କେନ୍ଦୁଝରରେ ଧାନକିଣା​ ଆରମ୍ଭ

ଝୁମ୍ପୁରା : କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ କେବଳ ଚମ୍ପୁଆ ଉପଖଣ୍ଡର ଝୁମ୍ପୁରା ବ୍ଲକ୍‌ ଉଖୁଣ୍ଡା ଲ୍ୟାମ୍ପସ୍‌ରେ‌ ଦୁଇଜଣ ଚାଷୀଙ୍କଠାରୁ ୬୪ କୁଇଣ୍ଟାଲ ଧାନ କିଣାଯାଇଛି। ଆସନ୍ତାକାଲିଠାରୁ ପର୍ଯ୍ୟା‌ୟକ୍ରମେ କେନ୍ଦୁଝର ଉପଖଣ୍ଡର ଅନ୍ୟାନ୍ୟ ବ୍ଲକ୍‌, ୧୫ରୁ ଘସିପୁରା ବ୍ଲକ୍‌ ଏବଂ ଡିସେମ୍ବର ୨୦ରୁ ହାଟଡିହି ଓ ଆନନ୍ଦପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ମଣ୍ଡି‌ ଖୋଲାଯାଇ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏଫଏକ୍ୟୁ ମାନର ଧାନ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ଓ ଗ୍ରେଡ୍‌-ଏ’ ଧାନ କୁଇଣ୍ଟାଲ ଦର ୨୦୬୦ ଟଙ୍କା ରହିଛି।

ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଝୁମ୍ପୁରା ବ୍ଲକ୍‌ ଉଖୁଣ୍ଡା ଲ୍ୟାମ୍ପସ୍‌ରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଧାନକିଣାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଚମ୍ପୁଆ ଏସିଏସ୍‌ଓ ମଙ୍ଗଲ ସିଂ, ଝୁମ୍ପୁରା ବ୍ଲକ୍‌ ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧା, ଡିଆର୍‌ସିଏସ୍‌ ଶୁଭ୍ରକାନ୍ତୀ ତୁଙ୍ଗ, ଜିଲ୍ଲା ପରିଷଦ ସଦସ୍ୟ ରାଧାକାନ୍ତ ନାୟକ, ଏଆର୍‌ସିଏସ୍‌ ସୁଶୀଲ ଚନ୍ଦ୍ର ନାଏକ, ଆର୍‌ଏମ୍‌ସି ସମ୍ପାଦକ ଦିଗାମ୍ବର ପ୍ରଧାନ, ଏଓ ଅଶୋକ କୁମାର ମହାନ୍ତ, ମିଲର୍‌ ସୁବର୍ଣ୍ଣ କୁମାର ବେ‌‌ହେରା, ସିପୁ ସାହୁ, ସରସ୍ବତୀ ମହାନ୍ତ, ଅଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଚାଷୀ ବାସୁଦେବ ମହାନ୍ତ ଓ ପର୍ଶୁରାମ ମହାନ୍ତଙ୍କ ପାଖରୁ ୬୪ କୁଇଣ୍ଟାଲ ଧାନ କିଣାଯାଇଛି। ଏଠାରେ ସୋମବାର, ବୁଧବାର, ଶୁକ୍ରବାର ଏବଂ ଚଉଠିଆ ଶାଖାରେ ମଙ୍ଗଳବାର ଏବଂ ଶନିବାର ଧାନ କିଣାଯିବ ବୋଲି ଆର୍‌ଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଉଖୁଣ୍ଡା ଲ୍ୟାମ୍ପସ୍‌ ଶାଖା ପରିଚାଳକ ନବୀନ ଚନ୍ଦ୍ର ମହାନ୍ତ, ଲ୍ୟାମ୍ପସ୍‌ ସଭାପତି ପ୍ରଦୀପ କୁମାର ନାଏକ, ନିର୍ଦ୍ଦେଶକ ଶ୍ରୀବତ୍ସ କୁମାର ସାହୁ, ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ।

ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲାରେ ୧୪ ଲକ୍ଷ ୫୬ ହଜାର ୨୯ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ୟାକ୍ସ ଜରିଆରେ ୮୯ଟି ଏବଂ ଲ୍ୟାମ୍ପସ୍ ଜରିଆରେ ୪୫ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୬୪ ହଜାରରୁ ଊର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି। ଉପଜିଲ୍ଲାପାଳମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାର ତଦାରଖ ଦାୟିତ୍ବ ଦିଆଯାଇଥିବା ବେଳେ ଏପ୍ରିଲ ମାସ ପର୍ଯ୍ୟନ୍ତ ଧାନକିଣା ଚାଲିବ।

ଏ ସମ୍ପର୍କରେ ସିଏସ୍‌ଓ ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ଆଜି କେବଳ ପ୍ରତୀକାତ୍ମକ ଭାବେ ଗୋଟିଏ ସ୍ଥାନରେ ଧାନକିଣା ଯାଇଛି। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇ ଚା‌ଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର