ଲୁହାରଡ୍‌ରେ ପିଟି ବଡ଼ଭାଇକୁ ହତ୍ୟା

ଘଟଗାଁ/ଢେଙ୍କିକୋଟ: କାଳ ହେଲା ଘରୋଇ କଳି। ଲୁହାରଡ୍‌ରେ ପିଟି ବଡ଼ଭାଇକୁ ହତ୍ୟା କଲା ସାନଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଗାଁ ବ୍ଲକ୍‌  ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତର ରାଇକୁଦର ଗ୍ରାମରେ। ମୃତକ ଜଣଙ୍କ ହେଲେ ଚତୁର୍ଭୁଜ ନାଏକ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଇକୁଦର ଗ୍ରାମର ବିଧବା ବୃଦ୍ଧା ସୀତା ନାଏକ ସାନପୁଅ କମଳାଙ୍କ ପାଖରେ ରହୁଥିଲେ। ମା’ଙ୍କ ସମସ୍ତ ଭଲମନ୍ଦ କମଳା ବୁଝୁଥିଲେ। ବଡ଼ଭାଇ ଚତୁର୍ଭୁଜ (୪୦) ନିଜ ପିଲାଛୁଆଙ୍କୁ ନେଇ ଅଲଗା ରହୁଥିଲେ। ଶନିବାର ଦିନବେଳେ କମଳା ବଡ଼ଭାଇ ଚତୁର୍ଭୁଜ ସହିତ  ଝଗଡ଼ା କରିଥିଲା। ‘ତୁ ମା’ କଥା ବୁଝୁନୁ। ମୁଁ ସବୁ ବୁଝୁଛି କହି’ ବଡ଼ଭାଇ ସହିତ ପାଟିତୁଣ୍ଡ କରିଥିଲା। ଦୁଇଭାଇଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଗଡ଼ା ଉଗ୍ର ରୂପ ନେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ କମଳା ପାଖରେ ସାଇକଲରେ ବ୍ୟବହାର ହେଉଥିବା ଏକ ଲୁହାରଡ୍‌ରେ  ବଡ଼ଭାଇ ଚତୁର୍ଭୁଜଙ୍କ ମୁଣ୍ଡର ପଛପାଖକୁ ଦୁଇପାହାର ଦେଇଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ।

ସ୍ଥାନୀୟ ଲୋକେ ଦୌଡ଼ି ଆସି ଚତୁର୍ଭୁଜଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଗାଁ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ଓ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ବର ଚନ୍ଦ୍ର ପ୍ରଧାନ ରାଇକୁଦର ଗ୍ରାମକୁ ଯାଇ ସାନଭାଇ କମଳାକୁ ଗିରଫ କରିଛନ୍ତି। ଏନେଇ କେସ୍‌ ନମ୍ବର ୭୫/୨୦୨୨ ଦଫା ୩୦୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଏହି ଖବର ପ୍ରଚାରିତ ହେବା ପରେ ରାଇକୁଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇବା ପରେ ବିଧବା ପତ୍ନୀ ଓ ଦୁଇଛୁଆ ଅସହାୟ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର