ଦେଓଗାଁ ସିଲେଟକାନୀ ଶିଶୁର କଙ୍କାଳ ଉଦ୍ଧାରକୁ ବର୍ଷେ, ରହସ୍ୟରେ ରହିଗଲା ଶିଶୁ ବଳି ଘଟଣା

ହତ୍ୟାକାରୀକୁ ଚିହ୍ନଟ କରିବାରେ ପୁଲିସ ବିଫଳ

ଦେଓଗାଁ: ଠିକ୍‌ ବର୍ଷେ ତଳେ ୫ ଫେବ୍ରୁଆରି ୨୦୨୦ରେ ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ମୁଣ୍ଡରେ ଏକ ଏକ ଶିଶୁର କଟା ହାତ ମିଳିଥିଲା। ତା’ ପର ଦିନ ଗାଁ ନିକଟ ସୋନଗଡ଼ ନଦୀ ପଠାରୁ ଏକ ବୁଲା କୁକୁର ସହାୟତାରେ ଉଦ୍ଧାର ହୋଇଥିଲା ଏକ ଶିଶୁର ନରକଙ୍କାଳ। ଉକ୍ତ କଙ୍କାଳ ଗାଁ ଇଟା ଭାଟିରୁ ନିଖୋଜ ହୋଇଥିବା ବବୁଲୁ ବଗର୍ତ୍ତୀ (୧୨ବର୍ଷ)ର ବୋଲି ଚିହ୍ନଟ କରିଥିଲେ ପରିବାର ବର୍ଗ। ଏହା ଏକ ଶିଶୁ ବଳି ଘଟଣା ବୋଲି ଆଲୋଚନା ହୋଇଥିଲା। ଇତିମଧ୍ୟରେ ଘଟଣାକୁ ବର୍ଷେ ପୂରିଥିଲେ ମଧ୍ୟ ଏହା ରହସ୍ୟରେ ରହିଯାଇଛି। କିଏ କାହିଁକି ନିରୀହ ଶିଶୁକୁ ହତ୍ୟା କଲା ତାକୁ ଖୋଜିବାରେ ବିଫଳ ହୋଇଛି ଦେଓଗାଁ ପୁଲିସ।

ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ହତ୍ୟାକାରୀକୁ ଖୋଜି ପାଇନି ପୁଲିସ। ଏପରିକି ଗ୍ରାମବାସୀ ଦେଓଗାଁ ଥାନାରେ ଧାରଣା ଦେବା ପରେ ନବୀନ ନିବାସ ଯିବାକୁ ସଜବାଜ ହେଉଥିଲେ। ସେହି ସମୟରେ ଦେଓଗାଁ ଥାନାର ଜଣେ ପୁଲିସ ଅଧିକାରୀ ନେତୃତ୍ୱ ନେଉଥିବା କିଛି ଲୋକଙ୍କୁ ଧମକ ଚମକ ଦେବା ପରେ ଫସର ଫାଟିଯାଇଥିଲା ନବୀନ ନିବାସ ଯିବା। ଏବେ ଏହି ହତ୍ୟା କାଣ୍ଡକୁ ନେଇ ନାନା କଥା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। କେବେ ପୁଲିସ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠାଇବ ତାକୁ ଚାହିଁ ବସିଛନ୍ତି ଗ୍ରାମବାସୀ। ବଲାଙ୍ଗୀରର ତତ୍କାଳୀନ ଏସ୍‌ପି ଏହି ଘଟଣା ନିଜେ ଦେଖିବେ ବୋଲି କହି ବଦଳି ଯାଇଛନ୍ତି। ତାଙ୍କ ସ୍ଥାନରେ ଆସିଥିବା ନୂତନ ଏସପି କିପରି ଭାବରେ ଖୋଲତାଡ଼ କରିବେ ତାହା ଦେଖିବା ବାକି ରହିଲା।

ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ସିଲେଟକାନୀରୁ ୨୦୨୦ ଜାନୁଆରି ୨୧ତାରିଖ ଦିନ ବବୁଲୁ ବଗର୍ତ୍ତୀ ଇଟା ଭାଟି ନିକଟରୁ ନିଖୋଜ ହୋଇଯାଇଥିଲା। ସବୁ ଆଡ଼େ ଖୋଜା ଖୋଜି କଲା ପରେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। ଏପରିକି ନିଖୋଜ ହେବାର ୧୫ ଦିନ ପରେ ତା’ର କଙ୍କାଳ ମିଳିଥିଲା। ଶିଶୁର ବାପା ମା’ ନ୍ୟାୟ ପାଇଁ ବାରମ୍ବାର ବଲାଙ୍ଗୀର ଏସପି ଓ ଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବେ ଜଣାଉଛନ୍ତି। ତଥାପି କୌଣସି ସୁଫଳ ମିଳୁନାହିଁ ବୋଲି ପରିବାର ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର