ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସ୍‌ଆଇ ଟିମ୍‌, ଶ୍ରୀମନ୍ଦିର ଗର୍ଭଗୃହ ରସାୟନିକ ସଫେଇ ହେବ

୧୦ ଦିନରେ ରୋଷଘର ଚଟାଣ ମରାମତି ସରିବ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହର ରସାୟନିକ ସଫେଇ ସହ ପ୍ଲାଷ୍ଟର କରାଯିବ। ଆସନ୍ତା ୧୦ ଦିନ ମଧ୍ୟରେ ଶ୍ରୀମନ୍ଦିରର ରୋଷଘର ଚଟାଣର ମରାମତି କାର୍ଯ୍ୟ ଶେଷ ହେବ। କଳାହାଟ ଦ୍ବାରର ରୁପା ଛାଉଣି କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ। ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା)ର ଏକ ଟିମ୍‌ ଶ୍ରୀମନ୍ଦିର ଗର୍ଭଗୃହ ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି।

ଏଏସ୍‌ଆଇ ଓଡ଼ିଶା ମଣ୍ଡଳର ସୁପରିଟେନ୍‌ଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି, ଜଗମୋହନ ଓ ନାଟମଣ୍ଡପର ସ୍ଥିତି ଠିକ୍‌ ରହିଛି। କେବଳ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଯିବା ନେଇ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିବାପରେ ଖୁବଶୀଘ୍ର ସିସିଟିଭି ଲଗାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ଯାଞ୍ଚ ଦଳରେ ଶ୍ରୀ ମଲ୍ଲିକଙ୍କ ସମେତ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀ କନ୍‌ଜରଭେସନ୍‌ ସୁପରିଟେଣ୍ଡେଣ୍ଟ୍‌ ଇଂଜିନିୟର ଭୀମା, କେମିକାଲ୍ ଇଂଜିନିୟର ରଞ୍ଜନା ପୁଷ୍କରଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଶ୍ରୀଜିଉ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯିବାପରେ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କାର୍ଯ୍ୟ କରାଯାଉଛି। ସେଇ ପରିପ୍ରେକ୍ଷୀରେ ଆଜି ଏହି ଅନୁଧ୍ୟାନ କରାଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ଭାରା ବନ୍ଧା ସରିଥିବା ବ‌େଳେ ଏଏସ୍‌ଆଇର ବୈଷୟିକ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ମଧ୍ୟରେ ମରାମତି କାର୍ଯ୍ୟ କରାଯିବ। ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଛି। କଳାହାଟ ଦ୍ବାରକୁ ରୁପା ଚାଦରରେ ଛାଉଣି କରିବା ପାଇଁ ମୁମ୍ବାଇରୁ ଏକ ସ୍ବତନ୍ତ୍ର ଟିମ୍‌ ପୁରୀରେ ଆସି ପହଞ୍ଚିସାରିଛି। ତେଣୁ ଯଥାଶୀଘ୍ର ଏହାର କାମ ସମ୍ପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର