ଝଝାଙ୍ଗ ପୋଲ ନିର୍ମାଣ ନୋହିଲା, ପାଣି ସୁଅରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

କୁତ୍ରା : କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତ ଅନ୍ତର୍ଗତ ଝିରପାଣି ମଝାପଡା ଲଗାଣ ବର୍ଷାରେ ଜଳ ବନ୍ଦୀ ଅବସ୍ଥାରେ ରହିଛି। ଗ୍ରାମକୁ ଯିବା ପାଇଁ ଝଝାଙ୍ଗ ପୋଲ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ଅଣ୍ଟାଏ ପାଣି ଭିତରେ କିରିଙ୍ଗସେରା ବିଦ୍ୟାଳୟ ଓ ଗୌଟିଆ ପଡା ଅଙ୍ଗନବାଡିକୁ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ଭୋଟ ବର୍ଜନ କରିବା ନେଇ ‘ସମ୍ବାଦ’ରେ ପ୍ରଥମେ ପ୍ରକାଶିତ ହେବା ପରେ ପ୍ରଶାସନ ଗ୍ରାମବାସୀଙ୍କୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଭୋଟରେ ଅଂଶଗ୍ରହଣ କରିଥିଲେ। ତେବେ ନିର୍ବାଚନ ପରେ ୪ ମାସ ବିତିଯାଇଥିଲେ ମଧ୍ୟ ଏହା ନାଲିଫିତା ତଳେ ବନ୍ଧା ପଡିଛି। ୪ ଟି ଗ୍ରାମବାସୀ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ପାଖାପାଖି ୧୦୦୦ ଲୋକ ଏହି ଅସୁବିଧା ଭୋଗୁଛନ୍ତି। ଝିରପାଣି ମଝାପଡା, ନୂଆଗାଁ, କାଦୋପାଣି, ଝାଡଖଣ୍ଡ ପ୍ରଭୃତି ଗ୍ରାମ ଗୁଡିକ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା କଥା ହେଲା ୧୯୯୮ ମସିହାରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ଆଇଟିଡିଏ ତରଫରୁ  ମଝାପଡା ନାଳରେ ପୋଲ ନିର୍ମାଣ ପାଇଁ ବ୍ୟୟ ବରାଦ କରାଯାଇଥିଲା। ଦାୟିତ୍ୱ ରେ ଥିବା ଯନ୍ତ୍ରୀ ଓ ଠିକାଦାର ଉକ୍ତ ସ୍ଥାନରେ ବାଲି, ମେଟାଲ୍, ଚିପସ୍ ଆଦି ନିର୍ମାଣ ସାମଗ୍ରୀ ପକାଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ପୋଲ ନିର୍ମାଣ ହୋଇ ନଥିବା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଥିବା ବେଳେ ନାଳ ଅପର ପାର୍ଶ୍ବରେ କରାଙ୍ଗସେରା ଉଚ୍ଚ ବିଦ୍ୟାଳୟ ଓ ଗୌଟିଆପଡାରେ ଅଙ୍ଗନବାଡି ରହିଛି। ବର୍ଷାଦିନରେ ଛାତ୍ରଛାତ୍ରୀ ବିନା ପୋଲରେ ପାଣି ଭିତରେ ଯିବାକୁ ପଡୁଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ୩ ଦିନ ୪ ଦିନ ବିଦ୍ୟାଳୟ ଯାଇ ପାରନ୍ତି ନାହିଁ। ଗୁରୁତର ଅସୁସ୍ଥଙ୍କୁ ମଧ୍ୟ ରାସ୍ତା ନଥିବାରୁ ଖଟରେ ବୁହାହୋଇ ଯାଇଛି। ତେବେ ଏହି ନାଳରେ ଏଯାଏଁ  ପୋଲ ନିର୍ମାଣ ହୋଇପାରିନାହିଁ। ଆମ ବିକାଶର ଅଗ୍ରଗତି ଏହି ଝଝାଙ୍ଗ ପୋଲ ବୟାନ କରୁଛି। ଜିଲ୍ଲା  ପ୍ରଶାସନ ତୁରନ୍ତ ଏଦିଗରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର