ତେଜିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଲୋକସେବା ଭବନରେ ଧସେଇ ପଶିବାକୁ ଉଦ୍ୟମ

ନହେଲେ ନୂଆ ରାଜ୍ୟ କରିବୁ, ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଁ ତିନି ମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନହେଲେ ସ୍ବତନ୍ତ୍ର ରାଜ୍ୟ ଗଠନ କରି ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା କରାଯିବ। ଆବଶ୍ୟକ ପଡ଼ିଲେ ରକ୍ତାକ୍ତ ସଂଘର୍ଷ ମଧ୍ୟ ହେବ। ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ରାଜଧାନୀରେ ଏମିତି ଗର୍ଜିଥିଲେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା। କେବଳ ସେତିକି ନୁହେଁ, ଲୋକସେବା ଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନରତ ଓକିଲମାନଙ୍କୁ ପୁଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆନ୍ଦୋଳନ ସ୍ଥଳକୁ ଆସି କମିଟିର ପ୍ରତିନିଧିମାନଙ୍କୁ ଆଲୋଚନା ପାଇଁ ନେଇଯାଇଥିଲେ। ତିନି ମନ୍ତ୍ରୀ, ଉନ୍ନୟନ କମିସନର, ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ରାଜସ୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉପସ୍ଥିତିରେ ପ୍ରାୟ ୨ ଘଣ୍ଟାରୁ ଊର୍ଧ୍ବ ସମୟ ଧରି ହାଇକୋର୍ଟ ବେଞ୍ଚର ପୂର୍ଣ୍ଣାଙ୍ଗ ରିପୋର୍ଟ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା।

କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି, ୨୦୧୩ ମସିହାରେ ରାଜ୍ୟ ସରକାର ଯଶୋବନ୍ତ ସିଂ କମିଟିର ରିପୋର୍ଟ ଆଧାରରେ ସ୍ଥାୟୀ ବେଞ୍ଚ ପାଇଁ ସୁପାରିସ କରିଥିଲେ। ଇତିମଧ୍ୟରେ ୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ପୂର୍ଣ୍ଣ ପ୍ରସ୍ତାବ ଦିଆଯାଇ ନାହିଁ। ଉଭୟ ରାଜ୍ୟ ସରକାର ଏବଂ ହାଇକୋର୍ଟ ନିରବ ରହିଛନ୍ତି। ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଅନୁସାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଞ୍ଚଳରେ ବେଞ୍ଚ କାର୍ଯ୍ୟାଳୟ ହେବ ଏବଂ ସବୁ ଦୃଷ୍ଟିରୁ ସମ୍ବଲପୁର ହିଁ ସର୍ବୋକୃଷ୍ଟ ସ୍ଥାନ। ଦ୍ବିତୀୟତଃ ଏଥିପାଇଁ ୭ ଜଣିଆ ବିଚାରପତି ନିଯୁକ୍ତ ହେବେ ଏବଂ ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି, କୋଠା ସହିତ ଆନୁଷଙ୍ଗିକ ଖର୍ଚ୍ଚ ବହନ ପାଇଁ ସ୍ପଷ୍ଟ ଉଲ୍ଲେଖ ରହିବ। ନ୍ୟାୟାଳୟର ମତାମତ ଏବଂ ରାଜ୍ୟପାଳଙ୍କ ପରାମର୍ଶ ନେଇ ସରକାର ଯଥାଶୀଘ୍ର କେନ୍ଦ୍ରକୁ ପ୍ରସ୍ତାବ ଦିଅନ୍ତୁ ବୋଲି ସରକାରଙ୍କୁ କୁହାଯାଇଛି।

ଲୋକସେବା ଭବନରେ ଧସେଇ ପଶିବାକୁ ଉଦ୍ୟମ
ହାଇକୋର୍ଟ ବେଞ୍ଚ ସ୍ଥାପନ ନହେଲେ ନୂଆ ରାଜ୍ୟ କରିବୁ
ପୂର୍ଣ୍ଣାଙ୍ଗ ରିପୋର୍ଟ ପାଇଁ ତିନି ମନ୍ତ୍ରୀଙ୍କ ସହ ଆଲୋଚନା
ଆନ୍ଦୋଳନରେ ବିରୋଧୀ ଦଳ ନେତାଙ୍କ ସହ ବିଜେପିର ୩ ବିଧାୟକ ସାମିଲ

ସେହିଭଳି ୨୦୧୯ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ସ୍ଥାଣୁ ପାଲଟିଛି। ଏହାକୁ ମଧ୍ୟ କାର୍ଯ୍ୟକ୍ଷମ ପାଇଁ ଦାବି ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ନଥିବାରୁ ମନ୍ତ୍ରୀମାନେ ଏ ସଂକ୍ରାନ୍ତରେ ଠୋସ ପ୍ରତିଶ୍ରୁତି କିଛି ଦେଇନାହାନ୍ତି। ହେଲେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ପଦକ୍ଷେପ ନିଆଯିବ ବୋଲି ତିନି ମନ୍ତ୍ରୀ ଏବଂ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଖୁବ ଶୀଘ୍ର ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଏସି ପ୍ରତିନିଧିଙ୍କ ଆଲୋଚନା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ।

ଏଥିପୂର୍ବରୁ ସକାଳେ ପୂର୍ବଘୋଷଣା ଅନୁଯାୟୀ, ଲୋୟର ପିଏମଜିରେ ସିଏସି ଆବାହକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସଦସ୍ୟ ସୁରେଶ୍ବର ମିଶ୍ର, ବିଜିତେନ୍ଦ୍ରୀୟ ପ୍ରଧାନଙ୍କ ଉପସ୍ଥିତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକୁ ସମର୍ଥନ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ସାମିଲ ହୋଇ ବକ୍ତବ୍ୟ ଦେଇଥିଲେ। ହାଇକୋର୍ଟ ବେଞ୍ଚ ଦାବି ପୂରଣରେ ବିଳମ୍ବ ଯୋଗୁ ସ୍ବତନ୍ତ୍ର ରାଜ୍ୟ ଦାବି ପ୍ରସଙ୍ଗ ତେଜୁଛି ବୋଲି ବିଧାୟକମାନେ କହିଥିଲେ। ଅନ୍ୟଦିଗରେ ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ସିଏସି ଦିଲ୍ଲୀ ଚଲୋ ଡାକରା ଦେବ। ଅଲଓଡ଼ିଶା ଲୟର୍ସ ଆସୋସିଏସନର ସଭାପତି ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ସମର୍ଥନରେ ଆନ୍ଦୋଳନରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର