୧୯ ବର୍ଷ ପରେ ବି ଓଡ଼ିଶା ମଣ୍ଡିରେ ମିଲର୍ସ ରାଜ୍‌

ଛତିଶଗଡ଼ରେ ୧୩୦୦ ଧାନ ଗୋଦାମ, ଓଡ଼ିଶାରେ ଗୋଟିଏ ବି ନାହିଁ

ଭୁବନେଶ୍ବର : ଧାନ ସଂଗ୍ରହ ପାଇଁ ଦୁଇ ରାଜ୍ୟର ଚାଷୀଙ୍କ ନାଁରେ ସମାନ ପରିମାଣର ଟଙ୍କା ଆସୁଛି। ଉଭୟ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ ରାଜ୍ୟ ସରକାର ଧାନ ସଂଗ୍ରହ କରୁଛନ୍ତି। ବ୍ୟତିକ୍ରମ ହେଲା, ଛତିଶଗଡ଼ରେ ୧୩୦୦ଟି ବଡ଼ ଧାନ ସଂରକ୍ଷିତ ଗୋଦାମ ରହିଥିବା ବେଳେ ଓଡ଼ିଶାରେ ଗୋଟିଏ ବି ନାହିଁ। ଓଡ଼ିଶାରେ ଧାନ ସଂଗ୍ରହ‌ରେ ମିଲର୍ସରାଜ୍‌ର ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି। ଗତ ୧୯ ବର୍ଷ ମଧ୍ୟ‌ରେ ଧାନ ସଂଗ୍ରହ ଓ ଚାଉଳ ଉତ୍ପାଦନ ବାବଦରେ ସରକାର ୪୯ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ଧାନ ବିକ୍ରି ବ୍ୟବସ୍ଥା‌‌ରେ ମିଲ୍‌ ମାଲିକ ସର୍ବେସର୍ବା ହୋଇ ରହିଛନ୍ତି।

ଧାନ ସଂଗ୍ରହ ବ୍ୟବସ୍ଥା ଅନୁଯାୟୀ, ଧାର୍ଯ୍ୟ ଅବଧି ମଧ୍ୟରେ ପଞ୍ଜିକୃତ ଏବଂ ଟୋକନ୍‌ପ୍ରାପ୍ତ ଚାଷୀ ମଣ୍ଡିକୁ ଆସିବେ। ଆଖି ସ୍କାନିଂ, ଓଜନ ଏବଂ ପରୀକ୍ଷଣ ପରେ ମଣ୍ଡିରେ ଧାନ ବିକ୍ରି କରି ଚାଲିଯିବେ। ୩ ଦିନରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ। ଦେଖିବାକୁ ଗଲେ, ଏହା ସରକାର ଓ ଚାଷୀଙ୍କ ମଧ୍ୟରେ ଦ୍ବିପାକ୍ଷିକ କାରବାର। ପ୍ରତ୍ୟେକ ଟୋକନ୍‌ପ୍ରାପ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ସରକାର ବାଧ୍ୟ। ଏଥିରେ ମିଲ୍‌ ମାଲିକ କିମ୍ବା କୌଣସି ତୃତୀୟପକ୍ଷଙ୍କ ଭୂମିକା ହିଁ ନାହିଁ। କିନ୍ତୁ ବାସ୍ତବତା ଭିନ୍ନ। ମିଲ ମାଲିକମାନେ ଏତେ ଶକ୍ତିଶାଳୀ ଯେ ସେମାନେ ଚାହିଲେ ଗୋଟିଏ ଦିନରେ ଧାନ ବିକ୍ରି ବ୍ୟବସ୍ଥାକୁ ଠପ୍ କରି ଦେଇପାରନ୍ତି। ଧାନ କ୍ରୟ ନେଇ ସରକାରଙ୍କ ସହ ଚୁକ୍ତିନାମା ପରେ ବି ମିଲ୍‌ ମାଲିକ ଧାନ ନ କିଣିଲେ, ଚାଷୀର ଧାନ ଦିନ ଦିନ ଧରି ମଣ୍ଡିରେ ପଡ଼ିଯାଏ। ଫଳରେ କେତେବେଳେ ଟୋକନ୍‌ ଲାପ୍ସ ହୋଇଯାଏ ତ ଆଉ କେତେବେଳେ ମଣ୍ଡି, ମିଲ୍‌ ମାଲିକଙ୍କ ଟାର୍ଗେଟ୍‌ ସରିଯାଏ। ଅଧିକାଂଶ ସମୟରେ ମିଲ୍‌ ମାଲିକ ମଣ୍ଡିକୁ ଆସୁ ନଥିବାରୁ ଚାଷୀ ଧାନ ବିକ୍ରି ପାଇଁ ମିଲକୁ ଯାଏ। ଏହି ସମୟରେ ଧାନର ମାନ ଏବଂ ବିକ୍ରି ନେଇ କେତେ ଅସମ୍ମାନିତ ଏବଂ ଅପମାନିତ ହୁଏ, କେବଳ ଭୁକ୍ତଭୋଗୀ ହିଁ କହିପାରେ। ମିଲ ମାଲିକଙ୍କ ଗୁଣ୍ଡା ଦ୍ବାରା ଆକ୍ରମଣର ଶିକାର ଭଳି ଘଟଣାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

୪୯ ହଜାର କୋଟି ଖର୍ଚ୍ଚ ପରେ ବି ଚାଷୀ ଅପମାନିତ, ଶୋଷିତ

ଯେଉଁ ଚାଷୀ ଚାଉଳରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରାଇଛି, ସେହି ଚାଷୀଙ୍କୁ ଧାନ ବିକ୍ରି ପାଇଁ ଏଭଳି ଅପମାନିତ ହେବାର କାରଣ ହେଲା ସଂରକ୍ଷିତ ଧାନ ଗୋଦାମ ଗୃହର ଅଭାବ। ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସମାନ ଢାଞ୍ଚାରେ ଧାନ ସଂଗ୍ରହ କରନ୍ତି। ଛତିଶଗଡ଼ରେ ବ୍ୟାପକ ଧାନ ଗୋଦାମ ଥିବାରୁ ମିଲ ମାଲିକ ଧାନ ନ କିଣିଲେ, ଧାନକୁ ଗୋଦାମରେ ସଂରକ୍ଷିତ କରି ରଖାଯାଇଥାଏ। କିନ୍ତୁ ଓଡ଼ିଶାରେ ସେ ବ୍ୟବସ୍ଥା ନାହିଁ। ବିଭିନ୍ନ ମଣ୍ଡିରେ ସମୁଦାୟ ୧୮୬୩ଟି ଗୋଦାମ ଥିଲେ ମଧ୍ୟ ଏହାର କ୍ଷମତା ମାତ୍ର ୩ ଲକ୍ଷ ୪୯ ହଜାର ୭୦୫ ମେଟ୍ରିକ୍‌ ଟନ୍‌। ସେଥିରେ ପୁଣି ୧୨୪୨ଟି ମଣ୍ଡିରେ ଗୋଦାମ ଗୃହ ହିଁ ନାହିଁ।

ବିଶେଷଜ୍ଞଙ୍କ କହିବାନୁସାରେ, ମଣ୍ଡିଗୁଡ଼ିକରେ ପ୍ରତିଦିନ ଯେତେ ଧାନ ସଂଗ୍ରହ ହୁଏ, ସେହି ଅନୁଯାୟୀ ଏହି ଗୋଦାମ ଗୃହର ନିର୍ମାଣ କରାଯାଇନାହିଁ। ଏଠାରେ କେବଳ ଗୋଟିଏରୁ ଦୁଇ ଦିନ ପାଇଁ କିଛି ଧାନ ସଂରକ୍ଷିତ କରି ରଖାଯାଇପାରିବ। ଥରେ ଧାନ କ୍ରୟ ହେଲେ, ତାହାକୁ ମିଲ୍‌ ମାଲିକଙ୍କ ପାଖକୁ ପଠାଇବା ବ୍ୟତୀତ ଆଉ କିଛି ବାଟ ନାହିଁ। କିନ୍ତୁ ମିଲ୍‌ ମାଲିକ ଗ୍ରହଣ ନକଲେ, ଏତେ ପରିମାଣର ଧାନ ରଖିବା ପାଇଁ ଓଡ଼ିଶାରେ ଜାଗା ହିଁ ନାହିଁ। ଏଥିଯୋଗୁଁ ଓଡ଼ିଶା ସରକାର ମିଲ୍‌ ମାଲିକଙ୍କ ଉପରେ ନିର୍ଭରଶୀଳ। ୧୯ବର୍ଷରେ ମଧ୍ୟ ଗୋଦାମ ଗୃହ ନିର୍ମାଣରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ଦ୍ବିତୀୟରେ ମିଲ୍‌ରେ ସାଇଣ୍ଟିଫିକ୍‌ ଗୋଦାମ ଗୃହର ବ୍ୟବସ୍ଥା ହେବା ଉଚିତ। ଗୋଦାମଗୁଡ଼ିକର ଷ୍ଟ୍ରାକ୍‌ ଏଭଳି ହେବା ଉଚିତ ଯେ ଧାନ କାନ୍ଥକୁ ଲାଗି ରହିବ ନାହିଁ। ସାଇଣ୍ଟିଫିକ୍‌ ଗୋଦାମ ଗୃହରେ ଧାନ ରହିଲେ, ଚାଉଳ ଗୁଣାତ୍ମକ ମାନ ଠିକ୍‌ ରୁହେ। ମାତ୍ର ମିଲଗୁଡ଼ିକରେ ଗୋଦାମ ସାଇଣ୍ଟିଫିକ୍‌ ନଥିବାରୁ ଚାଉଳର ଗୁଣାତ୍ମକ ମାନ ଠିକ୍‌ ରହୁ ନାହିଁ। ଏହାକୁ ନେଇ ଏଫ୍‌ସିଆଇ ଅନେକ ସମୟରେ ପ୍ରଶ୍ନ ମଧ୍ୟ କରୁଛି। ଏତେ ଟଙ୍କା ଖର୍ଚ ପରେ ବି ପିଡିଏସ୍‌ରେ ନିମ୍ନମାନର ଚାଉଳ ବିକ୍ରି ହେଉଛି। ଧାନ ଗୋଦାମ ନିର୍ମାଣ କରିଦେଲେ, ମିଲ ମାଲିକଙ୍କ ବ୍ଲାକମେଲ୍‌ରୁ ଉଭୟ ସରକାର ଏବଂ ଚାଷୀଙ୍କୁ ମୁକ୍ତି ମିଳନ୍ତା। କିନ୍ତୁ କାହିଁକି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଯୋଗାଣ ନିଗମ ପକ୍ଷରୁ ମଧ୍ୟ ଓଡ଼ିଶାରେ ସଂରକ୍ଷିତ ଧାନ ଗୋଦାମ ନ ଥିବା ସ୍ବୀକାର କରାଯାଇଛି। ଧାନ ରଖିବା ଏବଂ ମିଲିଂ ପାଇଁ ମିଲ ଉପରେ ସରକାର ନିର୍ଭରଶୀଳ ଥିବାରୁ ଗୋଦାମ କରାଯାଉନଥିବା ଯୋଗାଣ ନିଗମ କହିଛି।

ସମ୍ବନ୍ଧିତ ଖବର