ସୁବର୍ଣ୍ଣରେଖା ନଦୀ ବାଲି ଚୋରାଚାଲାଣ ପ୍ରସଙ୍ଗ : ଅନ୍ତଃରାଜ୍ୟ ସୀମାନିର୍ଧାରଣ ପାଇଁ ଯୁଗ୍ମ କମିଟି

ନଦୀ ପୁନରୁଦ୍ଧାର ନେଇ ବି ‌ହେବ କମିଟି, ଓଡ଼ିଶା ନାଁ ଦେଲା, ପଶ୍ଚିମବଙ୍ଗକୁ ଅପେକ୍ଷା

ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀର ସୀମା ନିର୍ଧାରଣ ନେଇ ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯିବ। ଓଡ଼ିଶା ତରଫରୁ ଲ୍ୟାଣ୍ଡ ରେକର୍ଡସ ନିର୍ଦେଶକ, ରାଜସ୍ବ ବିଭାଗ ଅଧିକାରୀ, ବାଲେଶ୍ବର ଜିଲ୍ଲାପାଳ ଏହି କମିଟିରେ ରହିବେ। ପଶ୍ଚିମବଙ୍ଗ ସରକାର ମଧ୍ୟ ଖୁବ୍ ଶୀଘ୍ର ଜଣାଇବେ, କେଉଁ ଅଧିକାରୀମାନଙ୍କୁ ଏହି କମିଟିରେ ରଖାଯିବ। ଯୁଗ୍ମ କମିଟି ଘୋଷଣା ପରେ ସୀମା ନିର୍ଧାରଣ କାର୍ଯ୍ୟ ହାତକୁ ନିଆଯିବ।

ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ବାଲି ଖନନର ପ୍ରଭାବ ଆକଳନ ଏବଂ ନଦୀର ସ୍ଥିତି ଅନୁଧ୍ୟାନ ଉଭୟ ରାଜ୍ୟ ମିଳିତ ଭାବେ କରିବେ।

ସୁବର୍ଣ୍ଣରେଖା ନଦୀ ବାଲି ଚୋରା ଚାଲାଣ ପ୍ରସଙ୍ଗ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ଆଦେଶକୁ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାର କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ଦିଗରେ କି ଅଗ୍ରଗତି ହୋଇଛି ସେ ସଂକ୍ରାନ୍ତରେ ଅନୁଧ୍ୟାନ ଲାଗି ଆଜି ବୈଠକ ବସିଥିଲା। ସମୀକ୍ଷା କାଳରେ ନଦୀ ଶଯ୍ୟା‌ର ଆନ୍ତଃରାଜ୍ୟ ସୀମା ନିର୍ଧାରଣ ସମେତ କିଛି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯୋଜନା ହାତକୁ ନିଆଯିବା ସଂପର୍କରେ ଆଲୋଚନା ହୋଇଥିଲା।

ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ନଦୀ କୂଳରୁ ବାଲି ଖନନ ଓ ଚୋରା ଚାଲାଣ ଚାଲିଥିବାରୁ ନଦୀ ଉପରେ କି ପ୍ରତିକୂଳ ପ୍ରଭାବ ପଡ଼ିଛି ତା’ର ଅନୁଧ୍ୟାନ କରିବା ସହିତ ନଦୀର ପୁନରୁଦ୍ଧାର ଯୋଜନା କରିବାକୁ ଏନ୍‌ଜିଟି ଉଭୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଣୁ ସ୍ଥିର େହାଇଛି, ଉଭୟ ରାଜ୍ୟ ମିଳିତ ଭାବେ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏଥିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବାହ୍ୟ ସଂସ୍ଥାର ବିଶେଷଜ୍ଞ ପ୍ରମୁଖଙ୍କୁ ନିଆଯିବ। ସେମାନେ ନଦୀର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ରିପୋର୍ଟ ପ୍ରଦାନ କରିବେ। ଓଡ଼ିଶା ତରଫରୁ ଜଙ୍ଗଲ ଓ ପରିବେଶ ବିଭାଗ ବିଶେଷଜ୍ଞ କମିଟି ଗଠନ କରି ପ୍ରତିପକ୍ଷ ପଶ୍ଚିମବଙ୍ଗ ବିଭାଗକୁ ଜଣାଇବେ।

ଏନ୍‌ଜିଟି ଆଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ବାଲି ଖନନ ଓ ଚାଲାଣ ପାଇଁ ଲିଜ୍‌ ପ୍ରଦାନ କ୍ଷେତ୍ରରେ ପରିବେଶ ମଞ୍ଜୁରି ‌ସର୍ତମାନ କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ନେଇ ଲିଜ୍‌ଗୁଡ଼ିକ ଯାଞ୍ଚ କରିବାକୁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦେଶ ଦେଇଥିଲେ।

ଉଭୟ ରାଜ୍ୟର କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ଏନ୍‌ଜିଟି ଝାଡଖଣ୍ଡର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତିି। ତାଙ୍କୁ ଓଭରସାଇଟ୍‌ ଅଥରିଟି ଭାବେ ବିଚାର ବିଭାଗୀୟ କମିସନ୍‌ଙ୍କ କ୍ଷମତା ନ୍ୟସ୍ତ କରାଯାଇଛି। ତାଙ୍କର ଓଡ଼ିଶା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦେବାକୁ ମୁଖ୍ୟ ସଚିବ କହିଥିଲେ।

ସମ୍ବନ୍ଧିତ ଖବର