ଦେଖିଲେ ବର୍ଷର ଶେଷ ସୁପରମୁନ୍‌

ଭୁବନେଶ୍ବର : ଆଜି ୨୦୨୦ ବର୍ଷର ଶେଷ ସୁପରମୁନ୍ ଦେଖିବାକୁ ମିଳିଛି। ବୁଦ୍ଧ ପୂର୍ଣ୍ଣିମାରେ ଏହି ସୁନ୍ଦର ଓ ମହାଜାଗତିକ ଦୃଶ୍ୟକୁ ଅନେକ ଖାଲି ଆଖିରେ ଉପଭୋଗ କରିଛନ୍ତି। ଆକାଶ ମେଘମୁକ୍ତ ଥିବାରୁ ଏହାକୁ ଲୋକେ ରାତିରେ ଉପଭୋଗ କରିଛନ୍ତି। ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ‌ଘଟିଥାଏ। ୨୦୨୦ ମସିହାରେ ୪-ସୁପରମୁନ ସିରିଜ୍‌ର ଶେଷ ସୁପରମୁନ୍‌କୁ ଆଜି ଲୋକେ ଉପଭୋଗ କରିଛନ୍ତି।

ସାଧାରଣତଃ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୮ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲୁଥାଏ। ତେଣୁ ପ୍ରାୟ ୨୯ ଦିନରେ ପୂର୍ଣ୍ଣମୀ ପଡ଼େ। ଅଣ୍ଡା କୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିବା ବେଳେ ଚନ୍ଦ୍ର ଆମଠାରୁ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ସେଇଭଳି ସବୁଠୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଏହି ସୁପରମୁନ୍‌ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ୍‌ ୧୯୭୯ରେ ପ୍ରଚଳନ କରିଥିଲେ। ଜ୍ୟୋତିଷ ରିଚାର୍ଡଙ୍କ ଅନୁଯାୟୀ, ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା’ଠାରୁ କମ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତେବେ ତାହାକୁ ସୁପରମୁନ୍‌ କୁହାଯାଏ। ଅର୍ଥାତ୍‌ ଯଦି ଚନ୍ଦ୍ର ଆମଠାରୁ ୩.୬୦ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ, ତା’ ହେଲେ ସେଇ ଚନ୍ଦ୍ରକୁ ସୁପରମୁନ୍‌ କୁହାଯାଏ। ଚନ୍ଦ୍ର ଏହି ସମୟରେ ବଡ଼ ଓ ଅଧିକ ଉଜ୍ଜ୍ବଳ ଦେଖାଯାଏ। ତେବେ ଏହାର କୌଣସି ପ୍ରକାର ପ୍ରଭାବ ପୃଥିବୀ କିମ୍ବା ମାନବ ସମାଜ ଉପରେ ପଡ଼େ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର