ପ୍ରତ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଅଧ୍ୟକ୍ଷଙ୍କ ସ୍ବଚ୍ଛତା ଓ ଦାୟିତ୍ବବୋଧ ବଢ଼ିବ

ଖୋର୍ଦ୍ଧା: ଆଗାମୀ ପୌର ପରିଷଦ ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ଏଥର ଏହି ନିର୍ବାଚନ ପ୍ରତ୍ୟକ୍ଷ ହେବ ଓ ପୌରାଞ୍ଚଳର ଅଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚନ କରିବେ। ଦୀର୍ଘ ୨୯ ବର୍ଷ ପରେ ପୌର ପରିଷଦର ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। ଏହି ପ୍ରତ୍ୟକ୍ଷ ନିର୍ବାଚନକୁ ଖୋର୍ଦ୍ଧା ପୌରାଞ୍ଚଳର ବିଭିନ୍ନ ରାଜନେତା ସ୍ବାଗତ କରିଛନ୍ତି। ଏହା ଦ୍ବାରା ନିର୍ବାଚନରେ ସ୍ବଚ୍ଛତା ଓ ଦାୟିତ୍ବବୋଧ ସୃଷ୍ଟି ହେବ ବୋଲି ଆଶା ରଖିଛନ୍ତି।

ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଂଜନ ମହାପାତ୍ର କହିଛନ୍ତି ଯେ ପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା ସବୁଠାରୁ ବଡ଼ ଲାଭ ହେବ ଯେ ପୌର ନିର୍ବାଚନରେ ସ୍ବଚ୍ଛତା ଆସିବ ଓ ଘୋଡ଼ାବେପାର ବନ୍ଦ ହେବ। ପରୋକ୍ଷ ନିର୍ବାଚନରେ ଅଧ୍ୟକ୍ଷ ତା’ର କାର୍ଯ୍ୟକାଳ ସମୟତକ କାଉନ୍‌ସିଲରଙ୍କ ଚାପରେ ରହୁଥିଲେ। ଏବେ ସିଧାଳଖ ଲୋକଙ୍କ ଚାପରେ ରହିବେ। ଲୋକଙ୍କ କଥା ଶୁଣିବାକୁ ବାଧ୍ୟ ହେବେ। ଏହା ଏକ ଉଚିତ ନିଷ୍ପତ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଖୋର୍ଦ୍ଧା ବିଜେପିର ବିଧାୟକ ପ୍ରାର୍ଥୀ ଥିବା କାଳୁ ଚରଣ ଖଣ୍ତାୟତରାୟ କହିଛନ୍ତି, ବର୍ତ୍ତମାନ ଗ୍ରାମାଞ୍ଚଳ ଅପେକ୍ଷା ସହରାଂଚଳରେ ଅଧିକ ଲୋକ ରହୁଛନ୍ତି। ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ପ୍ରତ୍ୟକ୍ଷ ରହିଛି।

ଏହି କ୍ଷେତ୍ରରେ ପୌର ପରିଷଦର ଅଧ୍ୟକ୍ଷ ସିଧାସଳଖ ଲୋକଙ୍କ ନିର୍ବାଚିତ ହେବା କଥା। ଏହାଦ୍ବାରା ପରିଷଦର କାର୍ଯ୍ୟବ୍ୟବସ୍ଥା ଅଧିକ ସ୍ବଚ୍ଛ ହେବ। ନିର୍ବାଚନରେ ସ୍ବଚ୍ଛତା ଆସିବ। ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ ବିଜେଡିର ସହରାଂଚଳରେ ଭୋଟ୍‌ ବ୍ୟାଙ୍କ ହ୍ରାସ ପାଇବା ଦେଖି ଏହାକୁ ଘୁଂଚାଇ ଚାଲିଥିଲେ। ଯଦିଓ ପ୍ରତ୍ୟକ୍ଷ ନିର୍ବାଚନ ଏକ ଭଲ ପଦକ୍ଷେପ ଓ ଏହା ଦ୍ବାରା କାଉନ୍‌ସିଲର ଓ କର୍ପୋରେଟରଙ୍କୁ ନେଇ ଯେଉଁ କିଣାବିକା ହେଉଥିଲା ତାହା କମିବ। କିନ୍ତୁ ପ୍ରତ୍ୟକ୍ଷ ନିର୍ବାଚନରେ ଅଧିକ ଆସନ ପାଇଁ ବିଜେଡି ଅନେକ ଅନୈତିକ ପନ୍ତ୍ରା ଅବଲମ୍ବନ କରିବ, ବିପୁଳ ଟଙ୍କା ଖର୍ଚ୍ଚ କରିବ। ଏଣୁ କୋଭିଡ ସଂକ୍ରମଣର କଟକଣା ପାଳନ ଓ ବିପୁଳ ଟଙ୍କାର ବିନିଯୋଗ ନିୟନ୍ତ୍ରଣ ହୋଇପାରିଲେ ଏହି ପ୍ରତ୍ୟକ୍ଷ ନିର୍ବାଚନ ଦ୍ବାରା ସାଧାରଣ ଲୋକ ଲାଭବାନ ହୋଇପାରିବେ। ପିସିସି ସଭ୍ୟ ତଥା ପୂର୍ବତନ ଖୋର୍ଦ୍ଧା ବାର୍ ସଂଘ ସଭାପତି ଶିଶିର ପରିଡ଼ା କହିଛନ୍ତି ଯେ ପ୍ରତ୍ୟକ୍ଷ ନିର୍ବାଚନ ହେବା ଭଲ। ଏହା ଦ୍ବାରା କାଉନ୍ସିଲରଙ୍କୁ ନେଇ ଯେଉଁ ଘୋଡ଼ା ବେପାର ହେଉଥିଲା ତାହା ବନ୍ଦ ହେବ।

ଏହା ସହ ପ୍ରତ୍ୟକ୍ଷ ନିର୍ବାଚନରେ ଜିତି ଥିବା ବ୍ୟକ୍ତି ଜଣକ ଲୋକଙ୍କ ନିକଟରେ ନିଜର ପ୍ରତିଶ୍ରୁତି ପାଳନ ପାଇଁ ଉତ୍ତରଦାୟୀ ରହିବ। ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର କହିଛନ୍ତି ଯେ ପୌର ନିର୍ବାଚନର ସମୟ ହେବା ପରେ ମଧ୍ୟ ରାଜ୍ୟ ସରକାର ୩ ବର୍ଷ ଗଡ଼ାଇ ଚାଲିଥିଲେ। ଶେଷରେ ପ୍ରତ୍ୟକ୍ଷ ନିର୍ବାଚନ ଘୋଷଣା କରିଛନ୍ତି। ଏହା ଏକ ଉତ୍ତମ ନିଷ୍ପତ୍ତି। ଏହା ଦ୍ବାରା ମେୟର କିମ୍ବା ପୌରାଧ୍ୟକ୍ଷଙ୍କ ଭୋଟରଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରହିବ। ୱାର୍ଡବାସିନ୍ଦା ନିଜର ସମସ୍ୟା ପାଇଁ ପୂର୍ବେ କାଉନ୍‌ସିଲରଙ୍କ ଉପରେ କେବଳ ନିର୍ଭର କରୁଥିଲେ, ଅଧ୍ୟକ୍ଷ ସେମାନଙ୍କ ସମସ୍ୟା କଥା ଜାଣୁନଥିଲେ। ଏବେ ଅଧ୍ୟକ୍ଷ ସିଧାସଳଖ ଭୋଟରଙ୍କ ନିକଟରେ ଉତ୍ତରଦାୟୀ ରହିବେ। ବାମପନ୍ଥୀ ଶ୍ରମିକ ସଂଗଠନ ଏସ୍‌ୟୁସିଆଇର ଲୋକାଲ୍ କମିଟି ସମ୍ପାଦକ ଅଶୋକ ସାହୁ କହିଛନ୍ତି ଯେ ଏନେଇ ରାଜ୍ୟ ସଂଗଠନ ମତ ଦେବେ କିନ୍ତୁ ତାଙ୍କର ବ୍ୟକ୍ତିଗତ ମତ ହେଲା ଏହା ଏକ ଭଲ ପଦକ୍ଷେପ। କିନ୍ତୁ କରୋନା ସମୟରେ ନିର୍ବାଚନକୁ କିଛି ଦିନ ବିଳମ୍ବ କରାଯାଇପାରନ୍ତା। ନିର୍ବାଚନକୁ ଅଧିକ ଗୁରୁତ୍ବ ନଦେଇ ଲୋକଙ୍କ ଜୀବନ ରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର