ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଆଙ୍କ ସଫଳତା କମୁଛି

ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ କିଏ ଫେଲ୍ କଲା?

ଭୁବନେଶ୍ବର : ଓଡ଼ିଆ ପିଲା ଆଇଏଏସ୍, ଆଇପିଏସ୍ ଅଫିସର ହେବେ। ଏମିତି ଗୋଟିଏ ବଡ଼ ସ୍ବପ୍ନ ଦେଖାଇ ରାଜ୍ୟ ସରକାର ୨୦୧୬-୧୭ରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେତେବେଳେ ଏହି ଖବରଟି ବିଭିନ୍ନ ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇଥିଲା। ଆଜି ଯେତେବେଳେ ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଉଛି, ସେବେ ଏହାକୁ ନିରେଖି ଦେଖିଲେ, ଜଳ ଜଳ ହୋଇ ଦିଶୁଛି ଯେ ୬ବର୍ଷ ତଳର ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଇତିମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ବିଭିନ୍ନ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମୋଡ଼ିମକଚି ଦେଇଛନ୍ତି। ଫଳରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସିଭିଲ୍ ସର୍ଭିସ ପରୀକ୍ଷାରେ ଉଲ୍ଲେଖନୀୟ ହୋଇପାରିଲା ନାହିଁ। ସଫଳତା ସଂଖ୍ୟା ବି କମି କମି ଯାଉଛି।

ଏଇଟା କେବଳ ଏହି ବର୍ଷ ଘଟିଛି, ତା’ ନୁହେଁ। ଗତ ପାଞ୍ଚ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ଏବଂ ରାଜ୍ୟ ପ୍ରଶାସନିକ ସେବାରେ ଓଡ଼ିଆ ଆଇଏଏସ୍ ଅଫିସରଙ୍କ ଉପସ୍ଥାନକୁ ମିଳାଇ ଦେଖିଲେ ଅତି ଭୟାନକ ଚିତ୍ରଟିଏ ସାମ୍ନାକୁ ଆସୁଛି, ଯାହା ଶିକ୍ଷାବିତ୍‌ମାନଙ୍କୁ ଚିନ୍ତାରେ ପକାଇଲାଣି। ୨୦୧୭ରୁ ୨୦୨୧ ମସିହା ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶା କ୍ୟାଡରରେ ମାତ୍ର ୨୭ ଜଣ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ୮ଜଣ ହେଉଛନ୍ତି ଓଡ଼ିଆ। କେବଳ ସେତିକି ନୁହେଁ, ଏହି ବର୍ଷମାନଙ୍କରେ ଅନେକ ଓଡ଼ିଆ ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ସେମାନଙ୍କ ରାଙ୍କ୍ ବି ଆଖିଦୃଶିଆ ନାହିଁ। ଅତଏବ ସରକାରଙ୍କର ଏହି କାର୍ଯ୍ୟକ୍ରମଟି ପୂରା ପ୍ରହସନ ପାଲଟିଯାଇଛି।

The Hans India

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି ଯେ ଆଇଏଏସ୍ ଅଫିସର ସୃଷ୍ଟି ଲାଗି ଉଚ୍ଚଶିକ୍ଷା ବିଭାଗ ୮ଟି ବିଶ୍ବବିଦ୍ୟାଳୟରେ ସିଭିଲ୍ ସର୍ଭିସ୍ କୋଚିଂ ବ୍ୟବସ୍ଥା ଆରମ୍ଭ କରିଥିଲେ। ୮୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେଲା। ଫଳ ଶୂନ। ଏହା ପରେ ଧେୟ ଏଜୁକେସନାଲ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ସରକାର ରାଜିନାମା ସ୍ବାକ୍ଷର କଲେ। ଏହି ସଂସ୍ଥା ୬୦ଲକ୍ଷ ଟଙ୍କା ନେଲା; ସବୁ ପାଣିରେ ପଡ଼ିଲା। ଏହିପରି ମୋଟ ୨କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ଜଣେ ବି ଛାତ୍ରଛାତ୍ରୀଙ୍କୁ ଏହି ସ୍ତରକୁ ନେଇପାରିଲେ ନାହିଁ। ନିଜେ ସିଏଜି ଏ ସଂପର୍କରେ ଆପତ୍ତି ଉଠାଇଲେ, ତଥାପି ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସଚିବ ବେଫିକର।

ବିଶେଷଜ୍ଞମାନେ ଯେଉଁ ଯୁକ୍ତି ରଖିଛନ୍ତି, ତାହା ହେଲା ସରକାରଙ୍କ ଫୋକସରେ ଆଦୌ ଶିକ୍ଷା ନାହିଁ। ସରକାର ବିଦ୍ୟାଳୟ ରୂପାନ୍ତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶୈକ୍ଷିକ ବାତାବରଣ ଫେରାଇବା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ସମାନ ସମୟରେ ୪୬ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରୁ ଓହରି ଯାଉଛନ୍ତି। ୧୮ଲକ୍ଷ ପିଲା କେଉଁଠି ଅଛନ୍ତି, ସେ ନେଇ ଗଣଶିକ୍ଷା ବିଭାଗ ଖୋଳତାଡ କରୁଛି। ସମ୍ଭବତଃ ଏସଂପର୍କରେ ଗଣମାଧ୍ୟମ ଖୋଳତା଼ଡ଼ କରିନଥିଲେ, ଏତେ ସମ୍ବେଦନଶୀଳ ପ୍ରସଙ୍ଗଟି କାଗଜପତ୍ର ଫାଇଲରେ ରହିଯାଇଥାନ୍ତା। ଯଦି ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଏମିତି, ସେବେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଆଇଏଏସ୍ କରିବା ସ୍ବପ୍ନ କେମିତି ପୂରଣ ହେବ?

Scroll.in

ଦ୍ବିତୀୟତଃ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କର। ମନ୍ତ୍ରୀ ଦିନଟିଏ ଏହି ପ୍ରସଙ୍ଗରେ ସମୀକ୍ଷା କରିବାର ନଜିର ନାହିଁ। ସଚିବ ଜଣେ ଆଇଏଏସ୍ ଅଫିସର। ଆଉ ଜଣେ ଆଇଏଏସ୍ ସୃଷ୍ଟି ଲାଗି ଆବଶ୍ୟକ କୌଶଳ ସଂପର୍କରେ ତାଙ୍କ ଠାରୁ ଅଧିକ କିଏ କହିପାରିବ? ହେଲେ ସେ ବି ଏହାକୁ ଗୁରୁତ୍ବ ଦେଇଛନ୍ତି କି? ଏ କ୍ଷେତ୍ରରେ ବିଶ୍ବବିଦ୍ୟାଳୟର କୁଳପତିମାନେ କେତେ ତତ୍ପରତା ଦେଖାଇଛନ୍ତି, ସର୍ବୋପରି ସରକାର ସେମାନଙ୍କ ସହିତ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେତେ ଥର ଆଲୋଚନା କରିଛନ୍ତି? ଏକଥା ସମୀକ୍ଷା କଲେ ଜଣାପଡ଼ିବ।

କିଛି ପୂର୍ବତନ ପ୍ରଶାସକ କହିଛନ୍ତି ଯେ ଓଡ଼ିଆ ଛାତ୍ରଛାତ୍ରୀ କିଛି ପରିମାଣରେ ସିଭିଲ୍ ସର୍ଭିସ ପାଉଛନ୍ତି ସତ, ହେଲେ ସେମାନଙ୍କ ରାଙ୍କ ବିଶେଷ ଭଲ ରହୁନାହିଁ। ଓଡ଼ିଆ ପିଲା ଭଲ ନ କରିବାର କାରଣ ହେଉଛି, ଅତି ମେଧାବୀ ଛାତ୍ରଛାତ୍ରୀମାନେ ଏବେ ଡାକ୍ତର ଓ ଇଞ୍ଜିନିୟର ହେବା ପାଇଁ ମନୋନିବେଶ କରୁଛନ୍ତି। ଓଡ଼ିଶାରେ ଏ କ୍ଷେତ୍ରରେ କୋଚିଂ ଅତି ଦୁର୍ବଳ ସ୍ଥିତିରେ ରହିଛି। ସରକାର ପ୍ରଶିକ୍ଷଣ ଦେବାରେ ଫେଲ୍ ମାରିଛନ୍ତି। କିଛି ଭଲ ଘରୋଇ କୋଚିଂ ସେଣ୍ଟର ଏବେ ଏବେ ଓଡ଼ିଶା ଆସିବା ଆରମ୍ଭ କରୁଛନ୍ତି। ଏମାନଙ୍କ ସହିତ ବୁଝାମଣା କରି ମହଙ୍ଗା କୋଚିଂ କ୍ଷେତ୍ରରେ ମେଧାବୀଙ୍କୁ ସହଯୋଗ ଯୋଗାଇ ଦେବା ଲାଗି ସରକାରଙ୍କର ଯୋଜନା ନାହିଁ।

The Indian Express

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହାରେ କେନ୍ଦ୍ର ସରକାର ଓଡ଼ିଶାକୁ ୪ଜଣ ଆଇଏଏସ୍ ଅଫିସର ପଠାଇଥିଲେ, ସେମାନଙ୍କ ମଧ୍ୟରୁ ହେମକାନ୍ତ ସାଏ ଏବଂ ସୋମେଶ କୁମାର ଉପାଧ୍ୟାୟ ଦୁଇଜଣ ହେଉଛନ୍ତି ଓଡ଼ିଆ। ୨୦୧୮ ମସିହାରେ କେନ୍ଦ୍ର ସରକାର ଓଡ଼ିଶାରେ ନିଯୁକ୍ତି ଦେଇଥିବା ୪ ଆଇଏଏସ୍ ଅଫିସରଙ୍କ ମଧ୍ୟରୁ ଜେ ସୋନାଲ ଏବଂ ଶୁଭଙ୍କର ମହାପାତ୍ର ଓଡ଼ିଆ। ୨୦୧୯ରେ ୬ଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲେ ହେଁ, କେବଳ ଅନ୍ୟା ଦାସ ଜଣେ ମାତ୍ର ଓଡ଼ିଆ ଅଫିସର ଥିଲେ। ୨୦୨୦ରେ ମୋଟର ୬ଜଣଙ୍କ ମଧ୍ୟରୁ ବେଦଭୂଷଣ ଏବଂ ବିଭୂତି ଭୂଷଣ ନାୟକ ଓଡ଼ିଆ ହୋଇଥିବା ବେଳେ ୨୦୨୧ରେ କେନ୍ଦ୍ର ସରକାର ଦେଇଥିବା ୭ଜଣ ଅଫିସରଙ୍କ ମଧ୍ୟରୁ ଜଣେ ମାତ୍ର ଓଡ଼ିଆ ହେଉଛନ୍ତି ରିନା ପ୍ରଧାନ।

ତଥ୍ୟ ଅନୁସାରେ, ୧୯୮୫ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଯେତିକି ଆଇଏଏସ୍ ପଦବି ପ୍ରତିବର୍ଷ ଖାଲି ହେଉଥିଲା, ସେଥିରୁ ୫୦ ପ୍ରତିଶତ ରାଜ୍ୟର ଓ ବାକି ୫୦ ପ୍ରତିଶତ ଅନ୍ୟ ରାଜ୍ୟରୁ ଆଇଏଏସ୍ ଅଫିସର ନିଯୁକ୍ତି ପାଉଥିଲେ। ଏହା ପରଠାରୁ ଏହି ସଂଖ୍ୟାକୁ ଯଥାକ୍ରମେ ଏକ ତୃତୀୟାଂଶ ଓ ଦୁଇ ତୃତୀୟାଂଶ କରିଦିଆଯାଇଛି। ହେଲେ ବେଶି ଦୂରକୁ ନ ଯାଇ ୨୦୨୧ର ତଥ୍ୟ ଦେଖିଲେ, ଏକଥା ଜଳ ଜଳ ଦିଶୁଛି ଯେ ଏକ ତୃତୀୟାଂଶ ସ୍ଥାନ ଦଖଲ ପାଇଁ ମଧ୍ୟ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀ ସଫଳ ହୋଇପାରୁନାହାନ୍ତି। ଏହା ଏକ ବିଲକ୍ଷଣ ନୁହେଁ ତ ଆଉ କଣ? ଉଚ୍ଚଶିକ୍ଷା ବିଭାଗ କେବେ ହେଜିବ? ଯେବେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ପାଣି ଭଳି ମିଳାଇ ଦିଆଯାଉଛି, ସେବେ ରାଜ୍ୟରେ ଆଉ କାହା କଥା ମନ୍ତ୍ରୀ, ସଚିବ, ବାବୁମାନେ ରଖିବେ? ଏମିତି ଅନେକ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରୁଛି।

ସମ୍ବନ୍ଧିତ ଖବର