ଛେନାଝିଲ୍ଲୀକୁ ଜିଆଇ ଟ୍ୟାଗ୍ ପାଇଁ ନିମାପଡ଼ାରୁ ସର୍ଭେ ଆରମ୍ଭ

ଭୁବନେଶ୍ବର: ନିମପଡ଼ାର ପ୍ରସିଦ୍ଧ ଛେନା ଝିଲ୍ଲୀକୁ ବିଶ୍ୱ ଦରବାରରେ ପହଂଚାଇବା ନିମନ୍ତେ ଜିଆଇ ଟ୍ୟାଗ୍ ପାଇଁ ରାଜ୍ୟ ସରକାରଙ୍କ ଏମ୍ ଏସ୍ଏମ୍ଇ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ନିମାପଡ଼ାରୁ ଆରମ୍ଭ ହୋଇଛି । ସ୍ୱାଦିଷ୍ଟ ଛେନାଝିଲ୍ଲୀ ପାଇଁ ନିମାପଡ଼ା ପ୍ରସିଦ୍ଧ ହୋଇଥିବା ବେଳେ ଗବେଷକ ଅସିତ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ମଙ୍ଗଳବାର  ନିମାପଡ଼ାରେ ପହଂଚିଥିଲେ । ଛେନା ଛିଲ୍ଲୀର ଉତ୍ପତ୍ତି, ଏହା କିଭଳି ପ୍ରସ୍ତୁତ କରାଯାଉଛି ଓ ଏହାର ସ୍ରଷ୍ଟାଙ୍କ ବିଷୟରେ ଜାଣିବା ପାଇଁ ଆଜି ଡ଼ ମହାନ୍ତି, ବିଜ୍ଞାନ ଓ କାରିଗର ବିଭାଗର ସୁଶାନ୍ତ ରାଉତ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସଂଘର ରାଜ୍ୟ ସଭାପତି ବିମ୍ବାଧର ବେହେରା, ନିମାପଡ଼ା ବଜାରରେ ଛେନାଝିଲ୍ଲୀ ପ୍ରସ୍ତୁତ କରୁଥିବା ଦୋକାନୀମାନଙ୍କ ସହ ଏହାର ଐତିହ୍ୟ,ଇତିହାସ ଓ ପ୍ରଣାଳୀ ସଂପର୍କରେ ଆଲୋଚନା କରିଥିଲେ । ଛେନା ଝିଲ୍ଲୀକୁ ଜିଆଇ ଟ୍ୟାଗ ମିଳିଲେ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇପାରିବ ।

ଏହି  ତିନି ଜଣିଆ କମିଟି ସରକାରଙ୍କୁ ପ୍ରାଥମିକ ରିପୋର୍ଟ ଦେବା ପରେ ନିମପଡ଼ା ଛେନା ଝିଲ୍ଲୀକୁ ଜିଆଇ ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ନିମପଡ଼ା ଛେନା ଝିଲ୍ଲି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜିଆଇ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଗତ ବିଧାନସଭା ଅଧିବେଶନରେ ପ୍ରସ୍ତାବ ଦେଇଥିଲେ ।

ସମ୍ବନ୍ଧିତ ଖବର