ଡିପୋଜିଟ୍‌ ଟଙ୍କା ଉଠାଇବାକୁ ରାଜି ନହେବାରୁ ମା’ଙ୍କୁ ପୁଅ ବୋହୂ ଘରୁ ତଡ଼ିଦେଲେ

ପୁଅବୋହୂଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଫେରାଦ୍‌ ହେଲେ ବୃଦ୍ଧା ମା’

ବାଲେଶ୍ବର: ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ହକ୍‌ ଓ ସହାୟତା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ହେଲେ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଉ ନଥିବାରୁ ସେମାନେ ଉଚିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରତିଦିନ ନ୍ୟାୟ ପାଇଁ ସେମାନେ ଆଇନ୍‌ର ଆଶ୍ରୟ ଲୋଡ଼ିବାକୁ ଆସୁଥିବା ବଡ଼ ଚିନ୍ତାର ବିଷୟ ହୋଇଛି। କେଉଁଠି ପୁଅବୋହୂ ମାଆବାପାଙ୍କୁ ଖାଇବାକୁ ନଦେଇ ମାଡ଼ ମାରିଲାଣି ତ କେଉଁଠି ଘରୁ ତଡ଼ି ଦେଲାଣି। ନିଜ ପୁଅବୋହୂଙ୍କ ବିରୋଧରେ ଏଭଳି ଏକ ଅଭିଯୋଗ ନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହେବାକୁ ଆସିଥିଲେ ଜଣେ ବୟସ୍କା ମହିଳା। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅ ଓ ବୋହୂ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଖାଇବା ପିଇବାକୁ ନଦେଇ ଘରୁ ବିଦା କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

ବାଲିଆପାଳ ଥାନା ଦକ୍ଷିଣପଦା ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ପାତ୍ରଙ୍କ ପତ୍ନୀ ହେଉଛନ୍ତି ବାସନ୍ତୀ। ଏବେ ତାଙ୍କୁ ୭୨ ବର୍ଷ ବୟସ। ୨ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ଏବେ ପୁଅଝିଅ ‌ସମସ୍ତେ ବିବା‌ହିତ। ଗତ ୬ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ପରେ ବାସନ୍ତୀ ୨ ପୁଅଙ୍କ ପାଖରେ ରହିଥିଲେ। ତେବେ ରାମଚନ୍ଦ୍ର ମୃତ୍ୟୁ ପୂର୍ବରୁ ବାସନ୍ତୀଙ୍କ ନାମରେ ବାଲେଶ୍ବର ଖପରାପଦାସ୍ଥିତ ଗ୍ରାମ୍ୟବ୍ୟାଙ୍କରେ ୨ ଲକ୍ଷ ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌କୁ ଏବେ ୨ ପୁଅ ନିଜ ନିଜ ଭିତରେ ବାଣ୍ଟିନେବାକୁ ମା’କୁ ବାଧ୍ୟ କରୁଛନ୍ତି।

ଏଥିରେ ସେ ରାଜି ହେଉ ନଥିବାରୁ ୨ ପୁଅ ଓ ବୋହୂ ତାଙ୍କୁ ନାନା ପ୍ରକାର ନିର୍ଯାତନା ଦେବା ଆରମ୍ଭ କରିଛନ୍ତି। ଏପରିକି ତାଙ୍କ ଖାଇବା ପିଇବା ମଧ୍ୟ ଠିକ୍‌ ଭାବେ ବୁଝୁନାହାନ୍ତି। ଏନେଇ ବାସନ୍ତୀ କିଛିଦିନ ପୂର୍ବରୁ ବାଲିଆପାଳ ଥାନାରେ ୨ ପୁଅଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୁଲିସ ୨ ପୁଅଙ୍କୁ ଥାନାକୁ ଡାକି ମା’ଙ୍କ ଭଲମନ୍ଦ ବୁଝିବାକୁ ତାଗିଦ କରିଥିଲେ। କିନ୍ତୁ ଗତ ୧୯ ତାରିଖ ଦିନ ରାତିରେ ୨ ପୁଅ ଓ ବୋହୂ ହଠାତ୍‌  ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଛନ୍ତି। ତାଙ୍କ ନାଁରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ ଟଙ୍କା ନେବା ପାଇଁ ଅଡ଼ି ବସିଛନ୍ତି। ସେମାନଙ୍କ ଟଙ୍କା ନଦେଲେ  ଖାଇବା ନଦେବା ସହ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଘରୁ ବାହାର କରିଦେଇଛନ୍ତି। ଫଳରେ ସେ ଗାଁ ଶିବମନ୍ଦିରରେ ଆଶ୍ରୟ ନେଇଥିବା କହିଛନ୍ତି।

ଆଜି ଖବର ପାଇ ତାଙ୍କ ଝିଅ ତାଙ୍କୁ ଧରି ନ୍ୟାୟ ପାଇଁ ବାଲେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ୨ ପୁଅ ଓ ବୋହୂଙ୍କ ବିରୋଧରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପ୍ରଶାସନଠାରୁ ନ୍ୟାୟ ନମିଳିଲେ ବାସନ୍ତୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର