କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହେବା ସରକାରଙ୍କ ଲକ୍ଷ୍ୟ: କୃଷି ମନ୍ତ୍ରୀ

କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ ଉତ୍ପାଦକ ସଂଗଠନମାନଙ୍କ ବୈଠକ: ୧୨ଟି ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: କୃଷକମାନଙ୍କ ଆୟବୃଦ୍ଧିକୁ ରାଜ୍ୟ ସରକାର ପ୍ରାଥମିକତାରେ ରଖିଛନ୍ତି। କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ, ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି। କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। କୃଷକ ଓ ଖାଉଟି ଭିତରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହୋଇପାରିବ। ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି। ଆଜି ଲୋକସେବା ଭବନ‌ରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ପାଇଁ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ ବୈଠକରେ ଏହି ମତ ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ।

ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା କୃଷି ସମା‌ବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରାଯାଇଛି। ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ରହିଛି। ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍ ମିସନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା ପ୍ରଭୃତି ଜରିଆରେ ୬ ଶହରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି। ଓଡ଼ିଶା ମକା, ମିଲେଟ, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି। ସବୁବ ବିପ୍ଳବ ପରେ ଉତ୍ପାଦନ ଭିତ୍ତିକ କୃଷି ଆପଣାଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଥିବା ବୈଠକରେ କୁହାଯାଇଛି।

ବୈଠକରେ ୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍ ବାସ୍କେଟ, ମଦର ଡାଏରି, ଡି-ହାଟ୍, ଇଣ୍ଡିଆନ ଓସିନ ଗ୍ରୁପ ଏଥିରେ ଯୋଗ ଦେଇଥିଲେ। ଆନୁଷ୍ଠାନିକ କ୍ରେତା ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭିତରେ ୧୨ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। କୃଷି ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଶାସନ ସଚିବ ସଂଜୀବ ଚଢ଼ା, ଅତିରିକ୍ତ ଶାସନ ସଚିବ ଅଞ୍ଜନା ପଣ୍ଡା, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ, ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ ଓ ଆପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର