ଚାନ୍ଦିପୁରରୁ ‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁରସ୍ଥିତ ଆଇଟିଆର୍‌ ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଲ୍‌ଟି ବ୍ୟାରେଲ୍‌ ରକେଟ୍‌ ଲଞ୍ଚର୍‌ ‘ପିନାକ’ର ସଫଳ ପରୀକ୍ଷଣ କରାଯାଇଛି। ଗତକାଲି ଓ ଆଜି ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସୂଚନା‌ ଦିଆଯାଇଛି।

‘ପିନାକ’ର ଏହି ସଦ୍ୟତମ ସଂସ୍କରଣକୁ ଡିଆରଡିଓ ଆହୁରି ବିକଶିତ କରିବା ଫଳରେ ଏହାର ମାରକ କ୍ଷମତା ପୂର୍ବାପେକ୍ଷା ବହୁଗୁଣିତ ହୋଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରେଞ୍ଜରୁ ଏକକାଳୀନ ୨୫ଟି ‘ପିନାକା ରକେଟ୍‌ ଉତ୍‌କ୍ଷେପଣ କରାଯାଇଥିବା ବେଳେ ୪୫ କିଲୋମିଟର ଦୂରତାରେ ରହିଥିବା ଟାର୍ଗେଟ୍‌କୁ ଏହା ଅଚିରେ ଭେଦ କରିଥିଲା।

ସୂଚନାଥାଉକି, ଭାରତୀୟ ବାୟୁସେନାରେ ‘ପିନାକ’ ରକେଟ୍‌ ସାମିଲ ହେବା ପରେ କାରଗିଲ ଯୁଦ୍ଧରେ ଏହା ପ୍ରଥମକରି ବ୍ୟବହାର କରାଯାଇଥିଲା। ପରେ ଏହାକୁ ବହୁମୁଖୀ ରକେଟ୍‌ ଲଞ୍ଚର୍‌ ଭାବେ ବିକଶିତ କରାଯାଇଛି। ମୋବାଇଲ ଲଞ୍ଚରରୁ ଏକକାଳୀନ ୨୫ରୁ ଅଧିକ ରକେଟ୍‌ ଉତ୍‌କ୍ଷେପଣ ହୋଇ ପାରୁଥିବା ଏହି ବିଧ୍ବଂସୀ ଅସ୍ତ୍ର ନିମିଷକେ ଶତ୍ରୁପକ୍ଷର ବହୁ କ୍ଷତିସାଧନ କରିପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ନିର୍ଭୟ-ପିନାକ ଦ୍ବନ୍ଦ୍ବ
‘ପିନାକ’ ରକେଟ୍‌ର ଏହି ବିକଶିତ ସଂସ୍କରଣର ପରୀକ୍ଷଣ ଯଦିଓ ଗତକାଲିଠାରୁ ଆରମ୍ଭ ହୋଇଥିଲା, ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। କିଛି ଗଣମାଧ୍ୟମରେ ଆଜି ‘ନିର୍ଭୟ’ର ସଫଳ ପରୀକ୍ଷଣ ହୋଇଥିବା ସୂଚନା ଦିଆଯାଇଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭ୍ରମରେ ପଡ଼ିଥିଲେ। ‘ନିର୍ଭୟ’ର ସଫଳ ପରୀକ୍ଷଣ ପାଇଁ ଉଭୟ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଟୁଇଟ୍‌ କରି ପ୍ରଥମେ ଅଭିନନ୍ଦନ ଜଣାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରି ଦେଇଥିଲେ। ଘଟଣାର ସତ୍ୟତା ଜାଣିବା ଲାଗି ଚାନ୍ଦିପୁରସ୍ଥିତ ଆଇଟିଆର୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ପ୍ରତିରକ୍ଷା ସମ୍ବନ୍ଧୀୟ କୌଣସି ସୂଚନା ମୁଖ୍ୟ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ କାହାରିକୁ ଦେବା ପାଇଁ ଅଧିକାର ଦିଆଯାଇନାହିଁ। ଯାହା ସୂଚନା ଦିଆଯିବ ସେଠାରୁ ‌ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଆସିବ ବୋଲି ‌ସେ କହିଥିଲେ।

ସମ୍ବନ୍ଧିତ ଖବର