ଆଉ ୧୦ ଜିଲ୍ଲାରେ ଲାଗୁ ହେବ ଷ୍ଟୁଡେଣ୍ଟ- ଟ୍ରାଫିକ ଭଲ୍ୟୁଣ୍ଟର ବ୍ୟବସ୍ଥା
ଭୁବନେଶ୍ବର: ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲ୍ୟୁଣ୍ଟର୍ ବ୍ୟବସ୍ଥା କମିସନରେଟ୍ ପୁଲିସରେ ସଫଳ ହେବା ପରେ ଏବେ ରାଜ୍ୟର ଆଉ କିଛି ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ପୁଲିସ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମ ପଦକ୍ଷେପ ସ୍ବରୂପ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି। ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ଯୋଜନା ଲାଗୁ କରିବାକୁ ଥିବା ଜିଲ୍ଲାଗୁଡିକର ଏସ୍ପିମାନଙ୍କୁ ଅବଗତ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଦିନକୁ ଦିନ ଏସବୁ ସହରରେ ଟ୍ରାଫିକ୍ ସମସ୍ୟା ବଢ଼ି ଚାଲିଛି। ଯେଉଁ ଅନୁପାତରେ ଗାଡ଼ି ମୋଟର ଚାଲୁଛି ସେହି ସଂଖ୍ୟାରେ ଟ୍ରାଫିକ୍ କର୍ମଚାରୀ ନାହାନ୍ତି। ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ଦୁର୍ଘଟଣା ମଧ୍ୟ ସେହି ଅନୁସାରେ ବଢ଼ି ଚାଲିଛି। ସମ୍ପୃକ୍ତ ସହରଗୁଡିକରେ ଟ୍ରାଫିକ୍ ସମସ୍ୟା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। ତେଣୁ କମିସନରେଟ୍ ପୁଲିସରେ ଯେଭଳି ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲ୍ୟୁଣ୍ଟର୍ମାନେ ସହଯୋଗ କରୁଛନ୍ତି ସେହିଭଳି ସେହି ସହରଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କରିବେ। ପ୍ରତ୍ୟେକ ଦିନ ସେମାନେ ମାତ୍ର ୩ ଘଣ୍ଟା ଯେ କୌଣସି ଛକରେ ଠିଆ ହୋଇ ଟ୍ରାଫିକ୍ ପୁଲିସକୁ ସହଯୋଗ କରିବେ। ଏଥିପାଇଁ ସେମାନଙ୍କୁ ଜିଲ୍ଲାର ପୁଲିସ ମୁଖ୍ୟାଳୟରୁ ଏକ ଫର୍ମ ଆଣିବାକୁ ପଡ଼ିବ। ସେହି ଫର୍ମପୂରଣ କରିବା ପରେ କଲେଜ ଅଧ୍ୟକ୍ଷ ଦସ୍ତଖତ କରିବେ। ଏହି ଫର୍ମକୁ ପୁଲିସ ମୁଖ୍ୟାଳୟରେ ଜମା କରିବା ପରେ ସେମାନଙ୍କ ମଧ୍ୟରୁ ପୁଲିସ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାଛିବ। ସେମାନଙ୍କୁ ସ୍ୱତନ୍ତ୍ର ଡ୍ରେସ୍, ଟୋପି ଆଦି ମଧ୍ୟ ଯୋଗାଇ ଦିଆଯିବ। ପାରିଶ୍ରମିକ ବାବଦରେ ମାସକୁ ସେମାନେ ୩ ହଜାର ଟଙ୍କା ପାଇବେ। ଏହାଛଡ଼ା ସେମାନଙ୍କୁ ବୀମାଭୁକ୍ତ ମଧ୍ୟ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏସବୁ ଜିଲ୍ଲାରେ ପାଖାପାଖି ୪୨୦ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇବେ।