ସରକାର କିଛି ଭୁଲ କରିନାହାନ୍ତି: ବିଜେଡି

ଅନ୍ୟରାଜ୍ୟର ମାସ୍କ କିଣା ତଥ୍ୟ ଦେଲେ, ପ୍ରମାଣ ଥିଲେ ଅଦାଲତକୁ ଯାଅ

ଭୁବନେଶ୍ବର: ମହାରାଷ୍ଟ୍ର ସରକାର ୧୬ ଟଙ୍କା ଦରରେ ମାସ୍କ କିଣିଛନ୍ତି। କେରଳ ସରକାର ମଧ୍ୟ। ଗୁଜରାଟ ୨୦ ଟଙ୍କା, କର୍ଣ୍ଣାଟକ ୧୮ ଟଙ୍କା ୭୪ ପଇସା, ପଶ୍ଚିମବଙ୍ଗ ୧୮ ଟଙ୍କା ୭୪ ପଇସା, ତାମିଲନାଡୁ ସରକାର ୧୫ଟଙ୍କା୯୬ ପଇସାରେ ମାସ୍କ କିଣିଛନ୍ତି। ଓଡ଼ିଶା ସରକାର କେବେ ବି କେନ୍ଦ୍ର ସରକାର ମାସ୍କ ପାଇଁ ଧାର୍ଯ୍ୟ କରିଥିବା ୧୬ ଟଙ୍କା ଦରକୁ ଅତିକ୍ରମ କରିନାହାନ୍ତି। ଏହାଠାରୁ ଅଧିକ ଦରରେ ମାସ୍କ କିଣିନାହାନ୍ତି। ଏମିତି ସ୍ପଷ୍ଟୀକରଣ ରଖି ଆଜି ବିଜୁ ଜନତା ଦଳ ବିରୋଧୀଙ୍କୁ ସିଧା ଚ୍ୟାଲେଞ୍ଜ କରିଛି ଯେ ଯଦି କିଛି ପ୍ରମାଣ ଅଛି, ତେବେ ସେମାନେ ଅଦାଲତ କିମ୍ବା ଅନ୍ୟ କୌଣସି ଫୋରମ୍‌କୁ ଯାଇପାରନ୍ତି। ରାଜ୍ୟ ସରକାର କରୋନା ମୁକାବିଲା ଜାରି ରଖିଥିବା ବେେଳ ଯୋଦ୍ଧାମାନଙ୍କର ମନୋବଳ ଭାଙ୍ଗିବା ଉଚିତ୍ ନୁହେଁ। ଓଡ଼ିଶା ଲୋକ ସବୁକିଛି ଉପରେ ନଜର ରଖିଛନ୍ତି। ଏଭଳି ମହାମାରୀ ସଙ୍କଟ ସମୟରେ ବିରୋଧୀ ଯେଭଳି ହୀନ ରାଜନୀତି କରୁଛନ୍ତି, ତାହାକୁ ସେମାନେ କେବେହେଲେ ଭୁଲିବେ ନାହିଁ।

କୋଭିଡ଼୍‌ ସାମଗ୍ରୀ ଆଦି କିଣା ପ୍ରସଙ୍ଗରେ ଆଜି କଂଗ୍ରେସ ରାଜ୍ୟପାଳଙ୍କୁ ଫେରାଦ ହେବା ପରେ ପରେ ବିଜେଡି ପକ୍ଷରୁ ପୂର୍ବାହ୍ନରେ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ଗର୍ଜିଥିଲେ। ପରେ ଦଳ ପକ୍ଷରୁ ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ଦସ୍ତଖତରେ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ କରୋନା ଯେଭଳି ବିପର୍ଯ୍ୟୟ ସୃଷ୍ଟି କରିଛି, ବିଶ୍ବ ପୂର୍ବରୁ କେବେ ଦେଖିନଥିଲା। ରାଜ୍ୟ ସରକାର ମାର୍ଚ୍ଚ ଆରମ୍ଭରୁ କରୋନା ପାଇଁ ଆଗୁଆ ପ୍ରସ୍ତୁତି କରିଥିଲେ। ୬୦୦୦ ଶଯ୍ୟା ଉପଲବ୍ଧ କରାଯାଇଥିଲା। କୋଭିଡ୍ ମୁକାବିଲା କ୍ଷେତ୍ରରେ ଏବେ ବି ଓଡ଼ିଶା ଦେଶର ଅନ୍ୟତମ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟଭାବେ ପରିଗଣିତ ହେଉଛି। କୋଭିଡ୍ ଯୋଦ୍ଧା ଓ ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ୍ ଅତି ଜରୁରୀ। ସେତେବେଳେ ରାଜ୍ୟରେ ଏହା ଉତ୍ପାଦନ ହେଉନଥିଲା। ଏଣୁ ସରକାର ଦର ହ୍ରାସକୁ ଅପେକ୍ଷା ନ କରି ବୈଷୟିକ କମିଟିର ଆକଳନ ଅନୁସାରେ ମାସ୍କ କିଣି ମହଜୁଦ ରଖିଥିଲେ। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ବୈଷୟିକ କମିଟି କରୋନା ମହାମାରୀର ମୁକାବିଲା ପାଇଁ ଡାକ୍ତରୀ ଉପକରଣ ଆକଳନ କରିଥାନ୍ତି। ତଦନୁଯାୟୀ ହାରାହାରି ୫କୋଟି ୩-ପ୍ଲାଇ ମାସ୍କ ରାଜ୍ୟ ପାଇଁ ସେମାନେ ଆବଶ୍ୟକ କରିଥିଲେ। ଦେଶର ପଶ୍ଚିମ ଓ ଦକ୍ଷିଣ ଭାରତର ରାଜ୍ୟମାନେ ମାସ୍କ ଉତ୍ପାଦନ କରିଥାନ୍ତି। ଫେବ୍ରୁଆରିରେ ଗୋଟିଏ ଗୋଟିଏ ମାସ୍କର ଦର ୧ଟଙ୍କା ଥିଲା। କିନ୍ତୁ ଲକ୍‌ଡାଉନ୍ ପରେ ମାସ୍କ, ପିପିଇ ଓ ଭେଣ୍ଟିଲେଟରର ଗୁରୁତର ଅଭାବ ସୃଷ୍ଟି ହୋଇଥିଲା। େକନ୍ଦ୍ର ସରକାର ୩ ପ୍ଲାଇ ମାସ୍କର ଦର ୧୦ ଟଙ୍କା ଧାର୍ଯ୍ୟ କରିଥିଲେ ଓ ୨୪ ତାରିଖରେ ମୂଲ୍ୟ ୧୬ ଟଙ୍କାକୁ ବଢ଼ାଇ ସାନି ବିଜ୍ଞପ୍ତି ଜାରି କରିଥିଲେ। ଏଣୁ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅଧିକାଂଶ ରାଜ୍ୟ ଚଢା ଦରରେ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ। ଏଣୁ କରୋନା ଯୋଦ୍ଧାଙ୍କ ପାଇଁ ଆବଶ୍ୟକତାକୁ ଅନୁଧ୍ୟାନ କରି ଓଡ଼ିଶା ସରକାର ମଧ୍ୟ େକନ୍ଦ୍ର ଧାର୍ଯ୍ୟ କରିଥିବା ଦରରେ ସାମଗ୍ରୀ କିଣିଛନ୍ତି।

ବିଜେଡି ପ୍ରଶ୍ନ କରିଛି ଯେ ସ୍ବାସ୍ଥ୍ୟ ସରଞ୍ଜାମ ଯୋଗାଇ ଦେବା ସରକାରଙ୍କ ଦାୟିତ୍ବ ନା ନାହିଁ? ରୋଗୀ ସଂଖ୍ୟା ବୃଦ୍ଧି ସହିତ ସଂକ୍ରମଣ ବଢ଼ିବାରୁ ଅନ୍ୟ ରାଜ୍ୟରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ହେଲେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ସୁରକ୍ଷିତ କରିଥିବାରୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏକଥା ସତ ନା ନାହିଁ? ଯେଉଁମାନେ ମାସ୍କ କିଣା ନେଇ ଚିତ୍କାର କରୁଛନ୍ତି, ସେମାନେ ମାସ୍କ ଅଭାବ ଥିଲେ ବି କହିଥାନ୍ତେ ଯେ କେନ୍ଦ୍ର ଦର ବଢ଼ାଇବା ପରେ ସରକାର କିଣିଲେନି କାହିଁକି? କରୋନା ଯୋଦ୍ଧାଙ୍କ ପାଇଁ ଓ ମହାମାରୀ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ଲାଗି ଯେତେଶୀଘ୍ର ସମ୍ଭବ ସରକାର କୋଭିଡ଼୍ ମୁକାବିଲା ସାମଗ୍ରୀ କିଣାଯାଇଛି। ବିଜେଡି ଆହୁରି ଦାବି କରିଛି ଯେ କରୋନା ପରିଚାଳନାରେ ଓଡ଼ିଶା ଜାତୀୟସ୍ତରରେ ମାନ୍ୟତା ହାସଲ କରିପାରିଛି। କରୋନା ଯୋଦ୍ଧାଙ୍କ ମନୋବଳକୁ ଏଭଳି ମିଥ୍ୟା ଓ ମନଗଢ଼ା ଖବର ଭାଙ୍ଗିପାରିବ ନାହିଁ।

ସମ୍ବନ୍ଧିତ ଖବର