ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ହେଲା ଜମି କିଣାବିକା ପ୍ରକ୍ରିୟା, ୭ ଦିନରେ ଫଏସଲା ହେବ ଦାଖଲ ଖାରଜ ମାମଲା

ଭୁବନେଶ୍ବର : ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ହୋଇଛି ରାଜସ୍ବ ସେବା। ୫-ଟି ବ୍ୟବସ୍ଥାକୁ ମଜଭୁତ କରିବା ଦିଗରେ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଜମିଜମା ଦାଖଲ-ଖାରଜ ମାମଲାର ଫଇସଲା ସମୟସୀମା ୭ ଦିନକୁ ହ୍ରାସ କରାଯାଇଥିବାବେଳେ ଜାତି, ଆୟ ଓ ଆବାସିକ ପ୍ରମାଣପତ୍ର ଯୋଗାଇବା ସମୟସୀମା ମଧ୍ୟ ହ୍ରାସ କରାଯାଇଛି। ଆଜି ରାଜସ୍ବ ବିଭାଗ ସେବା ପ୍ରଦାନ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାରେ କାମ କରିବା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସବ୍‌ରେଜିଷ୍ଟ୍ରାର ଓ ଜିଲ୍ଲା ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡ଼ିକରେ ଆବଶ୍ୟକ ପରିବର୍ତ୍ତନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନରୁ ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଜମି କିଣାବିକା ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହି ପ୍ରକ୍ରିୟାରୁ ମଧ୍ୟସ୍ଥ ଲୋକମାନଙ୍କୁ ବାଦଦେବା ସହିତ ସବ୍‌-ରେଜିଷ୍ଟ୍ରାର ବା ଜିଲ୍ଲା-ରେଜିଷ୍ଟ୍ରାର୍ ଅଫିସମାନଙ୍କରେ କ୍ରେତା-ବିକ୍ରେତାଙ୍କ ଉପସ୍ଥିତି କମାଇବା ପାଇଁ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିଣାବିକା ପ୍ରକ୍ରିୟା ସ୍ଵୟଂକ୍ରିୟ(ଅଟୋମେଟିକ୍‌) ହେଲେ ଅଫିସରେ ଗହଳି କମିବା ସହ ସେବା ପ୍ରଦାନ ସହଜ, ସ୍ୱଚ୍ଛ ଓ ଶୀଘ୍ର ହେବ ବୋଲି ସେ କହିଥିଲେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ସାଧାରଣ ସେବା ଅଧିକାର ଆଇନରେ ଦାଖଲ-ଖାରଜ ପାଇଁ ସମୟସୀମା ୯୦ ଦିନ ଧାର୍ଯ୍ୟ କରାଯାଇଥିଲା। ଏବେ ଅଂଶୀଦାରମାନଙ୍କର ବିରୋଧ ନଥିଲେ ଦାଖଲଖାରଜ ପ୍ରକ୍ରିୟା ୭ ଦିନ ମଧ୍ୟରେ ଶେଷ କରାଯାଇ ପଟ୍ଟା ପ୍ରମାଣପତ୍ର ଯୋଗାଇ ଦିଆଯିବ। ସେହିପରି ଅନୁସୂଚିତ ଜାତି, ଜନଜାତି, ଓବିସି ଓ ପଛୁଆ ବର୍ଗ ଆଦି ପ୍ରମାଣପତ୍ର ଯୋଗାଇବା ସମୟସୀମା ୩୦ ଦିନରୁ ୧୫ ଦିନକୁ ହ୍ରାସ କରାଯାଇଥିବା ବେଳେ ଆବାସିକ ଓ ଆୟ ପ୍ରମାଣପତ୍ର ୧୫ରୁ ୧୦ ଦିନ, ଅଭିବାବକତ୍ବ ପ୍ରମାଣପତ୍ର ପାଇଁ ୪୫ ରୁ ୩୦ ଦିନ ଏବଂ ସମ୍ପତ୍ତିଗତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପ୍ରମାଣପତ୍ର ପ୍ରଦାନ ସମୟସୀମା ୧୫ ଦିନରୁ ୧୦ ଦିନକୁ ହ୍ରାସ ପାଇଛି।

ସମୟସୀମା ହ୍ରାସର ନିର୍ଦ୍ଦେଶନାମା ପରଠାରୁ ବିଭିନ୍ନ ତହସିଲରେ ଏବେ ସୁଦ୍ଧା ପ୍ରାୟ ୪୦,୦୦୦ ଦାଖଲ-ଖାରଜ ମାମଲା ୭ ଦିନ ମଧ୍ୟରେ ଫଇସଲା ହୋଇଛି। ପ୍ରାୟ ୪.୪୭ ଲକ୍ଷ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗାଇ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶଶଧର ନାୟକ, ଶୈଳେନ୍ଦ୍ର ଦ୍ୱିବେଦୀ, ଉଷାରାଣୀ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର