗୌରବର ବିଷୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪,୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୬୨୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳ ସେଚନ, ୧୧୧ କୋଟିର ସ୍ୱାସ୍ଥ୍ୟ ସେବା, ୧୦୬୦ କୋଟିର ରାସ୍ତା ଘାଟ ବିକାଶ, ୩୬୬ କୋଟିର ଶିକ୍ଷା ପ୍ରକଳ୍ପ ରହିଛି। ଅନୁରୂପ ଭାବେ ୨୫୦ କୋଟିର ପରିମଳ , ୨୧୬ କୋଟିର ଜୀବିକା ବିକାଶ ଓ ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତ୍‌ଶକ୍ତି ଯୋଗାଣ, ୬୭ କୋଟିର ଭିତ୍ତିଭୂମି ବିକାଶ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପର ଲୋକାର୍ପଣ କିମ୍ବା ଶିଳାନ୍ୟାଦ କରାଯାଇଛି l ଶେଷରେ ଅନ୍ତର୍ଜାତୀୟ ହକି ଖେଳାଳି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ଧନ୍ୟବାଦ ଦେଇଥିଲେ। କ‌ାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ୫ଟି ସଚିବ ଭି.କେ. କାର୍ତ୍ତିକେୟନ ପାଣ୍ଡିଆନ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଏମ୍ମା ଏକ୍କା, ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଜିଲ୍ଲାର ୧୭ଟି ବ୍ଳକରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସଭାର ସିଧାପ୍ରସାରଣ କାର୍ଯ୍ୟକ୍ରମରେ ୧୭ ଜଣ ମନ୍ତ୍ରୀଙ୍କ ସମେତ ୭୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର