ଶ୍ରୀମନ୍ଦିର ପ୍ରଶାସନକୁ ବିଗି‌ଡିଲେ ସୂଚନା ଆୟୁକ୍ତ, ସତ୍ୟପାଠ ଦେବାକୁ ନିର୍ଦ୍ଦେଶ

ରତ୍ନଭଣ୍ଡାର, ରଘୁବୀର ଦାଶ କମିସନଙ୍କ ରିପୋର୍ଟ ଦେଲେନି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର, ରଘୁବୀର ଦାଶ କମିସନଙ୍କ ରିପୋର୍ଟ ଆଦି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରୁନଥିବା ଅଭିଯୋଗରେ ଦାୟର ମାମଲାର ଶୁକ୍ରବାର ଦିନ ଶୁଣାଣି କରିଛନ୍ତି ସୂଚନା ଆୟୁକ୍ତ। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପସ୍ଥିତ ଅଧିକାରୀଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିବା ସହ ଉତ୍ତର ସନ୍ତୋଷଜନକ ନ ଥିବାରୁ ବିଗିଡ଼ିଛନ୍ତି। ଯାହା ବି କହିବାର ଅଛି, ସତ୍ୟପାଠ ଜରିଆରେ ଜଣାଅ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆୟୁକ୍ତ ଆସନ୍ତା ମେ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସୂଚନା ମୁତାବକ, ରତ୍ନଭଣ୍ଡାର ସମ୍ପର୍କରେ ରଘୁବୀର ଦାଶ କମିସନଙ୍କ ତଦନ୍ତ ରିପୋର୍ଟ(କେସ୍‌ ନଂ-୪୨୪/୨୦୨୨), ୨୦୧୮ ଏପ୍ରିଲ ୪ରେ ଭୁବନେଶ୍ବରରେ ବସିଥିବା ବୈଠକର ଚିଠି(କେସ୍‌ ନଂ-୭୦୨/୨୦୨୨), ୧୯୮୨ ମସିହାରେ ରତ୍ନଭଣ୍ଡାର ଯାଞ୍ଚ୍‌ର ରିପୋର୍ଟ(କେସ୍‌ ନଂ-୭୨୯/୨୦୨୨) ଓ ୧୯୮୫ ମସିହାରେ ରତ୍ନଭଣ୍ଡାର ଯାଞ୍ଚ୍‌ର ରିପୋର୍ଟ(୭୩୦/୨୦୨୨)ର ନକଲ ଦେବାକୁ ପୁରୀର ଦିଲୀପ କୁମାର ବରାଳ ସୂଚନା ଅଧିକାର ବଳରେ ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମାଗିଥିଲେ। କିନ୍ତୁ, ଶ୍ରୀମନ୍ଦିର ପ୍ରଶାସନ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲା କି କୌଣସି ସୂଚନା ପ୍ରଦାନ କରିନଥିଲା। ଏଣୁ ଶ୍ରୀ ବରାଳ ଏ ଉପରେ ସୂଚନା ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପର ଲିଖିତ ୪ ମାମଲାର ଆଜି ଏକତ୍ର ଶୁଣାଣି କରି ତିନିଟି ମାମଲାରେ ସତ୍ୟପାଠ ଦାଖଲ କରିବାକୁ ସୂଚନା ଆୟୁକ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ‌ଗୋଟିଏ ମାମଲାରେ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ମେ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ଥିବାବେଳେ ଏହା ପୂର୍ବରୁ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର