ବିପଦରେ ଗୋପାଳପୁର ବେଳାଭୂମି, ପ୍ରଦୂଷଣ ଆଣିପାରେ କଇଁଛଙ୍କ ପାଇଁ ସଙ୍କଟ

ବ୍ରହ୍ମପୁର: ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବାକୁ ସରକାର ଅଣ୍ଟା ଭିଡିଥିବା ବେଳେ ଗତ ୨୧ ତାରିଖରେ ବେଳାଭୂମିରେ ବଡଧରଣର ସଫେଇ ଅଭିଯାନ କରାଯାଇଥିଲା । ୧୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ, ଅନୁଷ୍ଠାନ ସମେତ ବଲିଉଡ୍ ଓ ଓଲିଉଡ୍ ଷ୍ଟାର, ପୁରୀର ଶହେଟି ସ୍ଥାନରେ ବ୍ୟାପକ ସଫେଇ କରିଥିଲେ । ପ୍ଳାଷ୍ଟିକ ମୁକ୍ତ ବେଳାଭୂମି ସହ ପରିବେଶ ସ୍ୱଚ୍ଛ ରଖିବାକୁ ବାର୍ତା ମଧ୍ୟ ଦେଇଥିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଞ୍ଜାମର ଗୋପାଳପୁର ବେଳାଭୂମି ପୁରୀଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି |

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ବିଭାଗ ଓ ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଜଣାପଡିଛି ଯେ ଗୋପାଳପୁର ବେଳାଭୂମି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି | ସର୍ବେକ୍ଷଣରେ କୁହାଯାଇଛି ଯେ ପୁରୀ ବେଳାଭୂମିରେ ବର୍ଗ ମିଟର ପିଛା ୧.୨୦ ଗ୍ରାମ ବର୍ଜ୍ୟବସ୍ତୁ ମିଳିଥିବାବେଳେ ଗୋପାଳପୁର ବେଳାଭୂମିରେ ୩.୬୦ ଗ୍ରାମ ବର୍ଜ୍ୟବସ୍ତୁ ମିଳିଛି | ସେହିପରି ଗୋପାଳପୁର ବେଳାଭୂମି ନିକଟରେ ଥିବା ଋଷିକୂଲ୍ୟା ମୁହାଣରେ ବହୁ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିବାକୁ ଆସୁଥିବାବେଳେ ଏଠାରେ ମଧ୍ୟ ବର୍ଗ ମିଟର ପିଛା ୦.୮୨ ଗ୍ରାମର ବର୍ଜ୍ୟବସ୍ତୁ ମିଳିଛି |

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ବିଭାଗର ମୁଖ୍ୟ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଗୋପାଳପୁର ବେଳାଭୂମିରୁ ୬୫.୨୮ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବାବେଳେ ଏଥିରୁ ବହୁ ସଂଖ୍ୟାରେ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ପଲିଥିନ ଥଳି, ସିଗାରେଟ ଖୋଳ ଓ ମାଛ ଧରା ଜାଲ ମିଳିଛି |

ସମ୍ବନ୍ଧିତ ଖବର