ଛାଡ଼ପତ୍ର ମାମଲା: ସୁମିତ୍‌ କୋର୍ଟରେ ହାଜର, ତପସ୍ବିନୀ ଆସିଲେନି  

ମାସିକ ଭରଣପୋଷଣ ବାବଦରେ ୧୭ହଜାର ଦେଲେ

ବ୍ରହ୍ମପୁର : ପୁଣିଥରେ ଚର୍ଚ୍ଚାକୁ ଆସିଛି ସୁମିତ-ତପସ୍ବିନୀ ମାମଲା। ପତ୍ନୀ ତପସ୍ବିନୀ ଦାଶଙ୍କୁ ଛାଡ଼ପତ୍ର ଦେବା ପାଇଁ ସ୍ବାମୀ ଡା. ସୁମିତ ସାହୁ ଗତ ୨୦୨୧ ସେପ୍ଟେମ୍ବର ମାସରେ ବ୍ରହ୍ମପୁର ସ୍ଥିତ ପରିବାର କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ କ୍ରମେ ପର୍ଯ୍ୟାୟ କ୍ରମେ କାଉନ୍‌ସେଲିଂ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ଆଜି ମଧ୍ୟ କାଉନ୍‌ସେଲିଂ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଆଜି କେବଳ ଡା. ସୁମିତ ପରିବାର କୋର୍ଟରେ ହାଜର ହୋଇଥିଲେ। କିନ୍ତୁ ତପସ୍ବିନୀ ଦାଶ କୋର୍ଟରେ ହାଜର ନହେବାରୁ କାଉନ୍‌ସେଲିଂ ହୋଇପାରି ନଥିଲା ବୋଲି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

କୋର୍ଟଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରାଯାଉଛି। କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଡା. ସୁମିତ ତପସ୍ବିନୀଙ୍କୁ ୧୭ହଜାର ଟଙ୍କା ମାସିକ ଭରଣପୋଷଣ ଦେବା ପାଇଁ ରାଜି ଅଛନ୍ତି। କିନ୍ତୁ ସେ ବର୍ତ୍ତମାନ ଛୁଟିରେ ରହିଛନ୍ତି। ତାଙ୍କୁ ଦରମା ମିଳୁ ନାହିଁ। ଫଳରେ ଟଙ୍କା ଯୋଗାଡ଼ କରିବାରେ ଅସୁବିଧା ହେଉଛି। ଟଙ୍କା ଯୋଗାଡ଼ କଲେ ଡା. ସୁମିତ ତୁରନ୍ତ ତପସ୍ବିନୀଙ୍କୁ ତାଙ୍କର ପ୍ରାପ୍ୟ ଦେବେ ବୋଲି ଶ୍ରୀ ବେହେରା କହିଛନ୍ତି। ଦୀର୍ଘଦିନ ପରେ ସାମ୍ନାକୁ ଆସିଥିବା ଡା. ସୁମିତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ବର୍ତ୍ତମାନ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଛୁଟିରେ ଥିବାରୁ ତାଙ୍କୁ ଦରମା ମିଳୁ ନାହିଁ। ଟଙ୍କା ଯୋଗାଡ଼ କରିବାରେ ଅସୁବିଧା ହେଉଛି। ଟଙ୍କା ଯୋଗାଡ଼ କଲେ ତପସ୍ବିନୀଙ୍କୁ ଦେବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଶେଷରେ ସଂଧ୍ୟାରେ ସୁମିତଙ୍କ ତରଫରୁ ତାଙ୍କର ଓକିଲ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଭରଣପୋଷଣ ବାବଦରେ ୧୭ହଜାର ଟଙ୍କାର ଡ୍ରାଫ୍‌ଟ ଜମା କରିଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାଜଜ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ବିନୀ ବର୍ତ୍ତମାନ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ତାଙ୍କର ସ୍ବାମୀଙ୍କ ଘରେ ରହୁଛନ୍ତି। ସେପଟେ ତପସ୍ବିନୀ ଘରକୁ ପ୍ରବେଶ କରିବା ପରେ ତାଙ୍କର ଶ୍ବଶୁର ପ୍ରମୋଦ ସାହୁ ଗତ ଜାନୁଆରି ୬ତାରିଖ ରାତିରୁ ଘର ଛାଡ଼ି ଚାଲି ଯାଇଛନ୍ତି। ଅନ୍ୟପଟେ ଡା.ସୁମିତ ମାନସିକ ଦୁଶ୍ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଛୁଟିରେ ରହିଛନ୍ତି।

ସମ୍ବନ୍ଧିତ ଖବର