୫କୋଟି ଟଙ୍କା ମୂଳଧନ, ୧୦୦୦ ଲୋକ ନିଯୁକ୍ତି ପାଇଥିଲେ
ଅଧାବାଟରୁ ହାତ ଛାଡ଼ିଦେଲେ ରାଜ୍ୟ ସରକାର
ଏବେ କାମ କରୁଛନ୍ତି ୫୦ ଜଣ, ମଝିରେ ମଝିରେ ବନ୍ଦ
ସୋନପୁର : ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଶିଳ୍ପ ହେଉଛି ‘ସ୍ପିନିଂ ମିଲ୍’ ବା ସୂତାକଳ। ଏହା ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ। ମାତ୍ର, ବିଭିନ୍ନ ସମୟରେ ପରିଚାଳନାଗତ ତ୍ରୁଟି ପାଇଁ ବନ୍ଦ ହେବାପରେ ପୁଣିଥରେ ଯେତେଥର ଉଠିବାକୁ ଚେଷ୍ଟା କରୁଛି ଉଠିପାରୁନି। ରାଜ୍ୟ ସରକାର ଥରେ ହାତ ଛାଡ଼ିଦେବା ପରେ ସୂତାକଳର ନାଁ ବଦଳିଛି ମାତ୍ର ଭାଗ୍ୟ ବଦଳିନି। ଯେଉଁ ଦୁର୍ଦ୍ଦିନରେ ଥିଲା, ଠିକ୍ ସେହି ଅବସ୍ଥାରେ ରହିଯାଇଛି।
୧୯୮୨ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ସୂତାକଳ ପ୍ରତିଷ୍ଠା ହୋଇଥିଲା। ଅଳ୍ପ ମୂଳଧନ ଅର୍ଥାତ୍ ୫କୋଟି ଟଙ୍କାରେ ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି କରାଯାଇପାରିଥିଲା। ଏହି ଶିଳ୍ପସଂସ୍ଥା ଠିକ୍ଭାବେ ଚାଲୁଥିଲାବେଳେ କିଛି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କ୍ରମଶଃକ୍ଷତି ଆଡ଼କୁ ଗତିକଲା। ପ୍ରଥମେ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ଏହାର ପରିଚାଳନା ଦାୟିତ୍ବରେ ରହିଥିଲା। ମାତ୍ର, ୧୯୯୦ ମସିହା ଏପ୍ରିଲ୍ ମାସରେ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ଏବିଏସ୍ ନାମକ ଏକ ନୂଆ କମ୍ପାନି ହାତକୁ ଦେଇଦେଲେ। କୁହାଯାଇଥିଲା ଯେ ପରିଚାଳନାଗତ ସୁବିଧା ଏବଂ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ଏହି କମ୍ପାନି କାର୍ଯ୍ୟ କରିବ। ହଠାତ୍ ୧୯୯୨ ଅଗଷ୍ଟ ମାସରେ ସୋନପୁର ସହିତ ବାରିପଦା, ଆସ୍କା ସୂତାକଳ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ, କର୍ମଚାରୀ ଏବଂ ଶ୍ରମିକ ମାନଙ୍କ ତୀବ୍ର ବିରୋଧ ଫଳରେ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା। ବିକ୍ରି ସିନା ହୋଇପାରିଲାନି, ଶିଳ୍ପ ଉନ୍ନୟନ ନିଗମ ଯେଉଁ ଆର୍ଥିକ ସହାୟତା ଯୋଗାଉଥିଲା ତାହା ବନ୍ଦ କରିଦେଲା। ଯେଉଁଥିପାଇଁ ଦିନକୁ ଦିନ ଉତ୍ପାଦନ ହ୍ରାସ ପାଇବା ସହିତ ଶ୍ରମିକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଲେ। ଶେଷରେ, ଏହାକୁ ରୁଗ୍ଣ ଶିଳ୍ପ ବୋଲି ଘୋଷଣା ମଧ୍ୟ କରିଦିଆଗଲା।
ଏହାପରେ ଇଣ୍ତଷ୍ଟ୍ରିଆଲ ବ୍ୟାଙ୍କ ଅଫ୍ ଇଣ୍ତିଆକୁ ଅପରେଟିଂ ଏଜେନ୍ସି ରୂପେ ନିଯୁକ୍ତି ଦିଆଗଲା। ପରବର୍ତ୍ତୀ ସମୟରେ ଆଡିବିଆଇ ବମ୍ବେ ଟେକ୍ସଟାଇଲ ରିସର୍ଚ ଆସୋସିଏସନ (ବିଟିଆର୍ଏ)କୁ ୩ଟି ମିଲ୍ର କାରିଗରୀ ଏବଂ ଅର୍ଥନୈତିକ ଦୃଷ୍ଟି ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ବିଟିଆରଏ ଅନୁସନ୍ଧାନ କରି ରିପୋର୍ଟ ଦେଲେ ଯେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଗଲେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। କିନ୍ତୁ, ଏହି ରିପୋର୍ଟକୁ ସେହି ସମୟରେ ଗୁରୁତ୍ବ ଦିଆଯାଇନଥିଲା। ଏବିଏସ କର୍ତ୍ତୃପକ୍ଷ ସରକାରଙ୍କୁ ଅବଗତ କରାଇଥିଲେ ଯେ ୩୧.୩.୨୦୦୧ ସୁଦ୍ଧା ଯଦି ୧୪.୫ କୋଟି ଟଙ୍କା ଦିଆନଯାଉଛି ତେବେ ଅର୍ଥଲଗାଣକାରୀ ସଂସ୍ଥାମାନେ ସେମାନଙ୍କର ମୂଳଧନ ଏବଂ ସୁଧ ବାବଦକୁ ୬୦ କୋଟି ଟଙ୍କା ଦାବି କରିବେ। ବିଦ୍ୟୁତ ଦେୟ ୩୦ କୋଟିକୁ ମିଶାଇଲେ ସମୁଦାୟ ୯୦ କୋଟି ସରକାରଙ୍କୁ ଦେବାକୁ ପଡ଼ିବ। ଏହାଛଡ଼ା ଏହି ତିନୋଟି ସୂତାକଳ ବନ୍ଦ ହୋଇଯିବ। ତେଣୁ ପରିଶୋଧ ବାବଦକୁ ୧୪.୫ କୋଟି ଟଙ୍କା, ତିନିଟି ମିଲ୍ର ପୁନର୍ବିନ୍ୟାସ ପାଇଁ ୨ କୋଟି ଟଙ୍କା ହିସାବରେ ୬ କୋଟି ଟଙ୍କା ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ।
୧୯୯୨ ରୁ ୨୦୦୧ ପର୍ଯ୍ୟନ୍ତ ସୋନପୁର ସ୍ପିନିଂ ମିଲ୍କୁ କେକେ ସ୍ପିନର, ଓଏସଏମ,ଏଚ୍ଆର ଇଣ୍ଟରନ୍ୟାସନାଲ ଗୁହାଟିଆ, ଓଡିଏମପିଏଲ ନାମକ ସଂସ୍ଥା ସହିତ ରାଜିନାମା କରାଯାଇ ମିଲ୍କୁ ଚଳାଇ ଦିଆଗଲା। ବିଦ୍ୟୁତ ଦେୟ, ଦରମା ଅନ୍ୟାନ୍ୟ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବା ବେଳେ କନଭର୍ସନ ରେଟ୍ କମିଥିଲା। ଫଳସ୍ବରୁପ କନଭର୍ସନ ରାଜିନାମା କରିବାରୁ ବେପାରୀର ଲାଭ ହେଲା। କିନ୍ତୁ ସୋନପୁର ସ୍ପିନିଂ ମିଲ୍ର ଦୁରବସ୍ଥା ଦିନକୁଦିନ ଖରାପ ଆଡକୁ ଗତିକଲା। ଉତ୍ପାଦନ ତୁଳନାରେ ଯେତିକି ଆୟ ହେବା କଥା ହେଲାନାହିଁ। ଏହାଫଳରେ ଶ୍ରମିକମାନେ ଠିକ ସମୟରେ ଦରମା ପାଇଲେ ନାହିଁକି ବିଦ୍ୟୁତ ଦେୟ ମଧ୍ୟ ପୈଠ ହୋଇପାରିଲା ନାହିଁ। ବିଦ୍ୟୁତ ଦେୟ ବଢ଼ିବଢ଼ି ୧ କୋଟି ୨୦ ଲକ୍ଷରେ ପହଞ୍ଚିବା ଫଳରେ ବିଦ୍ୟୁତ ସଂଯୋଗ ଉକ୍ତ ମିଲକୁ ବିଦ୍ୟୁତ୍ ବିଭାଗ ବିଚ୍ଛିନ୍ନ କରିଦେଲେ। ଫଳସ୍ବରୁପ ୨୦୦୧ରେ ସ୍ପିନିଂ ମିଲ୍ଟି ବନ୍ଦ ହୋଇଯାଇଥିଲା।
ଏହାପୂର୍ବରୁ ୧୯୯୯ ମସିହାରେ ମଧ୍ୟ ୮ ମାସ ଏହି ସ୍ପିନଂ ମିଲ୍ଟି ବନ୍ଦ ରହିଥିଲା। ୨୦୦୭ରେ ବେସରକାରୀ ପ୍ରତିଷ୍ଠାନ କୋଲକାତାର ତତ୍କାଳୀନ ଫିରୋଜା ସ୍ପିନିଂ ମିଲର ମାଲିକ ବିଜୟ ଅଗ୍ରୱାଲଙ୍କୁ ଦାୟିତ୍ବ ଦିଆଗଲା। ଏହାର ୩ ବର୍ଷ ପରେ ୨୦୧୦ରେ ଏହା କାର୍ଯ୍ୟାରମ୍ଭ କରିବା ସହିତ ଉତ୍ପାଦନ ଆରମ୍ଭ କଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ବାଲାଜୀ ଗଣପତି ସ୍ପିନିଂ ମିଲ୍’ ରଖାଯାଇଛି। ଏବେ ପ୍ରାୟ ୫୦ ଜଣ ଶ୍ରମିକରେ ଏହା କାମ କରୁଛି। ଗତ ବର୍ଷ ମଧ୍ୟ ପ୍ରାୟ ୧୧ ମାସ କାଳ ଏହି ସ୍ପିନିଂ ମିଲ ବନ୍ଦ ରହିଥିଲା। ବିଭିନ୍ନ ସମୟରେ ସ୍ପିନିଂ ମିଲ ବନ୍ଦ ରହିବା ଏହାର ଦୁର୍ଦ୍ଦିନକୁ ସ୍ପଷ୍ଟ କରୁଛି।