ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଉଛୁଳି ଘରେ ପଶିଲା, ବାହାରକୁ ପଳାଇ ଆସିଲେ ଲୋକେ

କଲମପୁର: ଇନ୍ଦ୍ରାବତୀ ଡାହାଣ କେନାଲର କଲମପୁର-ବିରିପୁର ରାସ୍ତା ପ୍ରାଣୀ ଚିକିତ୍ସାଳୟ ନିକଟ କଲମପୁର ମାଇନର ୧ କେନାଲରେ ପାଣି ଉଛୁଳି ନିକଟରେ ଥିବା ପଡ଼ାର ଘରଗୁଡ଼ିକରେ ପଶିଥିଲା। ଗୁରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ଫଳରେ ଘରେ ଥିବା ଲୋକେ ବାହାରକୁ ପଳାଇ ଆସିଥିଲେ। କେତେ ଜଣଙ୍କ ଘରେ ଆବାସ ଯୋଜନା ଘର ନିର୍ମାଣ ପାଇଁ ରଖିଥିବା ସିମେଣ୍ଟ ପାଣି ମାଡ଼ିଥିବା ବେଳେ ଅନ୍ୟ କେତେ ଘରେ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଭିଜି ଯାଇଥିବା କହିଛନ୍ତି।

ଘରେ ସାଇତି ରଖିଥିବା ଅନେକ ଦ୍ରବ୍ୟ ଅସ୍ତବ୍ୟସ୍ତ ହୋଇଥିବା ମଧ୍ୟ କହିଛନ୍ତି। ପଡ଼ାର ରାସ୍ତାରେ ପ୍ରାୟ ୨ଫୁଟ ପାଣି କ୍ଷୀପ୍ରଗତିରେ ପ୍ରବାହିତ ହୋଇଥିଲା। ପରେ ବିଭାଗୀୟ ଜେଇଙ୍କୁ ଜଣାଇବାରୁ ଡିଷ୍ଟ୍ରୁବ୍ୟୁଟାରିରୁ ପାଣି କମ୍‌ କରିଥିଲେ ଓ ପୋଲରେ ଅଳିଆ ଆବର୍ଜନା ସଫା କରିଥିଲେ। ଏହି କେନାଲ ବହୁ ଦିନରୁ ମରାମତି ଅଭାବରୁ ଅନେକ ଥର ଏଭଳି ଘଟଣା ଘଟିଆସୁଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର