କ୍ରୋମାଇଟ ଉତ୍ତୋଳନ ଓ ବିକ୍ରି ଆଇନ୍ ଉଲ୍ଲଂଘନ: ଟାଟା କମ୍ପାନିର ୨ଟି ଖଣିକୁ ୬୪୭କୋଟି ଟଙ୍କା ଜରିମାନା

ଯାଜପୁର : କ୍ରୋମାଇଟ୍ ଯୋଗାଣ ହୋଇପାରୁନଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶର ଅନେକ ଇସ୍ପାତ୍ ଶିଳ୍ପରେ ଅଚଳାବସ୍ଥା ଲାଗିରହିଛି। ଅଥଚ କାଳିଆପାଣି କ୍ରୋମ ଉପତ୍ୟକାରେ ଥିବା ଟାଟା କମ୍ପାନିର ୨ଟି ଖଣି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା କ୍ରୋମ ଉତ୍ପାଦନ ଓ ବିକ୍ରି କରିନଥିବାରୁ ମିନେରାଲ ଅକସନ୍ ରୁଲ-୧୩ ଅନୁଯାଇ ୬୪୭କୋଟି ୫୫ଲକ୍ଷ ୨୦ହଜାର ୭୯୩ଟଙ୍କା ରାଜ୍ୟ ସରକାରଙ୍କ ଖଣି ବିଭାଗ ଜରିମାନା କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।

ପ୍ରକାଶଥାଉକି, ଖଣି କାରବାରକୁ ସୁନିୟନ୍ତ୍ରିତ କରିବା ସହିତ ଇସ୍ପାତ ଶିଳ୍ପାଗୁଡ଼ିକୁ କଞ୍ଚାମାଲ ସୁବ୍ୟବସ୍ଥିତ ଢଙ୍ଗରେ ଯୋଗାଇ ଦେବାକୁ ଖଣିଗୁଡ଼ିକୁ ସରକାର ଗତବର୍ଷ ନିଲାମ କରିଥିଲେ। ମାତ୍ର ଖଣି କାରବାର ସୁନିୟନ୍ତ୍ରିତ ହେବା ପରିବର୍ତ୍ତେ ନାହିଁନଥିବା ସମସ୍ୟା ଲାଗି ରହିଛି। ଖଣିଜ ସାମଗ୍ରୀ ନିଲାମ ହୋଇପାରୁନାହିଁ। ଉତ୍ତୋଳନ ଓ ପରିବହନ ମଧ୍ୟ ହୋଇପାରୁନାହିଁ। ଫଳରେ କଞ୍ଚାମାଲ ନପାଇ ଶିଳ୍ପାନୁଷ୍ଠାନ ଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ସରକାର ମଧ୍ୟ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାରଙ୍କର ଇସ୍ପାତ ଓ ଖଣି ବିଭାଗର ୨୦୧୫ ମିନେରାଲ ଅକ୍ସନ ରୁଲ-୧୩ ସହିତ ଏମସି ରୁଲ-୨୦୧୬ ଯାହାକି ୨୦୨୧ରେ ସଂଶୋଧିତ ଆଇନ୍ ଅନୁଯାଇ ସର୍ବନିମ୍ନ ଖଣିଜ ପଥର ବିକ୍ରି କରିବାରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ବିଫଳ ହୋଇଛି। ଟାଟା କମ୍ପାନି ଅଧୀନରେ ଥିବା ସୁକିନ୍ଦା କ୍ରୋମାଇଟ୍ ବ୍ଲକ୍(ଖଣି) ଓ ସାରୁଆବାଲି କ୍ରୋମାଇଟ୍ ବ୍ଲକ୍ (ଖଣି) ଯଥାକ୍ରମେ ୬,୦୮,୧୬୬.୬୫ ମେଟ୍ରିକ୍ ଟନ୍ ଓ ୪୪,୩୭୫.୦୧୦ଟନ୍ କମ୍ ଖଣିଜ ପଥର ଉତ୍ତୋଳନ ଓ ବିକ୍ରି କରିଛି। ଏଥି ପାଇଁ ଯାଜପୁର ରୋଡ଼ସ୍ଥିତ ଖଣି ବିଭାଗ ଉପନିର୍ଦ୍ଦେଶକ ଗତ ୪ତାରିଖରେ ଚିଠି ନମ୍ବର ୧୨୭୪ ରେ ଟାଟାର ସୁକିନ୍ଦା ଖଣିକୁ ୬୧୩କୋଟି ୫୭ଲକ୍ଷ ୧୬ହଜାର ୮୫୦ଟଙ୍କା ଜରିମାନା କରିଛନ୍ତି ।‌ ସେହିପରି ୪ତାରିଖରେ ଚିଠି ନମ୍ବର ୧୨୭୭ରେ ସାରୁଆବାଲି ଟାଟା ଖଣିକୁ ୩୩କୋଟି ୯୮ଲକ୍ଷ ୩ହଜାର ୯୪୩ଟଙ୍କା ଜରିମାନା କରିଛନ୍ତି। ଯାହାକୁ ନେଇ ବିଭିନ୍ନ ଖଣି ନିଲାମ ନେଇ ଉତ୍ପୋଦନ କରୁନଥିବା ସଂସ୍ଥା ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧିତ ଖବର