ପିଲା ପଢ଼ିବେ ପୁରୁଣା ପାଠ, ଗ୍ରୀଷ୍ମ ଛୁଟି କମାଯାଇ ବ୍ରିଜ୍‌ କୋର୍ସ ହେବ

ଭୁବନେଶ୍ବର: କରୋନା ସମୟରେ ପ୍ରଭାବିତ ହୋଇଥିବା ସ୍କୁଲ ପିଲାଙ୍କ ପାଠପଢ଼ାକୁ ଭରଣା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ୭୦ କୋଟି ଟଙ୍କା ଖର୍ଚ୍ଚରେ ତୃତୀୟରୁ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବ୍ରିଜ୍‌ କୋର୍ସର ଆୟୋଜନ କରାଯାଉଛି। ଯେଉଁଥିରେ ପିଲାଙ୍କ ଇଂରାଜୀ, ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ତୃତୀୟ ପକ୍ଷ ଏଜେନ୍ସି ନିଯୁକ୍ତ କରି ଏଭଳି ଏକ ନୂଆ ପ୍ରଣାଳୀ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ପୂର୍ବରୁ କେବେ ବି ଓଡ଼ିଶାରେ ‌ହୋଇ ନଥିଲା। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ତୃତୀୟରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ହେବାକୁ ଥିବା ଏହି କୋର୍ସରେ ଛାତ୍ରଛାତ୍ରୀଙ୍କୁ ଗତ ଦୁଇବର୍ଷ ପାଠ୍ୟକ୍ରମକୁ ୪୦:୬୦ ଅନୁପାତରେ ସାମିଲ କରାଯିବ। ବୋର୍ଡ ପରୀକ୍ଷା ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ଏଥିରୁ ବାଦ୍‌ ପଡ଼ିବେ। ଉଦାହରଣ ସ୍ବରୂପ, ଜଣେ ଛାତ୍ର ଏବେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ତେଣୁ ଏହି ବ୍ରିଜ୍ କୋର୍ସ ମାଧ୍ୟମରେ ତାଙ୍କୁ ୪ର୍ଥ ଓ ୫ମ ଶ୍ରେଣୀର ପାଠ ପଢ଼ାଯିବ। ଚତୁର୍ଥ ଶ୍ରେଣୀର ୪୦% ଓ ୫ମ ଶ୍ରେଣୀର ୬୦% ପାଠ କୋର୍ସରେ ରହିବ। ନିଯୁକ୍ତି ହେବାକୁ ଥିବା ଏଜେନ୍ସି ଏଥିପାଇଁ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ କରିବ। ବ୍ରିଜ୍ କୋର୍ସର ପାଠ୍ୟକ୍ରମ ପସ୍ତୁତିଠାରୁ ଆରମ୍ଭ କରି ଶିକ୍ଷକଙ୍କ ପ୍ରଶିକ୍ଷଣ, ପିଲାଙ୍କ ଦକ୍ଷତାବୃଦ୍ଧି, ମାସିକିଆ ଇଣ୍ଟରନାଲ ଆସେସ୍ ରିପୋର୍ଟ ସମ୍ପୃକ୍ତ ଏଜେନ୍ସି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ। ପ୍ରତି ଜିଲ୍ଲାରେ ପ୍ରତି ବିଷୟ ପାଇଁ ୫୦ଜଣ ଶିକ୍ଷକ ଅର୍ଥାତ ମୋଟ ୧୫୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ଏଜେନ୍ସି। ଏହି ଶିକ୍ଷକମାନେ ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବେ। ପ୍ରତି ଶ୍ରେଣୀରେ ୩୫ରୁ ୪୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିବେ। ସପ୍ତାହରେ ପ୍ରତ୍ୟେକ ବିଷୟରେ ୪ଟି ଲେଖାଏଁ କ୍ଲାସ୍‌ ହେବ। ଏହିପରି ଭାବେ ଇଂରାଜୀ, ଗଣିତ ଓ ବିଜ୍ଞାନ ପାଇଁ ସପ୍ତାହରେ ହେବ ମୋଟ ୧୨ଟି କ୍ଲାସ କରାଯିବ। ପ୍ରତି କ୍ଲାସର ସମୟର ଅବଧି ଏକ ଘଣ୍ଟା ରହିବ। ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା) ଇତି ମଧ୍ୟରେ ଟେଣ୍ଡର ଆହ୍ୱାନ କରାଯାଇଛି। ମେ’ ୨ରେ ଟେଣ୍ଡର ଖୋଲାଯିବ।

ଗ୍ରୀଷ୍ମ ଛୁଟି କମାଯାଇ ବ୍ରିଜ୍‌ କୋର୍ସ ହେବ
୩ୟରୁ ୯ମ ଓ ଏକାଦଶ ପିଲାଙ୍କୁ ପଢ଼ାଯିବ
୭୦ କୋଟି ଖର୍ଚ୍ଚରେ ନିଯୁକ୍ତ ହେବ ‌ଏଜେନ୍ସି
ଯୋଜନାର ସଫଳତା ନେଇ ଉଠିଲାଣି ପ୍ରଶ୍ନ

ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ଗ୍ରୀଷ୍ମ ଛୁଟି ବାତିଲ୍‌ କରି ରାଜ୍ୟ ସରକାର ଏଭଳି କୋର୍ସ ପଢ଼ାଇବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାଦ୍ବାରା ପିଲାଙ୍କ ଶିକ୍ଷଣ ଯୋଗ୍ୟତା ବଢ଼ିବ। ତେବେ ହାଇସ୍କୁଲସ୍ତରରେ ହେବାକୁ ଥିବା ବ୍ରିଜ୍‌ କୋର୍ସ କେତେ ସଫଳ ହେବ, ତାହାକୁ ନେଇ ଆଶଙ୍କା ରହିଛି। କାରଣ ମେ’ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷା ଶେଷ ହେବ। ତେଣୁ ସେପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ପରୀକ୍ଷା ସରିବା କ୍ଷଣି ମେ’ ୧୨ କିମ୍ବା ୧୩ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଯିବ। ୫ଲକ୍ଷରୁ ଅଧିକ ପିଲାଙ୍କ ଖାତା ମୂଲ୍ୟାୟନ ଲାଗି ୧୦ରୁ ୧୨ ଦିନ ସମୟ ଲାଗିବ। ଯେଉଁଥିରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ଏହି ପ୍ରକ୍ରିୟା ଶେଷ ହେଲା ବେଳକୁ ମେ’ ୨୫ ହୋଇଯିବ। ଏହାପରେ ଆଉ କେତେ ଦିନ ‌ଯେ ଏମିତି ରହିବ ପିଲାମାନେ ବ୍ରିଜ୍‌ କୋର୍ସରେ ଶିକ୍ଷା ଗ୍ରହଣ କରିବେ। ରୂପରେଖ ପ୍ରସ୍ତୁତି ପୂର୍ବରୁ ସରକାରୀ ଅଧିକାରୀମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶିକ୍ଷାବର୍ଷ ନେଇ ସ୍ପଷ୍ଟ ସୂଚନା ଦିଅନ୍ତୁ।

ଆଗାମୀ ଖରା ଛୁଟିକୁ ବାତିଲ କରି ଏହି କୋର୍ସ ପଢ଼ାଇବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ୪୧ଲକ୍ଷ ୨୧ହଜାର ୩୯୮ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ପିଲାଙ୍କୁ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ରହିଛନ୍ତି ତ? ରାଜ୍ୟରେ ଏମିତି ବି ଅନେକ ବିଦ୍ୟାଳୟ ରହିଛି, ଯେଉଁଠାରେ ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ ଅଛନ୍ତି। ସେଠାରେ କେମିତି ପାଠପଢ଼ା ହେବ? ଅଂଶୁଘାତ ଭୟରେ ପ୍ରତିବର୍ଷ ରାଜ୍ୟ ସରକାର ଆଗୁଆ ସ୍କୁଲ ବନ୍ଦ କରି ଦେଇଥା’ନ୍ତି। ମାତ୍ର ଏଥର ପିଲାଙ୍କୁ ପଢ଼ାଇବାକୁ ସାହସ ବାନ୍ଧିଥିଲେ ହେଁ ପିଲାଙ୍କ ଉପସ୍ଥାନ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ଯେଉଁ ପିଲା ୯ମ ଶ୍ରେଣୀରେ ପଢ଼ୁଛି, ସିଏ ଦଶମ ଶ୍ରେଣୀର ପାଠ ପଢ଼ିବ ନା ୭ମ ଓ ୮ମ ଶ୍ରେଣୀର ପାଠ ପଢ଼ିବ? ଏକଥା ବିଚାର କରିବାର ଆବଶ୍ୟକତା ରହିଛି। ଏବେ ଯେଉଁ ପିଲା ଏକାଦଶ ଶ୍ରେଣୀରେ ପଢ଼ୁଛନ୍ତି, ସେମାନେ ପୁଣି ହାଇସ୍କୁଲ ପାଠ ପଢ଼ିବାକୁ ଆସିବେ ତ? ଏହା କେତେଦୂର ସମ୍ଭବ, ତାହା କେହି ଚିନ୍ତା କରିଛନ୍ତି ତ? ଏମାନଙ୍କୁ କିଏ ପଢ଼ାଇବ ବୋଲି ଶିକ୍ଷାବିତ୍‌ମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର