ହାଜତ ମୃତ୍ୟୁ ପରେ ମାତିଲେ ଲୋକେ, ଅଇଁଠାପାଲି ଥାନା ଭସ୍ମୀଭୂତ, ପୁଲିସର ଫାଙ୍କା ଗୁଳି ଚାଳନା

ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ଅନୁକମ୍ପା ରାଶି

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଥାନା ହାଜତରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ ଘଟି ଯାଇଛି । ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରିବା ସହ ଥାନାରେ ନିଅାଁ ଲଗାଇ ଦେଇଛନ୍ତି । ଥାନା ଭସ୍ମୀଭୂତ ହୋଇ ଯାଇଛି । ଥାନା ହାଜତରେ ଥିବା ଅଭିଯୁକ୍ତ ଅବିନାଶ ମୁଣ୍ଡା ଆତ୍ମହତ୍ୟା କରିବା ପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏପରି ଘଟିଛି ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଓ ସାଧାରଣ ଜନତା ଏପରି କାଣ୍ଡ ଘଟାଇଛନ୍ତି । ଏହି ଘଟଣା ପରେ ପୁଲିସ ଡିଜି ଡ଼ା. ଆର୍‌.ପି.ଶର୍ମା ଅଇଁଠାପାଲି ଥାନା ଅଧିକାରୀଙ୍କ ସମେତ ଥାନାର ଡ଼ାଇରି ଇନ୍‌ଚାର୍ଜ ଅଫିସର ଏବଂ ଜଣେ କନେଷ୍ଟବଳଙ୍କୁ ନିଲମ୍ବିତ କରିଛନ୍ତି । ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଛନ୍ତି। ଏହି ଘଟଣାର ତଦନ୍ତ ଦାୟିତ୍ୱ ଉତ୍ତରାଞ୍ଚଳ ଡ଼ିଆଇଜି ସୁଶାନ୍ତ ନାଥଙ୍କୁ ଦିଆଯାଇଛି । ସେ ସ୍ୱାଧୀନ ଭାବେ ଘଟଣାର ତଦନ୍ତ କରିବେ। ସେହିପରି ମାନବିକ ଅଧିକାର ଏଡିଜି ମଧ୍ୟ ହାଜତ ମୃତ୍ୟୁ ଘଟଣାର ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବେ।

ଘଟଣାରୁ ପ୍ରକାଶ, ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଜି ଚାଲିଥିବା ବେଳେ ସେଠାରୁ ଉପହାର ଅର୍ଥ ଚୋରି ଅଭିଯୋଗରେ ଭାଲୁପାଲି ଗାଁର ଅବିନାଶ ମୁଣ୍ଡାଙ୍କୁ ପୁଲିସ ଥାନାଙ୍କୁ ନେଇ ପଚରାଉଚରା କରିଥିଲା । ପୁଲିସର କହିବା ଅନୁଯାୟୀ, ଅବିନାଶଙ୍କ ଘରୁ ଚୋରି ଜିନିଷ ମଧ୍ୟ ଜବତ ହୋଇଥିଲା । ଅଧିକ ତଦନ୍ତ ଲାଗି ଅବିନାଶଙ୍କୁ ଥାନା ହାଜତରେ ରଖା ଯାଇଥିଲା । ସେ ତାଙ୍କୁ ଦିଆ ଯାଇଥିବା କମ୍ବଳକୁ ଚିରି ତାକୁ ବେକରେ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ରାତି ପ୍ରାୟ୧ଟା ବେଳେ ଅବିନାଶଙ୍କୁ ହାଜତରେ ଦଉଡି ଲଗାଇଥିବା ଅବସ୍ଥାରେ ଦେଖିବା ପରେ ପୁଲିସ ପକ୍ଷରୁ ମାଜିଷ୍ଟ୍ରେଟ୍‌ଙ୍କୁ ଥାନାକୁ ଡ଼କାଯାଇ ଅବିନାଶଙ୍କୁ ସଦର ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ସେ ମୃତ ବୋଲି ଜଣାପଡ଼ିଥିଲା ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ସେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଶୁକ୍ରବାର ସକାଳେ ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ ମାଡ଼ରେ ଅବିନାଶର ମୃତ୍ୟୁ ହୋଇଥିବା ଅଭିଯୋଗ କରି ସେମାନେ ରାସ୍ତାରୋକ କରିଥିଲେ । ଏହାପରେ ଅସନ୍ତୋଷ ଉଗ୍ରରୂପ ନେଇଥିଲା । ଭାଲୁପାଲି ଗାଁର ଶହ ଶହ ଲୋକ ଅଇଁଠାପାଲି ଥାନାକୁ ଆସି ପୁଲିସ ଉପରକୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଏହା ପରେ ଥାନା ଉପରକୁ ପଥରମାଡ଼ କରିବା ସହ ଥାନାରେ ନିଅାଁ ଲଗାଇ ଦେଇଥିଲେ । ଏହି ଆକ୍ରମଣରେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଘଟଣା ସମୟରେ ଥାନାରେ ଉପସ୍ଥିତ ଥିବା ସଞ୍ଜିବ ଆରୋରା ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କ ନିୟନ୍ତ୍ରଣ ବାହାରକୁ ପରିସ୍ଥିତି ଚାଲିଯାଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଲୋକେ ଥାନାକୁ ଘେରି ନିଅାଁ ଲଗାଇବା ସହ ଆକ୍ରମଣ ଜାରି ରଖିଥିଲେ ମଧ୍ୟ ରାସ୍ତା ଅବରୋଧ ହେତୁ ପୁଲିସଫୋର୍ସ ଏବଂ ଦମକଳ ବାହିନୀ ପହଞ୍ଚି ପାରି ନଥିଲା । ଲୋକମାନେ ଥାନାର ଆସବାବପତ୍ର ଏବଂ କାଗଜପତ୍ର ଜାଳିବା ସହ ଥାନା ପରିସରରେ ଥିବା ଗାଡ଼ିଘୋଡ଼ାରେ ମଧ୍ୟ ନିଅାଁ ଲଗାଇ ଦେଇଥିଲେ ।

ଦିନ ପ୍ରାୟ ୧୨ଟା ବେଳକୁ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ପୁଲିସଫୋର୍ସ ଓ ଦମକଳ ବାହିନୀ ନେଇ ଅଇଁଠାପାଲି ଥାନାରେ ପହଞ୍ଚିଥିଲେ । ଏହାପରେ ପୁଲିସ ପକ୍ଷରୁ ଲୋକମାନଙ୍କୁ ଘଉଡ଼ାଇବା ଲାଗି ଫାଙ୍କା ଗୁଳି ଚାଳନା କରା ଯାଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ସମ୍ବନ୍ଧିତ ଖବର