ସ୍ବାଭିମାନ ଅଞ୍ଚଳର ୧୮୦ ମିଲିସିଆଙ୍କ ଆତ୍ମସମର୍ପଣ

୫ଶହରୁ ଊର୍ଦ୍ଧ୍ବ ସମର୍ଥକ ମୁଖ୍ୟସ୍ରୋତକୁ ଫେରିଲେ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ସଂଗଠନକୁ ଲାଗିଛି ବଡ଼ ଝଟ୍‌କା। ସୋମବାର ଗୋଟିଏ ଦିନରେ ୧୮୦ଜଣ ମିଲିସିଆ ଏବଂ ୫ଶହରୁ ଊର୍ଦ୍ଧ୍ବ ସମର୍ଥକ ସଂଗଠନର ହାତ ଛାଡ଼ିଛନ୍ତି। ବିଏସ୍‌ଏଫ୍‌ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏପରିକି ପୁଲିସ ତଥା ପ୍ରଶାସନ ଉପରେ ଆସ୍ଥା ରହିଥିବା ପ୍ରମାଣ ଦେଇଛନ୍ତି। ସ୍ବାଭିମାନ ଅଞ୍ଚଳ ପାଇଁ ଆଜି ଥିଲା ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ୧୪ଟି ଗାଁର ୧୮୦ଜଣ ମାଓ ମିଲିସିଆ ଏବଂ ୫ଶହରୁ ଊର୍ଦ୍ଧ୍ବ ମାଓ ସମର୍ଥକ ମାଓବାଦୀଙ୍କ ସହ ରହିଥିବା ପୁରୁଣା ସଂପର୍କକୁ ତୁଟାଇ ଦେଇଛନ୍ତି।

ଏଥିପାଇଁ ଗୁରୁପ୍ରିୟା ସେତୁ ନିକଟରେ ବିଏସ୍‌ଏଫ୍‌ ପକ୍ଷରୁ ଆଜି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଏସ୍‌ଏଫ୍‌ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସ୍‌ପି ନୀତୀଶ ୱାଧୱାନୀ, ୮୮ବିଏସ୍‌ଏଫ୍‌ ବାଟାଲିୟନ କମାଣ୍ଡାଣ୍ଟ ବିନୋଦ ସୋରେନ, ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିଦେବୀ, ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲି, ଯୋଡ଼ାମ୍ବ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ମିଲିସିଆ ଏବଂ ସମର୍ଥକ ଆଗକୁ ଆଉ କୌଣସି ପ୍ରକାର ସହଯୋଗ ମାଓବାଦୀଙ୍କୁ କରିବେ ନାହିଁ ବୋଲି ଶପଥ ନେଇଥିଲେ।

ଏହାପରେ ସମସ୍ତ ସମର୍ଥକ ଏବଂ ମିଲିସିଆ ଯାହା କଲେ ତାହା କଳ୍ପନା ବାହାରେ ଥିଲା। ମାଓବାଦୀଙ୍କ ଭୟ ତଥା ଅସ୍ତିତ୍ବକୁ ସବୁଦିନ ପାଇଁ ହଜାଇ ଦେବାକୁ ସାହସ ତଥା ବିଶ୍ବାସର ପ୍ରମାଣ ଦେଇଥିଲେ। ନିଜ ହାତରେ ତିଆରି କରିଥିବା ମାଓବାଦୀଙ୍କ କୁଶ ପୁତ୍ତଳିକାକୁ ଜାଳି ଦେଇ ମାଓବାଦୀଙ୍କ ବିରୋଧରେ ନାରା ଦେଇଥିଲେ। ସେହିପରି ଏଠାରେ ମାଓବାଦୀ ନିର୍ମାଣ କରିଥିବା ବିଶାଳ ସହିଦ ସ୍ତମ୍ଭକୁ ଧ୍ବଂସ କରି ଦେଇଥିଲେ।

ସମ୍ବନ୍ଧିତ ଖବର