କରୋନା ଆକ୍ରାନ୍ତଙ୍କ ପରିବାରର ୩ ସଦସ୍ୟଙ୍କ ଆକସ୍ମିକ ମୃତ୍ୟୁ ଘଟଣା : ଖବର ପାଇବା ପରେ ‌ବି କାହାରି ନିଦ ଭାଙ୍ଗୁନି

ଜିଲ୍ଲାପାଳଙ୍କୁ ଫୋନ୍‌ କଲେ ମିଳୁନି ଉତ୍ତର
ସ୍ୱାସ୍ଥ୍ୟ ବିଭାଗ ଓ ପୌର କର୍ତ୍ତୃପକ୍ଷ ବି ବେଫିକର
ଦୁଇ ଦିନ ହେଲା କବାଟ, ଝରକା ବନ୍ଦ କରି ରହିଛନ୍ତି ଲୋକେ

ବାଲେଶ୍ୱର : କେଉଁ ଗାଁ କି ଉପାନ୍ତ ଅଞ୍ଚଳ ନୁହେଁ, ବାଲେଶ୍ୱର ସହର ମଧ୍ୟରୁ ଦିନେ ଛାଡ଼ି ଦିନେ ଗୋଟିଏ ପରିବାରରୁ ୩ ଜଣ ସଦସ୍ୟଙ୍କର ହଠାତ୍‌ ମୃତ୍ୟୁ ଘଟିଲା। ୫ ଦିନ ତଳେ ଏହି ଘରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ କଟକରେ ଚିକିତ୍ସାଧୀନ ଥିବାବେଳେ ଏପଟେ ପରିବାରର ୩ ଜଣଙ୍କର ଆକସ୍ମିକ ମୃ୍ତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏକପ୍ରକାର ଆତଙ୍କିତ କରି ରଖିଛି। ସେମାନଙ୍କ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ କିଛି ଜଣାପଡ଼ିନଥିବା ବେଳେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏପରି ଘଟିଥିବା ସନ୍ଦେହ କରି ସାହି ପଡ଼ୋଶୀ ସମସ୍ତେ ନିଜ ନିଜ ଘରେ କବାଟ ଝରକା ବନ୍ଦ କରି ରହିଥିବା ଦେଖିବାକୁ ମିଳିଛି। ବିଡ଼ମ୍ବନାର ବିଷୟ ହେଲା, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୌର ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ କାହାରି ଏ ପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କେହି ଭେଟିବାକୁ ଆସିନାହାନ୍ତି କି ଘଟଣା ସମ୍ପର୍କରେ କେହି ବୁଝିନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ବାଲେଶ୍ବର ପୌରାଞ୍ଚଳ ୭ ନମ୍ବର ୱାର୍ଡ ବଙ୍କାଖଜୁରି ଛକ ନିକଟ ହାଜି ନସିରୁଦ୍ଦିନ୍‌ ରୋଡରେ ରହୁଥିବା ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାରରେ ଘଟିଛି ଏହି ଦୁଃଖଦ ଘଟଣା। ୫ ଦିନ ତଳେ ଏହି ପରିବାରର ମଝିଆ ବୋହୂ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବାରୁ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମଝିଆ ବୋହୂ ଚିକିତ୍ସାଧୀନ ଥିବା ବେଳେ ଏପଟେ ୧୮ ତାରିଖ ଅପରାହ୍ନରେ ଘରର ବଡ଼ପୁଅ (୬୨)ଙ୍କର ହଠାତ୍‌ ମୃତ୍ୟୁ ଘଟିଲା। ସେହିଦିନ ରାତିରେ ଅସୁସ୍ଥ ବୋହୂଙ୍କ ଶ୍ବଶୁର (୮୨) ଏବଂ ଗତକାଲି ସଂଧ୍ୟାରେ ତାଙ୍କ ଶାଶୂ (୭୫)ଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ହେଲା। ପରିବାର ପକ୍ଷରୁ ୩ଟି ଯାକ ମୃତଦେହ ସତ୍କାର କରାଯାଇଥିବା ବେଳେ ଏଥିରେ ଭୟଭୀତ ହୋଇ ସଂପୃକ୍ତ ଅଞ୍ଚଳରେ କେହି ମୁହଁ ଖୋଲୁନାହାନ୍ତି। ତେବେ ପରିବାରର ବୋହୂଙ୍କୁ କରୋନା ହୋଇଥିବାରୁ ସଂକ୍ରମିତ ହୋଇ ଅନ୍ୟମାନେ ମରିଛନ୍ତି ବୋଲି ସନ୍ଦେହ କରି କେହି ତାଙ୍କ ଘର ନିକଟକୁ ଯିବାଆସିବା କରୁନଥିବା ଦେଖିବାକୁ ମିଳିଛି। ଆଖପାଖରେ ରହୁଥିବା ଅନ୍ୟ ଲୋକମାନେ ମଧ୍ୟ ପଦାକୁ ବାହାରୁନାହାନ୍ତି। ଘର ଭିତରେ କବାଟଝରକା ବନ୍ଦ କରି ଭୟଭୀତ ଅବସ୍ଥାରେ ଅଛନ୍ତି।

ପଡ଼ୋଶୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ପରିବାରର ଅଧିକାଂଶ ସଦସ୍ୟ ଏବେ ଥଣ୍ଡା, କାଶ ଏବଂ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା କରାଯିବା ସହିତ ଉକ୍ତ ଅଞ୍ଚଳକୁ ତୁରନ୍ତ ସାନିଟାଇଜେସନ୍‌ କରାଯିବା ଦରକାର। କିନ୍ତୁ ଗତକାଲିଠାରୁ ସେମାନେ ଏ ବିଷୟରେ ଜଣାଇବା ପାଇଁ ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର, ବାଲେଶ୍ବର ପୌରପାଳିକା, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ବି କେହି କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ସ୍ଥାନୀୟ ଅଞ୍ଚଳର ଯୁବ ସାମାଜିକ କର୍ମୀ ସନ୍ଦିପ୍ତ ଦାସ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ବାରମ୍ବାର ଫୋନ୍‌ ଓ ପରେ ମେସେଜ୍‌ ପଠାଇ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନଥିବା ଅଭିଯୋଗ କରିଛନ୍ତି। ପରେ ଶ୍ରୀ ଦାସ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇ ମଧ୍ୟ ନିରାଶ ହୋଇଥିବା କହିଛନ୍ତି। ଏ ନେଇ ସ୍ଥାନୀୟ ଥାନା କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ କୌଣସି ସୂଚନା ନାହିଁ। ଅନ୍ୟପକ୍ଷରେ ଆଜି ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇବା ପରେ ମଧ୍ୟ ସମ୍ପୃକ୍ତ ପରିବାର କିମ୍ବା ସ୍ଥାନୀୟ ଅଞ୍ଚଳକୁ କେହି ପରିଦର୍ଶନ କରିବାକୁ ଯାଇନଥିବା ଜଣାପଡ଼ିଛି।

ପ୍ରଶ୍ନ ଉଠୁଛି, ଏହି ପରିବାରର ଜଣେ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନଙ୍କ ଆକସ୍ମିକ ମୃତ୍ୟୁ ଖବର ଏ ପର୍ଯ୍ୟନ୍ତ ପ୍ରଶାସନ ପାଖରେ ପହଞ୍ଚିପାରିନି କେମିତି? ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର