ରୋଗୀ ମୃତ୍ୟୁ ନେଇ ବଡ଼ ମେଡିକାଲରେ ତୁମୁଳକାଣ୍ଡ

ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ; କନିଷ୍ଠ ଡାକ୍ତର ପିନ୍ଧିଲେ କଳା ବ୍ୟାଜ୍‌

କଟକ : କଟକ ବଡ଼ ମେଡିକାଲରେ ଗତକାଲି ବିଳମ୍ବିତ ରାତିରେ ଜଣେ ରୋଗୀର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ମୃତ ରୋଗୀଙ୍କ ସଂପର୍କୀୟ ଏବଂ ଡ୍ୟୁଟି କରୁଥିବା ହାଉସ୍‌ ସର୍ଜନଙ୍କ ମଧ୍ୟରେ ହାତାହାତି ହୋଇଛି। ଘଟଣାକୁ ନେଇ ହାଉସ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଜୁନିଅର ଡାକ୍ତର ଓ ସିନିଅର୍‌ ରେସିଡେଣ୍ଟ୍‌ ମାନେ କଳା ବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ହାଉସସର୍ଜନଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଜଣେ ରୋଗୀ ସଂପର୍କୀୟଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ୩ ଦଫା ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବେ ବୋଲି ହାଉସ୍‌ ସର୍ଜନଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ ମାହାଙ୍ଗା ମୋଗଲ ପାଟଣାରୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇ ଆସିଥିବା ନୃସିଂହ ଚରଣ ଦାସ (୬୫)ଙ୍କୁ ମଙ୍ଗଳବାର ସଂଧ୍ୟା ୭ଟା ବେଳେ ଏସ୍‌ସିବି ମେଡିକାଲ୍‌କୁ ଅଣାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଆଇସିୟୁରେ ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ ଆଇସିୟୁ ଖାଲି ନଥିବାରୁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କୁହାଯାଇଥିଲା। ତେଣୁ ତାଙ୍କୁ ପୁରୁଣା ମେଡିସିନ୍‌ ଓ୍ଵାର୍ଡର ୨ନମ୍ବର ୟୁନିଟ୍‌କୁ ପଠାଇ ଦିଆଯାଇଥିଲା। ସେଠାରେ କିଛି ସମୟ ପଡ଼ିରହିବା ପରେ ନୃସିଂହଙ୍କ ମୃତ୍ୟୁ ହୋଇଥିଲା। ହେଲେ ଡାକ୍ତର ସେତେବେଳକୁ କିଛି ଜଣାଇନଥିଲେ। ଅନେକ ସମୟ ପରେ ହାଉସ ସର୍ଜନ ଅମନ କୁମାର ବେହେରା ସେଠାରେ ପହଞ୍ଚି ନୃସିଂହଙ୍କ ପରୀକ୍ଷା କରି ମୃତ୍ୟୁ ହୋଇଯାଇଥିବା ଜଣାଇଥିଲେ। ତେବେ ଏଥିରେ ମୃତକଙ୍କ ଦୁଇ ପୁଅ ବିଭୂଦତ୍ତ ଦାସ ଓ ଦୀପ୍ତିରଂଜନ ଦାସଙ୍କ ସହିତ ଅନ୍ୟଜଣେ ସମ୍ପର୍କୀୟ ପ୍ରିୟବ୍ରତ ସିଂହ ସଂଧ୍ୟାବେଳେ ମୃତକଙ୍କୁ ଦେଖିଥିବା ଡାକ୍ତରଙ୍କ ନାମ ଜାଣିବାକୁ ଚାହିଁଥିଲେ। ଏ ସମ୍ପର୍କରେ ସେମାନେ ଉପସ୍ଥିତ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କୁ ପଚାରିବାରୁ ଉଭୟପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ସେହି ସମୟରେ ଉପସ୍ଥିତ ହାଉସ ସର୍ଜନମାନେ ହଷ୍ଟେଲ୍‌ରୁ ଅନ୍ୟ ହାଉସ ସର୍ଜନଙ୍କୁ ଡାକି ଆଣିବାରୁ ସମସ୍ତେ ସଂଘବଦ୍ଧ ଭାବେ ଉକ୍ତ ତିନିଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିଲେ। ପରେ ଖବର ପାଇ ମେଡିକାଲ୍‌ ଫାଣ୍ଡି ପୁଲିସ୍‌ ଉକ୍ତ ତିନିଜଣଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଉକ୍ତ ତିନିଜଣଙ୍କୁ ଗିରଫ କରବା ପାଇଁ ହାଉସ ସର୍ଜନମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଘଟଣା ସମ୍ପର୍କରେ ଅଧୀକ୍ଷକଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ବୁଧବାର ସକାଳେ ମଙ୍ଗଳାବାଗ ଥାନାରେ ଅମନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଥିଲାବେଳେ ଅଧୀକ୍ଷକ ମଧ୍ୟ ଘଟଣା ବିଷୟରେ ଲିଖିତ ଭାବେ ଥାନାକୁ ଜଣାଇ ଦେଇଥିଲେ। ଅଭିଯୋଗକୁ ଆଧାର କରି ଥାନାରେ ମାମଲା ରୁଜୁ ହେବା ସହିତ ପ୍ରିୟବ୍ରତଙ୍କୁ ପୁଲିସ ଅଟକ ରଖିଛି।

ଅଧିକାଂଶ ପିଜି, ଏସ୍‌ଆର୍‌ ଓ ଆସିଷ୍ଟାଣ୍ଟ ପ୍ରଫେସରମାନେ ରାତି ଡ୍ୟୁଟିରେ ଅନୁପସ୍ଥିତ ରହୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଆନ୍ଦୋଳନକାରୀ ହାଉସ ସର୍ଜନଙ୍କ ପକ୍ଷରୁ କୁହାଯାଇଛି। ହାଉସ ସର୍ଜନଙ୍କ ସୁରକ୍ଷା ବୃଦ୍ଧି କରିବା, ଷ୍ଟାଇପେଣ୍ଡ ୧୫ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି ଓ ଅଧୀକ୍ଷକଙ୍କୁ ତାଙ୍କ ପଦବିରୁ ବାହାର କରାଯିବା ଦାବିରେ ଆନ୍ଦୋଳନ ଜାରି ରହିଛି। ଅନ୍ୟପକ୍ଷରେ ହାତାହାତି ଘଟଣାରେ ପୁଲିସ୍‌ ତିନି ଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ଥାନାକୁ ନେଇଥିଲାବେଳେ ଜଣକୁ ଅଟକ ରଖିଛି। ମୃତକଙ୍କ ଦୁଇ ପୁଅଙ୍କୁ ୪୧(ଏ) ସିଆର୍‌ପିସି ଅନୁଯାୟୀ ନୋଟିସ୍‌ ଦିଆଯାଇ ଛାଡ଼ି ଦିଆଯାଇଛି।

ମେଡିକାଲ୍‌ କର୍ମଚାରୀ କିମ୍ବା ଡାକ୍ତରମାନଙ୍କ ପାଇଁ ରୋଗୀସେବା ଯଦି ବାଧାପ୍ରାପ୍ତ ହୁଏ ତାହେଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧୀକ୍ଷକ ପ୍ରଫେସର ଶ୍ୟାମା କାନୁନଗୋ କହିବାରୁ ତାହାକୁ ନେଇ ହାଉସ ସର୍ଜନମାନେ ଅଧୀକ୍ଷକଙ୍କ ପଦଚ୍ୟୁତି ଦାବି କରିବା ଆରମ୍ଭ କରିଛନ୍ତି। ସକାଳ ୯ଟାରୁ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ରଖାଯାଇଥିଲାବେଳେ କୌଣସି କର୍ମଚାରୀ କାର୍ଯ୍ୟ କରିବାକୁ ଯାଇପାରିନଥିଲେ। ପରେ କର୍ମଚାରୀଙ୍କ ଅନୁରୋଧକ୍ରମେ ଓଏସ୍‌ଟିଏଫ୍‌ ଅଫିସ୍‌କୁ ଅପରାହ୍ନ ୪ଟାବେଳେ ଖୋଲାଯାଇଥିଲା। ସେଠାରେ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ, ହସ୍‌ପିଟାଲ ମ୍ୟାନେଜର ପ୍ରମୁଖ କ୍ୟାମ୍ପ ଅଫିସ୍‌ ଆରମ୍ଭ କରିଥିଲେ। ଦିନବେଳା କନିଷ୍ଠ ଡାକ୍ତର ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇ ଆନ୍ଦୋଳନକୁ ତୀବ୍ରତର କରିବାକୁ ନିଷ୍ପତ୍ତି ନିଆଯାଇଛି। ପିଜି, ଏସ୍‌ଆର୍‌ ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି। ଅନ୍ୟପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଡାକ୍ତରମାନଙ୍କ ଆନ୍ଦୋଳନ ପାଇଁ ରୋଗୀସେବା ପ୍ରଭାବିତ ହେବା ଉଚିତ୍‌ ନୁହେଁ। ଏ ଡାକ୍ତରଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ନଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର