ପୁଣି ଜୟନାରାୟଣଙ୍କ ପାଇଁ ବଢ଼ିଲା ଅଡ଼ୁଆ

ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଚାର୍ଜ ଫ୍ରେମ୍, ପ୍ରତି ଶୁଣାଣିରେ କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ତିନି ଦିନ ତଳେ ଦିଲେଶ୍ବର ସାହୁ ହତ୍ୟା ମାମଲାରେ ସେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌-୩ରେ ହାଜର ହୋଇଥିଲେ। ୨୦୧୬ରେ ବୁର୍ଲା ଥାନା ଅଧିକାରୀଙ୍କୁ ଆକ୍ରମଣ ଓ ଧମକଚମକ ମାମଲାରେ ଆଜି ପୁଣି ଥରେ ତାଙ୍କୁ ଏହି କୋର୍ଟରେ ହାଜର ହେବାକୁ ପଡ଼ିଛି। ଏହି ମାମଲାରେ କୋର୍ଟରେ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିବା ବେଳେ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। କେବଳ ସେତିକି ନୁହେଁ, ଏଣିକି ଏହି ମାମଲାର ଶୁଣାଣି ସମୟରେ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜିରା ଦେବାକୁ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୧୬ ଫେବ୍ରୁଆରି ୨ରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡ଼ିଶା ଗସ୍ତରେ ଆସିଥିଲେ। ଫେବ୍ରୁଆରି ୩ ତାରିଖ ସକାଳେ କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍ ହୀରାକୁଦ ନଦୀବନ୍ଧର ଗେଟ୍ ଅତିକ୍ରମ କଲା ପରେ ତତ୍କାଳୀନ ବୁର୍ଲା ଥାନା ଅଧିକାରୀ ତୋଫାନ ବାଗ ଗେଟ୍ ବନ୍ଦ କରି ଦେଇଥିଲେ। ଏହି ସମୟରେ ଜୟନାରାୟଣ ମିଶ୍ର ଏବଂ ତାଙ୍କର କେତେକ ସହଯୋଗୀ ଏକ ଗାଡ଼ିରେ ସେଠାରେ ପହଞ୍ଚି ପୁଲିସକୁ ଗେଟ୍ ଖୋଲିବା ପାଇଁ କହିଥିଲେ। ହେଲେ ଶ୍ରୀ ବାଗ ଏଥିପାଇଁ ନିର୍ଦ୍ଦେଶ ନାହିଁ କହି ତାଙ୍କୁ ବାରଣ କରିଥିଲେ। ରାଗିଯାଇ ଶ୍ରୀ ମିଶ୍ର, ତାଙ୍କ ସହଯୋଗୀ ମାନସ ରଂଜନ ବକ୍ସି ଓ ପ୍ରିନ୍ସ ସୋନି ଆଇଆଇସି ଶ୍ରୀ ବାଗଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଶ୍ରୀ ବାଗଙ୍କ ଅଭିଯୋଗ କ୍ରମେ ଶ୍ରୀ ମିଶ୍ର ଓ ଦୁଇ ଜଣ ସହଯୋଗୀଙ୍କ ବିରୋଧରେ ବୁର୍ଲା ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ପରେ ହାଇକୋର୍ଟରୁ ଜାମିନ ପାଇଥିବା ବେଳେ ଡିଏସ୍‌ପି ଅବକାଶ ରାଉତରାୟ ଏହି ମାମଲାର ତଦନ୍ତ କରି ୧୭/୧୦/୧୭ରେ ଚାର୍ଜସିଟ୍ ଦାଖଲ କରିଥିଲେ।

ସୋମବାର ଦିନ ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଲାଗି ଶ୍ରୀ ମିଶ୍ରଙ୍କ ସମେତ ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି ହୋଇଥିଲା। କୋର୍ଟରେ ହାଜର ହେବା ପରେ ସରକାରୀ ଓକିଲ ରଶ୍ମିରଂଜନ ବ୍ରହ୍ମା ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିବାରୁ ଶ୍ରୀ ମିଶ୍ର ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଥିଲା। କୋର୍ଟ ସେମାନଙ୍କୁ ପୂର୍ବ ସର୍ତ୍ତ ଅନୁସାରେ ଜାମିନ ପ୍ରଦାନ କରିବା ସହ ଆଉ କୌଣସି ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନ ହେବାକୁ ତାଗିଦ କରିଥିଲେ। ଏହାଛଡ଼ା ମାମଲାର ଶୁଣାଣି ପାଇଁ ପ୍ରତ୍ୟେକ ତାରିଖରେ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ କୋର୍ଟ ଶ୍ରୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର