ସଫା ହେଉନି ଓଭରହେଡ୍‌ ଟାଙ୍କି: ପାଣିରେ ଭାସୁଛି ଜିଆ, ପାରା ମଳ

ବେଗୁନିଆ: ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ଏହି ଟଙ୍କାରେ ନିର୍ମାଣ ହୋଇଥିବା ପ୍ରକଳ୍ପରୁ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବା ବଦଳରେ ପାରା ପର, ମଳ, ଜିଆ ଭାସୁଥିବା ଦୂଷିତ ଜଳ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ୍‌ ବଡବେରଣା ପଞ୍ଚାୟତ କୋହ୍ଲୁଆପାଟଣା ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ କ୍ଷେତ୍ରରେ।

ମିଳିଥିବା ସୂଚନା ଅନୁସାରେ କୋହ୍ଲୁଆପାଟଣା ଏବଂ ନରସିଂହପୁର ଏହି ୨ଟି ମୌଜାରେ ବିଭିନ୍ନ ସଂପ୍ରଦାୟର ପ୍ରାୟ ୨ଶହ ପରିବାର ବସବାସ କରନ୍ତି। ପାନୀୟ ଜଳ ବ୍ୟବହାର ପାଇଁ ଲୋକେ ଗାଁରେ ଥିବା ନଳକୂପ ଉପରେ ନିର୍ଭର କରୁଥିଲେ। ହେଲେ ଗ୍ରୀଷ୍ମଋତୁରେ ନଳକୂପ ଜଳ ଯୋଗାଇବାରେ ଅସମର୍ଥ ହେବାରୁ ଲୋକେ ପୋଖରୀ, ଗାଡିଆ ଉପରେ ଭରସା କରୁଥିବା ନେଇ ପ୍ରଶାସନ ପାଖରେ ବହୁବାର ଅଭିଯୋଗ ହୋଇଆସୁଥିଲା। ଶେଷରେ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପକୁ ବିଧାୟକ ଓ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ବିଶୁଦ୍ଧ ପାନୀୟ ଜଳ ପାଇ ଗ୍ରାମବାସୀ ଖୁସି ପ୍ରକଟ କରିଥିଲେ। ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କିର ରକ୍ଷଣାବେକ୍ଷଣ ପାଇଁ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ଏକ ପାଣି କମିଟି ଗଠନ କରାଯାଇଥିବା ବେଳେ ଜଣେ ଚାଳକକୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ପ୍ରତିମାସରେ ୟୁଜର୍‌ ଫି ଆଦାୟ କରିବା ସହ ପରିଚାଳନା ଦାୟିତ୍ବ କମିଟି ଉପରେ ନ୍ୟସ୍ତ କରାଯାଇଥିଲା। ହେଲେ କମିଟି କେବଳ କାଗଜକଲମରେ ସୀମିତ ରହିଛି। ପଞ୍ଚାୟତ ପକ୍ଷରୁ ପାଣି ଟାଙ୍କି ଚାଳକ କେବଳ ମାସିକ ବିଦ୍ୟୁତ୍ ବିଲ ପୈଠ କରି ନିଜର କାମ ଶେଷ କରିଦେଉଥିବା ବେଳେ ଏହାର ତଦାରଖ ନ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଫଳରେ ପ୍ରତିବର୍ଷ ଏହି ପାଣି ଟାଙ୍କିକୁ ସଫାସୁତରା କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଉ ନାହିଁ । ଗାଁରେ ଥିବା ଏହି ପାଣିଟାଙ୍କି ଉପର ଭାଗ ଖୋଲାଥିବାରୁ ପାରାମାନେ ଭିତରେ ପଶିବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ବର୍ଷ ବର୍ଷ ଧରି ଟାଙ୍କି ସଫା କରାଯାଉ ନ ଥିବାରୁ ଜିଆ, ପୋକଜୋକ, ପାରା ପର, ମଳ ଏବେ ପାଣିରେ ଆସୁଥିବା ଦେଖାଯାଇଛି। ଏହି ପାଣିକୁ ଲୋକେ ବ୍ୟବହାର କରି ନାନା ରୋଗର ଶିକାର ହେଉଛନ୍ତି। ଗ୍ରାମବାସୀ ଏନେଇ ଅଭିଯୋଗ କଲେ ମଧ୍ୟ ପଞ୍ଚୟତ ଠାରୁ ବ୍ଲକ୍‌ ଅଧିକାରୀ ପର୍ଯ୍ୟନ୍ତ କେହି ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ବିଶୁଦ୍ଧ ଜଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ନୀତି ପାଇଁ ଏବେ ତାହା ପାଣିରେ ପଡିବା ସାର ହୋଇଛି। ବିଭାଗୀୟ ଉଚ୍ଚପଦାଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ମାନସ ମହାପାତ୍ରଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର