ବୁଗୁଡ଼ା : ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣ ନେଇ ଉତ୍ତେଜନା

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରର ୨୦୦ ମିଟର ପରିଧି ପର୍ଯ୍ୟନ୍ତ ପ୍ରଶାସନ ୧୪୪ ଧାରା ଜାରି କରିଛି। ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସେମାନଙ୍କ ସଂପର୍କୀୟମାନେ ଆସି ଭେଟିବା ପରେ କଟକଣା ଲଗାଯାଇଛି। ଏହାସହ ପ୍ରବାସୀ ଓଡ଼ିଆଙ୍କ ଗତିବିଧି ଉପରେ ବି କଡ଼ା ନଜର ରଖାଯାଇଛି। ତଥାପି ଗୋଟିଏ ପରେ ଗୋଟିଏ ବେଆଇନ୍ କାର୍ଯ୍ୟକଳାପ ସାମ୍ନାକୁ ଆସୁଛି। ଆଜି ବୁଗୁଡ଼ା ବ୍ଲକ୍ ବି.କରଡ଼ାବାଡ଼ି ପଞ୍ଚାୟତ ଅଧୀନ ଦଦରାଖୋଲ ସଙ୍ଗରୋଧ କେନ୍ଦ୍ରକୁ ମଦ ଚାଲାଣ ବେଳେ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପହଞ୍ଚିଛି।

ମିଳିଥିବା ସୂଚନାନୁସାରେ, ଦଦରା‌ଖୋଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ୩୮ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଉକ୍ତ ପ୍ରବାସୀଙ୍କ ମଧ୍ୟରେ ବିରଞ୍ଚିପୁର ଗ୍ରାମର ଜଣେ‌ ବ୍ୟକ୍ତି ଅଛନ୍ତି। ଉକ୍ତ ବ୍ୟକ୍ତିଙ୍କ ଲାଗି ଆଜି କିଛି ଯୁବକ ମଦ ନେଇ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ପହଞ୍ଚି ମଦ ଆଣିଥିବା ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବାରୁ ଯୁକ୍ତିତର୍କ ହୋଇଥିଲା। ଫଳରେ ପରିସ୍ଥିତି ଅଶାନ୍ତ ହୋଇ ଉଠିଥିଲା। ବୁଗୁଡ଼ା ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ଉକ୍ତ ଯୁବକମାନଙ୍କୁ ସେଠାରୁ ଘଉଡ଼ାଇଥିଲା। ତେବେ ଏହା ପରେ ସଙ୍ଗରୋଧ କେନ୍ଦ୍ରରେ ଥିବା କିଛି ଅନ୍ତେବାସୀ ପାଟିତୁଣ୍ଡ କରିବା ସହ ଗ୍ରାମବାସୀଙ୍କୁ ଦେଖିଦେବୁ ବୋଲି ଧମକଚମକ ଦେଇଥିବା ଜଣାପଡ଼ିଛି। ତେବେ ୧୪୪ ଧାରା ଜାରି ସତ୍ତ୍ବେ ଅନାୟାସରେ ସଙ୍ଗରୋଧ କେନ୍ଦ୍ର ଭିତରକୁ ମଦ ଓ ଅନ୍ୟ ନିଶାଦ୍ରବ୍ୟ ଯାଇପାରୁଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି। କେବଳ ୧୪୪ ଧାରା ଜାରି ନୁହେଁ, ଆଗକୁ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ ନକଲେ ପରିସ୍ଥିତି ବିଗିଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର