ରାଜ୍ୟରେ ନିଶା କାରବାରର ଭୟଙ୍କର ସ୍ଥିତି: ନିଶା ମାଫିଆଙ୍କ ଟାର୍ଗେଟରେ ଛାତ୍ର, ଯୁବକ

୧୦ ବର୍ଷରେ ନିଶାଖୋର ସଂଖ୍ୟା ୨ ଗୁଣ ବୃଦ୍ଧି, ଆଗକୁ ସ୍ଥିତି ବେକାବୁ ହୋଇପାରେ

କଟକ : ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକ ହେଉଛନ୍ତି ନିଶା ମାଫିଆଙ୍କର ଟାର୍ଗେଟରେ। ରାଜ୍ୟରେ ଏବେ ଲକ୍ଷେରୁ ଅଧିକ ଛାତ୍ରଯୁବକ କେବଳ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଏହି ବୟସର ଛାତ୍ରଯୁବକଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ। ଏହି ବୟସର ଛାତ୍ର ଓ ଯୁବକଙ୍କୁ ଫସାଇବା ପାଇଁ ନିଶା ମାଫିଆ ଏବେ ସାରାରାଜ୍ୟରେ ଜାଲ ବିଛାଇବାରେ ଲାଗିଛନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ବେକାର ଯୁବକଯୁବତୀ ନିଶା ମାଫିଆଙ୍କ ଜାଲରେ ଅଧିକରୁ ଅଧିକ ସଂଖ୍ୟାରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦ ଡାକି ଆଣୁଛି। କିନ୍ତୁ ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନଥିବାରୁ ଆଉ କିଛି ବର୍ଷ ମଧ୍ୟରେ ସ୍ଥିତି ବେକାବୁ ହେବା ଆଶଙ୍କା କରାଯାଉଛି।

nari.punjabkesari.in

ବିଭିନ୍ନ ନିଶା ସାମଗ୍ରୀ ମଧ୍ୟରୁ ସବୁଠୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ତା ପଛକୁ ଗଞ୍ଜେଇ ଏବଂ ତା ପରକୁ ରହିଛନ୍ତି ବ୍ରାଉନସୁଗାର ସେବନକାରୀ। ଏହି ତିନି ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍ ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ମଦ ପାଇଁ ନିଶା ମାଫିଆଙ୍କୁ କୌଣସି ଯୋଜନା ପ୍ରସ୍ତୁତ କରିବାକୁ ପଡୁନାହିଁ। ମଦ ବିକ୍ରି ପାଇଁ ସରକାରୀ ସ୍ତରରେ ଅନୁମତି ରହୁ ଥିବାରୁ ଏଥିରେ ସମସ୍ୟା ନାହିଁ। କିନ୍ତୁ ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ବଢାଇବାକୁ ନିଶା ମାଫିଆମାନେ ଯୋଜନାବଦ୍ଧ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗ୍ୟାଙ୍ଗ୍‌ ଗଢୁଛନ୍ତି। ଏବଂ ଏହି କାରବାର ବଢାଇବା ପାଇଁ ବିଭିନ୍ନ ସ୍କୁଲ୍, କଲେଜର ଛାତ୍ର ଏବଂ ଯୁବକମା‌ନଙ୍କୁ ଏଥିରେ ପ୍ରଥମେ ଅଭ୍ୟସ୍ତ କରାଇବାର ବିପଜ୍ଜନକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗଞ୍ଜେଇର ଚୋରା ଚାଲାଣ ଓଡ଼ିଶାର ଦକ୍ଷିଣାଞ୍ଚଳରୁ ହେଉଥିବା ବେଳେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ଏହାର ସେବନକାରୀଙ୍କ ସଂଖ୍ୟା ଅଧିକ ହାରରେ ବଢୁଛି। ସ୍କୁଲ, କଲେଜ ଅଞ୍ଚଳରେ ରହୁଥିବା ବିଭିନ୍ନ ଦୋକାନରେ ସିଗାରେଟ୍ ଆକାରରେ ଏହା ସହଜରେ ମିଳୁଛି। କିନ୍ତୁ ଗଲା ୧୦ ବର୍ଷ ଭିତରେ ବ୍ରାଉନସୁଗାର ମୂଲ୍ୟ ଦୁଇ ଗୁଣରୁ ଅଧିକ ବଢିଥିବା ବେଳେ ଏବେ ଏହି ନିଶାସେବନକାରୀ ସମସ୍ୟାରେ ପଡୁଛନ୍ତି।

Sambad

ବ୍ରାଉନସୁଗାର ମୁଖ୍ୟତଃ ଆଫଗାନିସ୍ତାନ, ପାକିସ୍ତାନ ପଟୁ ଭାରତକୁ ଆସୁଛି। କିନ୍ତୁ ବ୍ରାଉନସୁଗାରରେ ଥରେ ଅଭ୍ୟସ୍ତ ହୋଇଗଲେ ଠିକ୍‌ ସେହି ସମୟରେ ନିଶା ଖାଇବା ପାଇଁ ବ୍ୟକ୍ତି ପାଗଳ ଭଳି ଆଚରଣ କରିଥାଏ। ସେ ସମୟରେ ଯେ କୌଣସି ସ୍ତରକୁ ବି ସିଏ ଯାଇପାରେ। ତେଣୁ ବ୍ରାଉନସୁଗାରକୁ ଏବେ ସବୁଠୁ ବିପଜ୍ଜନକ ନିଶା ଭାବେ ଏବେ ବିଚାର କରାଯାଉଛି। ଯେହେତୁ ମାତ୍ର ୨୦ ମିଲିଗ୍ରାମ (ଗୋଟିଏ ପୁଡ଼ିଆ) ବ୍ରାଉନସୁଗାର ପାଇଁ ଏବେ ୪ଶହରୁ ୫ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି, ସେଥିପାଇଁ ଅପେକ୍ଷାକୃତ ଥିଲାବାଲା ଶ୍ରେଣୀର ଛାତ୍ର ଓ ଯୁବକ ଏହାକୁ ବ୍ୟବହାର କରୁଥିବା ବେଳେ ଏହି ନିଶା କବଳରେ ପଡୁଥିବା ଅନ୍ୟ ସାଧାରଣ ଛାତ୍ର, ଯୁବକ ନିଶା ଖର୍ଚ୍ଚ ଉଠାଇବା ପାଇଁ ଅପରାଧ କରିବାକୁ ପଛାଉ ନାହାନ୍ତି।

ରାଜ୍ୟରେ ଯେଉଁ ହାରରେ ନିଶା କାରବାର ବଢିବାରେ ଲାଗିଛି ତାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶିଷ୍ଟ ମନସ୍ତତ୍ବବିତ୍ ଡକ୍ଟର ସଂଗୀତା ରଥ। ଡକ୍ଟର ରଥ କହିଛନ୍ତି ଯେ, କିଶୋରାବସ୍ଥା ହେଉଛି ନିଶାପାଲରେ ପଡିବାର ସବୁଠୁ ସମ୍ବେଦନଶୀଳ ସମୟ। ଏହି ସମୟରେ ଜଣେ କିଶୋର ନିଜ ଇଚ୍ଛାରେ ବଂଚିବାକୁ ଚାହେଁ। ସ୍ବାଧୀନ ଭାବେ କିଛି କରିବାକୁ ଚାହେଁ। ନୂଆ ନୂଆ କଥା ପରୀକ୍ଷାନିରୀକ୍ଷା କରିବାକୁ ଚାହେଁ। ଏହିସମୟରେ ଗୋଷ୍ଠୀ ବା ସାଙ୍ଗମାନଙ୍କ ପ୍ରଭାବ ବହୁତ ଅଧିକ ରୁହେ। ନିଶାପାଲରେ ପଡିଥିବା ସାଙ୍ଗଙ୍କ ଥଟ୍ଟାତାମସାରେ ଜଣେ ନୂଆ ନୂଆ ନିଶା ଖାଇବାକୁ ଆରମ୍ଭ କରେ। ପରେ ସେଥିରେ ଅଭ୍ୟସ୍ତ ହୋଇଯାଏ। ଏବେ ଛାତ୍ରଛାତ୍ରୀଙ୍କୁ ଅଧିକ ସଚେତନ କରିବା ସହିତ ପାଠ୍ୟକ୍ରମରେ ନିହାତି ଭାବେ ଏ ପ୍ରସଙ୍ଗକୁ ସ୍ଥାନ ଦେବାର ସମୟ ଆସିଛି ବୋଲି ଡକ୍ଟର ରଥ କହିଛନ୍ତି।

ନିଶାନିବାରଣ ସଂଗଠନର କାର୍ଯ୍ୟକର୍ତ୍ତା ବିଶାଲ୍ ବେହେରା ବି ବର୍ତ୍ତମାନର ସ୍ଥିତିକୁ ‌ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀ ବେହେରା କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ଘରୋଇ ହିଂସାର ସବୁଠୁ ବଡ଼ କାରଣ ମଦ ନିଶା ବୋଲି କୁହାଯାଉଛି। କିନ୍ତୁ ଗଂଜେଇ ଓ ବ୍ରାଉନସୁଗାର ଖାଉଥିବା ବ୍ୟକ୍ତି ଅନେକ ସମୟ ଧରି ଚୁପ୍ ହୋଇଯାଏ। କିନ୍ତୁ ବ୍ରାଉନସୁଗାର ନିଶାରେ ଥରେ ପଡ଼ିଗଲେ ସେଥିରୁ ବାହାରିବା କଷ୍ଟ ହୋଇଯାଏ। ସେହି ସମୟରେ ଯଦି ବ୍ରାଉନସୁଗାର ନ ମିଳିବ, ତା’ହେଲେ ସଂପୃକ୍ତ ବ୍ୟକ୍ତି ସେ ସମୟରେ ଯାହା ବି କିଛି କରିପାରେ। ସେହି ସମୟକୁ ‘ତର୍କି’ ବୋଲି କୁହାଯାଏ। ଦେହହାତ ଥରିବା, ପାଗଳ ଭଳି ଆଚରଣ କରିବା ସହ ସେହି ସମୟରେ ସେ କାହାକୁ ହତ୍ୟା ବି କରିପାରେ। ତେଣୁ ନିଶାଖୋର ବ୍ୟକ୍ତିକୁ ନିଶା ଛଡ଼ାଇବାର ଯେଉଁ ଯୋଜନା ଚାଲିଛି; ତାହା ବଦଳରେ ଜଣେ ବ୍ୟକ୍ତି କିଭଳି ଏଭଳି ନିଶା କବଳରେ ନ ପଡ଼ିବ, ସେ ଦିଗରେ ଚିନ୍ତା କରିବାର ସମୟ ଆସିଛି ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର