ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମହାସମାବେଶ : ରାଜଧାନୀରେ ପୁଲିସ-ଶିକ୍ଷକ ଧସ୍ତାଧସ୍ତି

ଭୁବନେଶ୍ୱର : ରାଜଧାନୀରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ଶିକ୍ଷକ। ଗତ ସପ୍ତାହରେ କ୍ୟାପିଟାଲ ହାଇସ୍କୁଲସ୍ଥିତ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ସମ୍ମୁଖରୁ ପୁଲିସ ଶିକ୍ଷକଙ୍କୁ ଟେକି ନେଇଥିବା ବେଳେ ଆଜି ଗାନ୍ଧୀ ମାର୍ଗରେ ମହାସମାବେଶ କରି ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ୪୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ। ଶୋଭାଯାତ୍ରା କରି ବିଧାନସଭା ଆଡ଼କୁ ଯିବା ସମୟରେ ଲୋୟର ପିଏମ୍‌ଜିଠାରେ ପୁଲିସ ସହ ଶିକ୍ଷକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ଉଭୟ ପକ୍ଷ ପରସ୍ପରକୁ ଚେୟାର ଫୋପାଡ଼ିବାରୁ ଦୁଇ ଜଣ ଶିକ୍ଷକ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଦାବି ହାସଲ ଜିଦ୍‌ରେ ଅଡ଼ି ବସିଛନ୍ତି ଶିକ୍ଷକ। ରାଜ୍ୟ ସରକାରଙ୍କ ଶିକ୍ଷା ଓ ଶିକ୍ଷକମାରଣ ନୀତିକୁ ବିରୋଧ କରି ଆଜିଠାରୁ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, କର୍ମଚାରୀ ଲୋୟର ପିଏମ୍‌ଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରଣାସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଅଧିକାରୀମାନେ ଶିକ୍ଷକଙ୍କୁ ଚାରିପଟରୁ ଜଗି ରହିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିବାରୁ ଶିକ୍ଷକମାନଙ୍କ ଆନ୍ଦୋଳନକୁ କମିସନରେଟ୍‌ ପୁଲିସ ଗୁରୁତ୍ୱର ସହ ନେଇଥିବା ଦେଖିବାକୁ ମିଳିଛି।

ମିଳିତ ମଞ୍ଚ ଡାକରାରେ ଆଜି ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ସମୂହ ଛୁଟିରେ ଆସି ଭୁବନେଶ୍ୱରରେ ଏକାଠି ହୋଇଥିଲେ। ଅପରାହ୍ନ ପ୍ରାୟ ଗୋଟାଏରେ ମିଳିତ ମଞ୍ଚର ବିଶାଳ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲା। ଶିକ୍ଷକଙ୍କ ଶୋଭାଯାତ୍ରାର ଏକ ଘଣ୍ଟା ପୂର୍ବରୁ ରାଜ୍ୟ ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟାଙ୍କୁ ପୁଲିସ ଲାଠି ମାଡ଼ କରି ଘଉଡ଼ାଇଥିଲା। ଶିକ୍ଷକମାନେ ଭୟଭୀତ ହୋଇ ବିକ୍ଷୋଭକୁ ଆସିବେ ନାହିଁ ବୋଲି ବି ଆକଳନ କରାଯାଉଥିଲା। ହେଲେ ତାହାକୁ ଖାତିର ନ କରି ହଜାର ହଜାର ଶିକ୍ଷକଙ୍କ ସମାବେଶକୁ ଦେଖି ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲେ। ଶିକ୍ଷକଙ୍କ ଶୋଭାଯାତ୍ରାର ବାଟ ଓଗାଳିଥିଲା। ଆଗକୁ ବଢ଼ିବାକୁ ଦେଇ ନ ଥିଲା। ଯେଉଁଥିପାଇଁ ଶୋଭାଯାତ୍ରାର ଅଧା ବାଟରେ ଶିକ୍ଷକ-ପୁଲିସ ଧସ୍ତାଧସ୍ତି ହୋଇଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ଉଭୟ ପକ୍ଷ ପରସ୍ପରକୁ ଚେୟାର ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ଶିକ୍ଷକ ଆହତ ହୋଇଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା କହିଛନ୍ତି ଯେ ମାଟ୍ରିକ ମୂଲ୍ୟାୟନରେ ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷକଙ୍କ ବିକଳ୍ପ ଭାବେ କନିଷ୍ଠ ଓ ଅନଭିଜ୍ଞ ଶିକ୍ଷକ, କ୍ରୀଡ଼ା ଶିକ୍ଷକଙ୍କୁ ସାମିଲ କରାଯାଇଛି। ଯେଉଁମାନେ କି ଗଣିତ, ବିଜ୍ଞାନ ଓ ଇଂରାଜି ଖାତା ମୂଲ୍ୟାୟନ କରିବେ। ଏହାଦ୍ୱାରା ପରୀକ୍ଷାର୍ଥୀଙ୍କ ଭବିଷ୍ୟତ କ’ଣ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ମହାସମାବେଶ ଏବେ ସଂକଳ୍ପ ସମାବେଶରେ ପରିଣତ ହୋଇଛି। ଶିକ୍ଷକମାନେ ସଂକଳ୍ପ ନେଇଛନ୍ତି ଯେ ସରକାର ଯଦି ଶିକ୍ଷକଙ୍କର ବିକଳ୍ପ ଖୋଜୁଛନ୍ତି ତେବେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ଧ୍ୱଂସାଭିମୁଖୀ କରିଥିବା ଅହଂକାରୀ ସରକାରର ବିକଳ୍ପ ଖୋଜାଯିବ। ଆଗାମୀ ଦିନରେ ୫ ହଜାରରୁ ଅଧିକ ସ୍କୁଲ କଲେଜରେ ତାଲା ପଡ଼ିବ। ଆନ୍ଦୋଳନରେ ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ। ଗାଁ ଗଣ୍ଡାରେ ପରିବର୍ତନର ସ୍ୱର ବ୍ୟାପକ ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର