ଶାଳଦେଇ ବାଲିଘାଟ ବିବାଦରୁ ଗଡ଼ିଲା ମୁଣ୍ଡ: ବ୍ଲକ୍‌ ଅଧ୍ୟକ୍ଷା ସ୍ବାମୀଙ୍କ ଆକ୍ରମଣରେ ମହିଳା ମୃତ

ମୁଖ୍ୟ ଅଭିଯୁକ୍ତ ବାବନ ସାହୁଙ୍କ ସମେତ ୫ ଫେରାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦକୁ କେନ୍ଦ୍ରକରି ମୁଣ୍ଡ ଗଡ଼ିଛି। ଘସିପୁରା ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁଙ୍କ ସ୍ବାମୀ ତଥା ବିଜେଡି ନେତା ମଦନମୋହନ ସାହୁ ଓରଫ୍ ବାବନଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଲ୍ଲୀ ଜେନା(୫୮)। ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ବାବନ ଓ ଅନ୍ୟ ଚାରିଜଣ ଫେରାର ହୋଇ ଯାଇଛନ୍ତି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ରାସ୍ତାରେ ମୃତଦେହ ରଖି ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ।

ଘସିପୁରା ବ୍ଲକ୍‌ର ଶାଳଦେଇ ବାଲିଘାଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମ୍ୟ ରାସ୍ତାରେ ବହୁସଂଖ୍ୟକ ବାଲିବୋଝେଇ ଗାଡ଼ି ଚଳାଚଳ କରିବାରୁ ସ୍କୁଲ୍‌ ଛାତ୍ରଛାତ୍ରୀ, ମହିଳା ଓ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ହେଉଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ଗୁହାରି କରିଥିଲେ। ଚାପରେ ପଡ଼ି ପ୍ରଶାସନ ଚୁପ୍‌ ରହିଥିଲା। ବାଲିଗାଡ଼ିକୁ ବିରୋଧ କରୁଥିବା ଲୋକଙ୍କୁ ଗାଳିଗୁଲଜ କରିବାରୁ ଗତ ୨୨ତାରିଖ ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିଦିନ ଅପରାହ୍ନରେ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକ ବାବନ ସାହୁଙ୍କ ସମେତ ତରୁଆଁର ପୂର୍ବତନ ସରପଞ୍ଚ ବଳରାମ ବେହେରା, ଶାଳଦେଇର ରାମକୃଷ୍ଣ ବୋଇତେଇ, ଭାଗ୍ୟକମଲ ବୋଇତେଇ ଓ ତରୁଆଁର ସିପୁନ୍ ବେହେରାଙ୍କ ନେତୃତ୍ବରେ ଶତାଧିକ ଯୁବକ ପହଞ୍ଚି ମଲ୍ଲୀ ଜେନାଙ୍କ ପୁଅ ବିରଞ୍ଚିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତାଙ୍କ ଘର ଉପରକୁ ଟେକାପଥର ମାଡ଼ କରିବାରୁ ମଲ୍ଲୀ ବାହାରକୁ ଆସି ପ୍ରତିବାଦ କରିଥିଲେ। ଆକ୍ରମଣକାରୀମାନେ ମଲ୍ଲୀଙ୍କୁ ନିସ୍ତୁକ ମାଡ଼ମାରିବା ସହିତ ଘରେପଶି ଆକ୍ରମଣ କରିଥିଲେ। ଭୁଜାଲିରେ ତାଙ୍କର ଡାହାଣ ଗୋଡ଼କୁ ହାଣି ଦେଇଥିଲେ।

ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ପ୍ରଥମେ ସାଇଁକୁଳ ଓ ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାବେଳେ ଚିକିତ୍ସାଧୀନ ଅବସ୍ଥାରେ ମଲ୍ଲୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବିଧାୟକ ସମର୍ଥକଙ୍କ ଗୁଣ୍ଡ‌ାରାଜକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ବ୍ଲକ୍‌ ସଭାପତି ସୁବ୍ରତ କୁମାର ଚକ୍ର ଏହାକୁ ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏଥିସହିତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ଏହି ହତ୍ୟାକା‌ଣ୍ଡ ପାଇଁ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର