କାଳିଆପାଣି: ଅଜଣା ‌ରୋଗରେ ୧୦ଜଣଙ୍କ ଅକାଳ ମୃତ୍ୟୁ

କାଳିଆପାଣି : ଗୋଟିଏ ବସ୍ତିରେ ତିନିମାସ ମଧ୍ୟରେ ୧୦ ଅକାଳ ମୃତ୍ୟୁ। ମୃତ୍ୟୁର କାରଣ ଅଜଣା। ମୃତକଙ୍କ ମଧ୍ୟରୁ କେହି ଡାକ୍ତରଖାନା ଯାଇନାହାନ୍ତି। ଝଡ଼ାଫୁଙ୍କା, ପୂଜାପାଠ ଓ ପାରମ୍ପରିକ ଜଡ଼ିବୁଟି ଉପଚାର ଏହି ମୃତ୍ୟୁକୁ ଅଟକାଇ ପାରିନାହିଁ। ଯାଜପୁର ଜିଲ୍ଲାର ଖଣିଜ ସମୃଦ୍ଧ ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ମହୁଲଖାଲ ରାଜସ୍ବ ମୌଜାର ୪୦ ପରିବାର ବିଶିଷ୍ଟ ମୁଣ୍ଡାସାହିରେ ଏଭଳି ଅକାଳ ମୃତ୍ୟୁକୁ ନେଇ ଆତଙ୍କ ଖେଳିଯାଇଛି। କେବଳ ଚଳିତ ମାସ ବସ୍ତିରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୧, ୬, ୮ ଓ ୧୧ ତାରିଖରେ ଯଥାକ୍ରମେ ସ୍ବର୍ଗତ ବାଜାଇ ବିରୁଆଙ୍କ ପତ୍ନୀ ଯଶୋଦା(୪୮), ସ୍ବର୍ଗତ ସୁକୁରା ‌ସୋରେନଙ୍କ ପତ୍ନୀ ସ‌ାଲୁ ଓରଫ୍‌ ସାଲୋ(୫୭), ବୃଦ୍ଧ ଦୈତାରୀ ମହାନ୍ତ ଓ ସ୍ବର୍ଗତ ରାଜେନ୍ଦ୍ର ମୁଣ୍ଡାଙ୍କ ପତ୍ନୀ ରାଙ୍କି(୫୫)ଙ୍କ ମୃତ୍ୟୁ ହୋଇଥିଲା। ଜୁଲାଇ ମାସ ୨ ତାରିଖରେ ମୁଚିରାମ ବିରୁଆଙ୍କ ପତ୍ନୀ କାଇରି(୬୦) ଓ ଗତ ଜୁନମାସ ୨୨ ତାରିଖରେ ୨ ଜଣ ଚନ୍ଦ୍ର ସିର୍‌କାଙ୍କ ପୁଅ ଗୋଲେଖ(୨୩) ଓ ସ୍ବର୍ଗତ ମଙ୍ଗୁଳୁ ପିଙ୍ଗୁଆଙ୍କ ପତ୍ନୀ ସମ୍ବାରୀ(୬୦), ଜୁନ ୧୩ ତାରିଖରେ ମନେଇ ପିଙ୍ଗୁଆଙ୍କ ପତ୍ନୀ ଲକ୍ଷ୍ମୀ(୩୫) ଓ ୧୧ ତାରିଖ ଗୁରୁଚରଣ ମୁଣ୍ଡା(୬୫)ଙ୍କ ମୃତ୍ୟୁ ‌ହୋଇଥିଲା। ମେ ମାସ ୧୦ ତାରିଖରେ ଗାଁର ବୈଦ୍ୟ ‌କାଳୀଦାସ ଟୁଡ଼ୁ(୫୫)ଙ୍କର ଦେହାନ୍ତ ହୋଇଥିଲା।

ସମସ୍ତେ ନିଜ ନିଜ ଘରେ ହିଁ ଆଖି ବୁଜିଥିଲେ। ଘରଘର ବୁଲିବୁଲି ରୋଗୀଙ୍କୁ ଜଡ଼ିବୁଟି ଦେଉଥିବା ଓ ଝଡ଼ାଫୁଙ୍କା କରୁଥିବା କାଳୀଦାସ ଟୁଡ଼ୁ ମଧ୍ୟ ଠିକ୍ ସମୟରେ ଆଧୁନିକ ଡାକ୍ତରୀ ଚିକିତ୍ସା କରିନଥିଲେ। ଯଦିଓ ତାଙ୍କ ପତ୍ନୀ ଜଣେ ସରକାରୀ ଶିକ୍ଷୟିତ୍ରୀ। ଏକାଧିକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଶୀର୍ଷ ସ୍ତରରେ ଥିବା ଆଳରେ ବିଭାଗୀୟ କର୍ମଚାରୀ ରୋଗୀଙ୍କୁ ନଆଣିବାକୁ କହିଥିଲେ ବୋଲି ମୃତ କାଳୀଦାସଙ୍କ ପତ୍ନୀ ଶିକ୍ଷୟିତ୍ରୀ ଲୀଳାବତୀ ସୋରେନ କହନ୍ତି।

ଏବେ ଏହି ବସ୍ତିର ୪ ଜଣ ବ୍ୟକ୍ତି ତଥା ମୃତ ଗୋଲେଖ ସିର୍‌କାଙ୍କ ମାଆ ବୁଦୁନି(୫୫), ଘନ ହାଁସଦାଙ୍କ ପତ୍ନୀ ଘାସ(୪୭), ସ୍ବର୍ଗତ ଦାଶରଥି ମୁଣ୍ଡାଙ୍କ ପତ୍ନୀ ଜାନ ମୁଣ୍ଡା(୬୦) ଓ ଶଙ୍କର ହାଁସଦା(୫୧) ରୋଗଶଯ୍ୟା‌ରେ ପଡ଼ିଛନ୍ତି। ସମସ୍ତ ମୃତକଙ୍କ ପରିବାର ଓ ଅସୁସ୍ଥମାନେ ଅତ୍ୟନ୍ତ ଗରିବ‌ ଶ୍ରେଣୀର।

ସମ୍ବନ୍ଧିତ ଖବର