ଦୋ ଛକିରେ ଶିକ୍ଷକ ଆନ୍ଦୋଳନ

ଆନ୍ଦୋଳନ ସ୍ଥଗିତ ଘୋଷଣାକୁ ନେଇ ବିବାଦ

ଭୁବନେଶ୍ୱର : ଶିକ୍ଷକ ଆନ୍ଦୋଳନରେ ସୃଷ୍ଟି ହୋଇଛି ଫାଟ। ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘ ଦାବି ହାସଲ ଲାଗି ମିଳିତ ଭାବେ ଆନ୍ଦୋଳନ କରୁଥିବା ବେଳେ ଆଜି ପୂର୍ବାହ୍ନରୁ ଉଭୟ ସଙ୍ଗଠନ ଦୁଇ ଫାଳ ହୋଇଯାଇଛି। ଗୋଟିଏ ସଙ୍ଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଉ ଗୋଟିଏ ସଙ୍ଗଠନର ସଭାପତି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହାରି ଭିତରେ ସନ୍ଧ୍ୟାରେ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିକୁ ନେଇ ବିବାଦ ଘନେଇଛି। ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଉଭୟ ସଙ୍ଗଠନର ସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ଦସ୍ତଖତ ଥିବା ଏକ ପ୍ରେସ୍‌ ବିଜ୍ଞପ୍ତି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଏଥିରେ କୁହାଯାଇଛି ଯେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଗଲା। ଆସନ୍ତା ୧୩ରେ ବିଭାଗୀୟ କମିଟି ଏବଂ ୧୭ ତାରିଖରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଦାବିଗୁଡ଼ିକ ବିଚାର କରାଯାଇ ନଭେମ୍ବର ୩୦ ସୁଦ୍ଧା ପୂରଣ କରିବାକୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ସ୍ଥଗିତ ରଖାଗଲା। ନଭେମ୍ବର ୧୦ ତାରିଖରୁ ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେବାକୁ ଏଥିରେ କୁହାଯାଇଛି। ଦାବି ପୂରଣ ନ ହେଲେ ଡିସେମ୍ବର ୧ରୁ ପୁଣିଥରେ ଆନ୍ଦୋଳନ କରାଯିବ। କିନ୍ତୁ ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଆନ୍ଦୋଳନ ଜାରି ରହିଛି। ମୋ ଦସ୍ତଖତ ଜାଲ୍‌ କରି ତାହାକୁ ସୋସିଆଲ୍‌ ମିଡିଆରେ ଛଡ଼ାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏନେଇ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଖଗେନ୍ଦ୍ରନାଥ ପାଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉଭୟଙ୍କ ଫୋନ୍‌ ବନ୍ଦ ରହିଛି।

ଅନ୍ୟପକ୍ଷରେ ଅପରାହ୍ନରେ ପୁଲିସ କମିସନର ଓ୍ଵାଇ.ବି. ଖୁରାନିଆ ଏବଂ ଭୁବନେଶ୍ୱର ଡିସିପି ଧାରଣା ସ୍ଥଳ ବୁଲି ଦେଖିଥିଲେ। ପରେ ସନ୍ଧ୍ୟାରେ ୫ ପ୍ଲାଟୁନ୍‌ ପୁଲିସ ଶିକ୍ଷକଙ୍କୁ ଲୋୟର ପିଏମ୍‌ଜିରୁ ଧାରଣାସ୍ଥଳକୁ ତଡ଼ି ଦେଇଥିଲେ। ଏହାପରେ ବି ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିିଛନ୍ତି।

ଗତକାଲିର ଆଲୋଚନା ବିଫଳ ହେବା ପରେ ଆଜି ମଧ୍ୟାହ୍ନରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ଭବନରେ ସଂଘର ୩୦ଟି ଯାକ ଜିଲ୍ଲା କର୍ମକର୍ତ୍ତାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଆନ୍ଦୋଳନ ଜାରି ରଖିବାକୁ ଜିଲ୍ଲା ପ୍ରତିନିଧିମାନେ ମତପ୍ରକାଶ କରିଥିବା ବେଳେ ସଂଘ ସଭାପତି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ ଆନ୍ଦୋଳନକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଗଲା। ସଭାପତିଙ୍କ ଏଭଳି ନିଷ୍ପତ୍ତିକୁ ଅନ୍ୟ କର୍ମକର୍ତ୍ତା ସହଜରେ ଗ୍ରହଣ କରିପାରି ନ ଥିଲେ। ସଭାପତି ଶ୍ରୀ ମହାନ୍ତି ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରିଛନ୍ତି ବୋଲି କିଛି ଶିକ୍ଷକ/ଶିକ୍ଷୟିତ୍ରୀ ଅଭିଯୋଗ କରିଥିଲେ। ଶିକ୍ଷକଙ୍କ ପ୍ର୍ରବଳ ବିରୋଧ ଯୋଗୁଁ ସଭାପତିଙ୍କ ସମେତ କିଛି ଆନ୍ଦୋଳନକାରୀ ଧାରଣାସ୍ଥଳ ଛାଡ଼ି ପଳାଇଥିଲେ।

ଅନ୍ୟପକ୍ଷରେ ସନ୍ଧ୍ୟାରେ ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ଏକ ପ୍ରତିନିଧିଦଳ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଭେଟିଥିଲେ। ସେହିପରି ସନ୍ଧ୍ୟାରେ ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା, ସାଧାରଣ ସମ୍ପାଦକ ଅର୍ଜୁନ କୁମାର ସେଠୀ, ଆବାହକ ସୁନିଲ୍‌ କୁମାର ପ୍ରଧାନଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘର କେତେଜଣ ଶିକ୍ଷକ/ଶିକ୍ଷୟିତ୍ରୀ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର