ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବେ ସୁଶାନ୍ତ ଦାସ

ଚଣ୍ଡିଖୋଲ : ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗ୍ରାମର ପ୍ରସ୍ତରଶିଳ୍ପୀ ସୁଶାନ୍ତ କୁମାର ଦାସ। ତାଙ୍କ ଦ୍ବାରା ନିର୍ମିତ ପଥର କଳାକୃତି ‘ଝୁଲଣ ଯାତ୍ରା’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ରାଜ୍ୟ ବିଚାରକ ମଣ୍ଡଳୀ ଏହି କଳାକୃତିକୁ ଚୟନ କରି ଭାରତ ସରକାରଙ୍କ ଡେଭଲମେଣ୍ଟ କମିସନର (ହସ୍ତଶିଳ୍ପ ବିଭାଗ) ପାଖକୁ ପଠାଇଥିଲେ। ସେଠାରେ ଏହା ହସ୍ତଶିଳ୍ପ ବିଭାଗ ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସୁଶାନ୍ତଙ୍କ ନାମ ଘୋଷଣା କରାଯାଇଥିଲା।

ପ୍ରସ୍ତର ଖୋଦେଇ ହସ୍ତଶିଳ୍ପ ବିଭାଗରେ ସୁଶାନ୍ତ ହେଉଛନ୍ତି ସମଗ୍ର ଭାରତରେ ଏକମାତ୍ର କାରିଗର, ଯିଏକି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୁଶାନ୍ତଙ୍କ ପୂର୍ବରୁ ପ୍ରଥମେ ଛତିଆ ଗ୍ରାମର ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ଏହି ପୁରସ୍କାର ପାଇଥିଲେ। ଦ୍ବିତୀରେ ଶୁଖୁଆପଡ଼ା ଗ୍ରାମର ରଞ୍ଜନ ମହାରଣା ମନୋନୀତ ହୋଇଥିଲେ ମଧ୍ୟ ପୁରସ୍କାର ପାଇବା ପୂର୍ବରୁ ତାଙ୍କର ବିୟୋଗ ଘଟିଥିଲା। ସୁଶାନ୍ତଙ୍କୁ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସମେତ ଶିଳ୍ପୀ ମହେଶ୍ୱର ଓଝା, ସହକାରୀ ନିର୍ଦ୍ଦେଶକ ଜିଲ୍ଲା ହସ୍ତଶିଳ୍ପ ପ୍ରକାଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ହସ୍ତଶିଳ୍ପ କାରିଗର ସଙ୍ଘ ଉପଦେଷ୍ଟା ମିହିର ପ୍ରତାପ ଦାସ, ପର୍ଶୁରାମ ବେହେରା, ମନୋଜ ନାଥ ଓ ସୁରେଶ ଗୁଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର