କରୋନା ମୁହଁରୁ ଫେରିଥିବା ସୁଶୀଳଙ୍କୁ ଭେଟିଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ଦୁଇ ମାସ କାଳ ସଂଘର୍ଷ କରି କରୋନା ମୁହଁରୁ ଫେରିଥିବା ସୁନ୍ଦରଗଡ଼ର ଚାହା ଦୋକାନୀ ସୁଶୀଳ ଘୋଷ ଓରଫ ନାଟୁ ମୁହଁରୁ ଜିଲ୍ଲାପାଳ ସଂଘର୍ଷ କଥା ଶୁଣିଛନ୍ତି। ଦୁଇ ଦିନ ତଳେ ‘ସମ୍ବାଦ’ରେ ସୁଶୀଳଙ୍କ ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲାପାଳ ତାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି କଥା ହୋଇଥିଲେ। କେମିତି ଥିଲା ସେ ସଂଘର୍ଷ ପଚାରି ବୁଝିଥିଲେ। ଜିଳ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଯୋଗୁଁ ଦ୍ବିତୀୟ ଜୀବନ ପାଇଥିବା ଓ ଏକ ମାମୁଲି ଚାହା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଗରିବ ବ୍ୟକ୍ତି ମାସାଧିକ କାଳ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟସାଧ୍ୟ ଓ ତାର ଚିକିତ୍ସା ଭାର ଜିଲ୍ଲା ପ୍ରଶାସନ ବହନ କରିଥିବାରୁ ସେ ଜୀବନ ଫେରି ପାଇଛି ବୋଲି ସୁଶୀଳ କହିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ ମିଶ୍ର ପ୍ରତିଦିନ ତାଙ୍କର ପରିବାରକୁ ଫୋନ କରି ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝୁଥିଲେ ଓ ଜିଲ୍ଲା କଲ ସେଣ୍ଟରରୁ ମଧ୍ୟ ନିୟମିତ ସମ୍ପର୍କରେ ଥିଲେ ବୋଲି ସୁଶୀଳ ପ୍ରକାଶ କରିଥିଲେ। ଏଥିପାଇଁ ସେ ଜିଲ୍ଲା ଚିକିତ୍ସା ଅଧିକାରୀ, ସମସ୍ତ ଡାକ୍ତର ଓ ନର୍ସ ମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସାଧୁବାଦ ଜଣାଇଥିଲେ। ସମାଜସେବୀ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହ ସୁଶୀଳ ତାଙ୍କ ପତ୍ନୀ ଓ ଛୋଟ ଛୁଆ ସହ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳ ସୁଶୀଳଙ୍କୁ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ସମାଜସେବୀ ସିଦ୍ଧାନ୍ତ ପଣ୍ଡା ଓ ତାଙ୍କର ଟିମ କୋଭିଡ ସମୟରେ ଲୋକଙ୍କୁ ଦେଇଥିବା ସେବା ପାଇଁ ସାଧୁବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର