ଏସ୍‌ସିବିରେ ପୁଣି ଜଣେ ସ୍ବାଇନ୍‌ ଫ୍ଲୁ ରୋଗୀ ଭର୍ତ୍ତି, ପୁଅକୁ ମଧ୍ୟ ନଜରରେ ରଖାଯାଇଛି

ଏସ୍‌ସିବି କରୋନା ୱାର୍ଡରୁ ଖସି ପଳାଇଲେ ବିଦେଶୀ ଯୁବକ

କଟକ : ଏସ୍‌ସିବିରେ ପୁଣି ଭର୍ତ୍ତି ହୋଇଛନ୍ତି ଜଣେ ସ୍ବାଇନ୍‌ ଫ୍ଲୁ ରୋଗୀ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୫ବର୍ଷ ମହିଳାଙ୍କ ସ୍ବାଇନ୍‌ ଫ୍ଲୁ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ଆଜି କଟକ ବଡ଼ ଡାକ୍ତରଖାନା ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ମଧ୍ୟ ମା ସହିତ ପାଖରେ ରହିଥିବାରୁ ପୁଅକୁ ମଧ୍ୟ ନଜରରେ ରଖାଯାଇଛି। ତାଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡିଛି। ଅନ୍ୟପଟେ ପୁଅର ନମୁନା ପଠାଯିବ କି ନାହିଁ ସେ ନେଇ ଡାକ୍ତରୀ ଟିମ୍‌ ନି‌ଷ୍ପତ୍ତି ନେବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ‌ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ଗତମାସ ୨୧ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ କଟକ ଜିଲ୍ଲାର ଜଣେ ମହିଳାଙ୍କର ସ୍ବାଇନ୍‌ ଫ୍ଲୁରେ ମୃତ୍ୟୁ ଘଟିଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି।

ଏସ୍‌ସିବି କରୋନା ୱାର୍ଡରୁ ଖସି ପଳାଇଲେ ବିଦେଶୀ ଯୁବକ
କଟକ : କଟକ ବଡ ଡାକ୍ତରଖାନା କରୋନା ସ୍ବତନ୍ତ୍ର ୱାର୍ଡରୁ ଖସି ପଳାଇଛନ୍ତି ଜଣେ ସନ୍ଦିଗ୍ଧ ବିଦେଶୀ। ଆୟର୍‌ଲାଣ୍ଡରୁ ଆସିଥିବା ଏହି ଯୁବକ ଜଣକ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ସମୟରେ ଚେକିଂ ସମୟରେ ତାଙ୍କ ଶରୀରରେ ଉତ୍ତାପ ଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇ ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏହି ସ୍ବତନ୍ତ୍ର ୱାର୍ଡରୁ ବିଦେଶୀ ଯୁବକ ଜଣକ କିଭଳି ଖସି ପଳାଇଲେ, ତାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ ପୁଣିଥରେ କଟକରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ଯୁବକଜଣକ ୱାର୍ଡରୁ କିପରି ଲୁଚି ପଳାଇଲେ ସେ ସମ୍ପର୍କରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନଥିବା କହୁଥିବା ବେଳେ ଏହାକୁ ନେଇ ମଙ୍ଗଳାବାଗ ଥାନାରେ ଏକ ରିପୋର୍ଟ ହୋଇଛି। କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସାରାଦେଶ ଆତଙ୍କରେ ଥିବାବେଳେ ଏସ୍‌ସିବିର ୱାର୍ଡ ଭିତରୁ କରୋନା ସନ୍ଦିଗ୍‌ଧ ରୋଗୀ କିପରି ଖସି ପଳାଇଲେ, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏସ୍‌ସିବିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୁରକ୍ଷା ସଂସ୍ଥା ନିୟୋଜିତ କରାଯାଇଛି ଏବଂ ଚାରିଆଡ଼େ ସିସି କ୍ୟାମେରା ଲାଗିଥିବାବେଳେ ରୋଗୀଜଣକ କିପରି ଖସି ପଳାଇଲା ଏବଂ କେମିତି କାହା ନଜରରେ ପଡିଲେନି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଏହି ସନ୍ଦିଗ୍ଧ ରୋଗୀ ଜଣକ ବଡ଼ଡାକ୍ତରଖାନା ବାହାରକୁ ଆସି କେଉଁଠି ଅଛନ୍ତି, କେଉଁ ଗାଡ଼ିରେ କୁଆଡେ ଯାଇଛନ୍ତି, ତାହା ହିଁ ଉଦ୍‌ବେଗର କାରଣ ‌ହୋଇଛି। ବିନା ସୁରକ୍ଷା ଆଉ ସତର୍କତାରେ ସେ ପଳାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ବି ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର