ସେକ୍ସ ରାକେଟ ଅଭିଯୋଗ ପରେ ଘର ଭାଙ୍ଗିଲା ପ୍ରଶାସନ

ବ୍ୟାସନଗର, :ଦୀର୍ଘଦିନ ଧରି ଚାଲିଥିଲା ଅନୈତିକ କାରବାର। ଜନୈକା ମହିଳା ବିଭିନ୍ନ ଅଞ୍ଚଳରୁ ନାବାଳିକା ଓ ଯୁବତୀଙ୍କୁ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିଲା। ଦୁଇବର୍ଷ ତଳେ ପୁଲିସ ସଂପୃକ୍ତ ରାଣୀମହୁମାଛି ମହିଳାକୁ ଗିରଫ କରିଥିଲା। କୋର୍ଟ ନିର୍ଦେଶ ପରେ ଯାଜପୁର ରୋଡ ଥାନା ଅଧୀନ ଶୋବରା ଗ୍ରାମର ବହୁଚର୍ଚ୍ଚିତ ଏହି ଘରକୁ ଆଜି ପ୍ରଶାସନ ଭାଙ୍ଗି ଦେଇଛି।

ସଂପୃକ୍ତ ମହିଳା ଏହି ଘ​ରେ ଜଣେ ନାବାଳିକାକୁ ରଖି ଅନୈତିକ କାର୍ଯ୍ୟରେ ଲଗାଇଥିଲା। ନାବାଳିକା ଏକ ସନ୍ତାନ ଜନ୍ମ ଦେବା ପରେ ପିଲାଟିକୁ ସେ ବିକ୍ରି କରିଦେଇଥିଲା। ଏସପିଙ୍କ ନିର୍ଦେଶକ୍ରମେ ତତ୍କାଳୀନ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସେହି ଘରେ ଚଢ଼ଉ କରି ମହିଳାଙ୍କ ସମେତ ଦୁଇ ସହଯୋଗୀଙ୍କୁ ଗିରଫ କରି କେସ ନମ୍ବର ୩୩୯/୨୦ରେ କୋର୍ଟଚାଲାଣ କରିଥିଲା। ସେମାନଙ୍କ ବିରୋଧରେ ବିଭିନ୍ନ ସଙ୍ଗିନ ଦଫା ଲାଗିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲେ।

ରାଣୀ ମହୁମାଛି ଓ ସହଯୋଗୀ ଉକ୍ତ ଘଟଣାରେ ବହୁଦିନ ଧରି ହାଜତରେ ରହିଥିଲେ। ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ସରକାରୀ ଜାଗାରେ ଥିବା ଏହି ଘରକୁ ତୁରନ୍ତ ଭାଙ୍ଗିବା ପାଇଁ କୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତଦନୁଯାୟୀ ବ୍ୟାସନଗର ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ଆଜି ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ଉପସ୍ଥିତିରେ ଜେସିବି ମେସିନ ଲଗାଇ ଘରଟିକୁ ଭଙ୍ଗାଯାଇଛି। ସବ୍ଇନ୍ସପେକ୍ଟର ଗଙ୍ଗାଧର ବାରିକଙ୍କ ସମେତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର